‘‘ଇନଭେଷ୍ଟ ଇଣ୍ଡିଆ’’: ଚୀନ ବିରୋଧରେ ଭାରତର ଶକ୍ତିଶାଳୀ ଆର୍ଥିକ ଅସ୍ତ୍ର

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପରେ ଚୀନ ସାରା ବିଶ୍ବରେ ଏକଘରକିଆ । ଏପରି ସ୍ଥିତିରେ ଅଷ୍ଟ୍ରେଲିଆ, ତାଇୱାନ, ଜାପାନ ପରେ ଭାରତ ସହ ଶତ୍ରୁତା ଆରମ୍ଭ କରିଛି ଚୀନ୍ । ନିଜ ଦେଶରେ ନିଜର ଭାବମୂର୍ତିକୁ ସୁଧାରିବା ଉଦ୍ଦେଶ୍ୟରେ ଚୀନ୍ ରାଷ୍ଟ୍ରପତି ଯେଉଁ ସାମ୍ରାଜ୍ୟବାଦୀ ନୀତି ଆରମ୍ଭ କରିଛନ୍ତି ସେଥିପାଇଁ ଭାରତ ଦୁଇ ତରଫରୁ ଆକ୍ରମଣ ଆରମ୍ଭ କରିଛି । ଏକ ପକ୍ଷରେ ଚୀନ ସହ ଲଢ଼େଇ ନିମନ୍ତେ ଭାରତ ରୁଷଠାରୁ ପାଖାପାଖି ୩୦ଟି ଅତ୍ୟାଧୁନିକ ଲଢ଼ୁଆ ବିମାନ କିଣିବାକୁ ପଦକ୍ଷେପ ନେଇଛି । ଅନ୍ୟପକ୍ଷରେ ଭାରତକୁ ଏକ ଉତ୍ପାଦନ ହବରେ ପରିଣତ କରିବା ନିମନ୍ତେ ମୋଦୀ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ଆରମ୍ଭ ହୋଇଛି ନୂଆ ପଦକ୍ଷେପ ‘‘ଇନଭେଷ୍ଟ ଇଣ୍ଡିଆ’’  ।

ଦେଶରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ନିମନ୍ତେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦିଆଯାଇଛି । ଯଦି କୌଣସି ବିଦେଶୀ ନିବେଶକ ଭାରତରେ ପୁଞ୍ଜି ନିବେଶ ନିମନ୍ତେ ସୂଚନା ଚାହୁଁଛନ୍ତି ତେବେ ସେମାନଙ୍କୁ ଇମେଲରେ ସମସ୍ତ ସୂଚନା ପ୍ରଦାନ କରାଯାଉଛି । ସେହିପରି ୧୦୦% ବିଦେଶୀ ପୁଞ୍ଜି ନିବେଶ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଅଟୋମୋବାଇଲ, ଏଭିଏସନ, ବାୟୋଟେକନୋଲୋଜି, କ୍ୟାପିଟାଲ ଗୁଡ଼୍ସ, ଇଲେକ୍ଟେ୍ରାନିକ୍ସ, ହେଲଥ କେୟାର, ଖାଦ୍ୟ ପ୍ରକ୍ରିୟାକରଣ ଆଦି ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶକୁ ଅଗ୍ରାଧିକାର ଦିଆଯାଉଛି । ତେବେ ଏ ଚୀନୀ କମ୍ପାନୀଗୁଡ଼ିକର ନିବେଶ ଆବେଦନକୁ କଠୋର ଭାବରେ ଯାଞ୍ଚ କରାଯାଉଛି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପ୍ରମୋସନ ଅଫ୍ ଇଣ୍ଡଷ୍ଟ୍ରିଜ୍ ଏଣ୍ଡ ଟ୍ରେଡ଼ ବିଭାଗ ବ୍ୟତୀତ ବିଭିନ୍ନ ମନ୍ତ୍ରଣାଳୟରେ ବିଭିନ୍ନ ସେଲ୍ ଗଠନ କରାଯାଇଛି । ଯେଉଁ ସେଲ୍ ସହାୟତାରେ ନିବେଶକଙ୍କୁ ପ୍ରୋତ୍ସାହିତ କରାଯାଇ ପାରିବ । ଯେଉଁମାନଙ୍କ ଜରିଆରେ ଇଜ ଅଫ୍ ଡ଼ୁଇଙ୍ଗ ବିଜିନେସ ସମ୍ପର୍କରେ ସୂଚନା ମିଳିପାରିବ ।

ଏଥିନିମନ୍ତେ ଗତ ୧ ଦଶନ୍ଧିର ଶିଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏହା ସହ ନିବେଶକଙ୍କୁ ଏହାମଧ୍ୟ କୁହାଯାଇଛି ଯେ ଭାରତ ବିଶ୍ବର ଦ୍ରୁତ ବିକଶିତ ଅର୍ଥ ବ୍ୟବସ୍ଥା ମଧ୍ୟରେ ଗୋଟିଏ । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦେଶର ଜନସଂଖ୍ୟାର ଏକ ବୃହତ୍ ଅଂଶର ବୟସ ୨୪ ବର୍ଷ ମଧ୍ୟରେ । ସେହିପରି ୱାର୍କିଂ ପପୁଲେସନ (୨୦ରୁ ୩୫ ବର୍ଷ ବୟସ) ଜନସଂଖ୍ୟା ଅନୁପାତ ୬୪% ।

ସମ୍ପ୍ରତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜେଟ୍ରୋ ଜାପାନ, ଇନଭେଷ୍ଟ ଇନ୍ ଆମେରିକା, ୟୁକେ ଟ୍ରେଡ଼ ଏଣ୍ଡ ଇନଭେଷ୍ଟ, ୟୁକେ ଇଣ୍ଡିଆ ବିଜିନେସ କାଉନ୍ସିଲ, ଇନଭିଟାଲିଆ ଇଟାଲୀ, ୟୁବିଆଇ ଫ୍ରାନ୍ସ ଏଣ୍ଡ ଇନଭେଷ୍ଟ ଇନ୍ ଫ୍ରାନ୍ସ, ଚେକ୍ ଇନଭେଷ୍ଟ ଚେକ୍ ଗଣରାଜ୍ୟ , କୋତରା ସାଉଥ କୋରିଆ, ବିଆଇଓ ମରିସସ୍, ଜେନେକ୍ସ ଇନଭେଷ୍ଟ କାଜାଗିସ୍ଥାନ ଓ ସାଉଦୀ ଆରବ ଜେନେରାଲ ଇନଭେଷ୍ଟମେଣ୍ଟ ଅଥରିଟି ସହ ଯୋଗସୂତ୍ର ସ୍ଥାପନ କରିଛି ।

ଗୃହମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମ୍ପ୍ରତି ୨ ଡ଼ଜନରୁ ଅଧିକ ବିଦେଶୀ ପୁଞ୍ଜି ନିବେଶ ଆବେଦନ ମିଳି ସାରିଛି । ଏହାମଧ୍ୟରେ ଚୀନ୍ ଓ ହଂକଂର କିଛି ନିବେଶକ ମଧ୍ୟ ଅଛନ୍ତି । ତେବେ ଚୀନ୍ କମ୍ପାନୀର ଆବେଦନକୁ ଅତ୍ୟନ୍ତ ଗୁରୁତ୍ବର ସହ ଯାଞ୍ଚ କରାଯାଉଛି ।

Comments are closed.