ଏଣିକି ଜିଲାସ୍ତରରେ ହେବ ସମୀକ୍ଷା ବୈଠକ

ସାକ୍ଷାତ୍‌କାର - କେନ୍ଦ୍ରମନ୍ତ୍ରୀ ଇଂ. ବିଶ୍ବେଶ୍ବର ଟୁଡୁ

ନରେନ୍ଦ୍ର ମୋଦୀଙ୍କ ସରକାରରେ ଗୁରୁତ୍ୱପୂର୍ଣ୍ଣ ଜଳଶକ୍ତି ଓ ଆଦିବାସୀ ବ୍ୟପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି ମୟୂରଭଞ୍ଜରୁ ପ୍ରଥମ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ଇଂ. ବିଶ୍ୱେଶ୍ୱର ଟୁଡ଼ୁ। ଓଡ଼ିଶା ପ୍ରସଙ୍ଗରେ ଦେଖିବାକୁ ଗଲେ ଉଭୟ ମନ୍ତ୍ରଣାଳୟ ରାଜ୍ୟସ୍ୱାର୍ଥ ଦୃଷ୍ଟିରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସରକାରୀ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ତଥା ତୃଣମୂଳସ୍ତରରେ ପହଞ୍ଚାଇବା ଲାଗି କେନ୍ଦ୍ରମନ୍ତ୍ରୀ ଟୁଡ଼ୁଙ୍କ ଆଗାମୀ ଦିନର କାର୍ଯ୍ୟଖସଡ଼ା ବିଷୟରେ ‘ସମାଜ’ର ନୂଆଦିଲ୍ଲୀ ପ୍ରତିନିଧି ଶକ୍ତି ପ୍ରସାଦ ନାୟକଙ୍କ ସହ ଆଲୋଚନା

ଲୋକସଭାର ଆଠ ଜଣ ଓଡ଼ିଆ ବିଜେପି ସାଂସଦଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ ମୋଦୀ ଆପଣଙ୍କ ଉପରେ କାହିଁକି ଭରସା କଲେ?
ମନ୍ତ୍ରିମଣ୍ଡଳରେ କାହାକୁ ସାମିଲ କରାଯିବ ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା ଉପରେ ନିର୍ଭର କରେ। ବିଗତ ଦିନରେ ମୁଁ ଦଳପାଇଁ ନିଷ୍ଠାର ସହ କାମ କରିଛି। ଦଳ ଓ ମୋଦୀଙ୍କ ଆଦର୍ଶରେ କାମ କରୁଥିଲି। ପ୍ରଧାନମନ୍ତ୍ରୀ ଦିନକୁ ୧୮ ଘଣ୍ଟା ପରିଶ୍ରମ କରନ୍ତି, ମୁଁ ଆଉ ଏକ ଘଣ୍ଟା ଅଧିକ ପରିଶ୍ରମ କରେ। ମୟୂରଭଞ୍ଜର ବିକାଶ ଲାଗି ବିଗତ ଦିନରେ ନିରନ୍ତର ପ୍ରୟାସ ଜାରି ରଖିଥିଲି। ପ୍ରଧାନମନ୍ତ୍ରୀ ବୋଧେ କୌଣସି ସୂତ୍ର୍ରରୁ ଜାଣି ପାରିଥିବେ ବୋଲି ମନକୁ ଆସେ। ଅନ୍ୟପଟେ ମୁଁ ବନବାସୀ କଲ୍ୟାଣ ଆଶ୍ରମରେ କାମ କରୁଥିଲି ଏବଂ ପେସାରେ ଜଣେ ଇଞ୍ଜିନିୟର। ବୈଷୟିକ ଜ୍ଞାନ ରଖୁଥିବା ବ୍ୟକ୍ତିଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ଆବଶ୍ୟକତା ରହିଥଲା ଏବଂ ବିଜେପି ସଂଗଠନକୁ ଅଧିକ ମଜଭୁତ କରିବା ଲାଗି ପ୍ରଧାନମନ୍ତ୍ରୀ ହୁଏତ ମୋତେ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି ବୋଲି ମନେକରୁଛି।
କେନ୍ଦ୍ରୀୟ ଜଳ ଆୟୋଗରେ ବର୍ଷ ବର୍ଷ ଧରି ରାଜ୍ୟର ଜଳସେଚନ ପ୍ରକଳ୍ପ ପ୍ରସ୍ତାବଗୁଡ଼ିକ ମଞ୍ଜୁରୀ ଅପେକ୍ଷାରେ ପଡ଼ି ରହୁଛି। ଆପଣଙ୍କ କାର୍ଯ୍ୟକାଳରେ ସ୍ଥିତି ସୁଧୁରିବ କି?
ମୋତେ ପ୍ରଥମେ ଦେଖିବାକୁ ପଡ଼ିବ ଓଡ଼ିଶାର କେତେ ସଂଖ୍ୟକ ଜଳସେଚନ ପ୍ରକଳ୍ପ ପ୍ରସ୍ତାବ କେନ୍ଦ୍ରୀୟ ଜଳ ଆୟୋଗକୁ ମଞ୍ଜୁରୀ ଲାଗି ଆସିଥିଲା। କେତେ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ଏବଂ କେତେ ପ୍ରକଳ୍ପ ମଞ୍ଜୁରୀ ଅପେକ୍ଷାରେ ପଡ଼ି ରହିଛି। କେଉଁ ପ୍ରକଳ୍ପଗୁଡ଼ିକର କାମ ଆରମ୍ଭ ହୋଇଛି ଏବଂ କେଉଁ ପ୍ରକଳ୍ପଗୁଡ଼ିକର କାମ ଧିମା ଚାଲିଛି। ମଞ୍ଜୁରୀ ମିଳିବାରେ କେଉଁଠାରେ ଅସୁବିଧା ରହିଲା ତାହା ସମୀକ୍ଷା କରି ଜାଣିବା ପରେ ରାଜ୍ୟ ସ୍ୱାର୍ଥ ପାଇଁ ଓଡ଼ିଶା ସରକାରଙ୍କ ସହଯୋଗରେ ଯାହା କରିବାକୁ ପଡ଼ିବ ନିଶ୍ଚିତ ଭାବେ କରିବି।
ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ଓଡ଼ିଶାର ଜଳ ବିବାଦ ରହିଛି। ଏହାର ସମାଧାନ ଆପଣ କିପରି ଦେଖୁଛନ୍ତି?
ମହାନଦୀ, ପୋଲାଭରମ ଓ ବଂଶଧାରା ଆଦି ତିନୋଟି ଜଳ ବିବାଦ ଅଦାଲତଙ୍କ ବିଚାରାଧୀନ ରହିଛି। ଅଦାଲତ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ। ଯଦି ଓଡ଼ିଶାର ସ୍ୱାର୍ଥ ଲାଗି ମୋର ସହଯୋଗ ଆବଶ୍ୟକ ପଡ଼େ, ମୁଁ ପୂର୍ଣ୍ଣ ସହଯୋଗ କରିବି।
ସୁବର୍ଣ୍ଣରେଖା ବହୁମୁଖୀ ଜଳସେଚନ ପ୍ରକଳ୍ପ ନିର୍ମାଣରେ ଆପଣ ସନ୍ତୁଷ୍ଟ କି?
ନା, ଦୀର୍ଘଦିନ ଧରି କାମ ଆରମ୍ଭ ହୋଇଥିଲେ ମଧ୍ୟ ଯେଉଁ ଲକ୍ଷ୍ୟ ନେଇ ସୁବର୍ଣ୍ଣରେଖା ବହୁମୁଖୀ ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା ଅଦ୍ୟାବଧି ସେହି ଲକ୍ଷ୍ୟ ପୂରଣ ହୋଇନାହିଁ ଏବଂ ଲୋକଙ୍କୁ ପାଣି ଯୋଗାଇ ଦିଆଯାଇ ପାରିନାହିଁ। ଝାଡ଼ଖଣ୍ଡରେ ଗାଲୁଡ଼ିହୀ ବ୍ୟାରେଜ ଓ ଚାଣ୍ଡିଲ ବନ୍ଧ ନିର୍ମାଣ କାର୍ଯ୍ୟ ଅସଂପୂର୍ଣ୍ଣ ରହିଛି। ଫଳରେ ବର୍ଷର ୩୬୫ ଦିନ ପାଣି ମିଳିବା ସମ୍ଭବପର ହୋଇପାରୁନାହିଁ। ଖୁବ୍‍ଶୀଘ୍ର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୀକ୍ଷା କରି ପୂର୍ଣ୍ଣାଙ୍ଗ କରିବାକୁ ସମସ୍ତ ପଦକ୍ଷେପ ନେବି।
ଘରକୁ ପାନୀୟଜଳ ଯୋଗାଣରେ ଜାତୀୟସ୍ତର ତୁଳନାରେ ଓଡ଼ିଶା ପଛରେ ରହିଛି। କେନ୍ଦ୍ର ସରକାରଙ୍କ ମହଦାକାଙ୍‌କ୍ଷୀ ଯୋଜନା ପ୍ରତି ଘରକୁ ଜଳ ଯୋଜନାର ସଫଳ ରୂପାୟଣ ଲାଗି ଆପଣ କ’ଣ କରିବେ?
ଭୁବନେଶ୍ୱରରେ ବିଭାଗୀୟ ଅଧିକାରୀଙ୍କ ସହ ବୈଠକରେ ସମୀକ୍ଷା କରି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବାକୁ ପ୍ରଚେଷ୍ଟା କରିବି। ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ରହିଛି ଦେଶର ପ୍ରତ୍ୟେକ ନାଗରିକ ସ୍ୱଚ୍ଛ ପାନୀୟ ଜଳ ପାଆନ୍ତୁ। ମୁଁ ସ୍ପଷ୍ଟ କରିବାକୁ ଚାହେଁ କି ଓଡ଼ିଶାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଲାଗି କେନ୍ଦ୍ରୀୟ ପାଣ୍ଠିର ଅଭାବ ରହିବ ନାହିଁ।
ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ରାଜ୍ୟର ଆଦିମ ଆଦିବାସୀ କାହିଁକି ମୁଖ୍ୟ ସ୍ରୋତକୁ ଆସିପାରୁନାହାନ୍ତି, ପ୍ରତିବନ୍ଧକ କେଉଁଠି ରହିଛି?
ସଚେତନତା ଅଭାବ ଓ ଅନ୍ଧବିଶ୍ୱାସ ଆଦିମ ଅଧିବାସୀଙ୍କ ବିକାଶର ମୁଖ୍ୟ ପ୍ରତିବନ୍ଧକ ସାଜିଛି। ଜଙ୍ଗଲରେ ବସବାସ କରୁଥିବା ଆଦିମ ଅଧିବାସୀଙ୍କୁ ଜମି ପଟ୍ଟା ମିଳୁନଥିବାରୁ ସେମାନେ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। କିଛି ଦିନ ତଳେ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷାରିତ ହୋଇ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି। ପେସା ଆଇନ ଓଡ଼ିଶାରେ ଲାଗୁ ନହୋଇଥିବା କାରଣରୁ ଆଦିବାସୀ ବହୁଳ ଅଞ୍ଚଳରେ ଖଣିଖାଦାନ ରାଜସ୍ବରୁ ଯେଉଁ ବିକାଶ ହେବା କଥା ତାହା ସମ୍ଭବ ହୋଇପାରୁନାହିଁ। ମୋର ପ୍ରସ୍ତାବ ରାଜ୍ୟରେ ଓଡ଼ିଶା ସରକାର ତୁରନ୍ତ ପେସା ଆଇନ ଲାଗୁ କରନ୍ତୁ।
ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ଜନଜାତିଙ୍କ ପାଇଁ କ’ଣ ସବୁ ଯୋଜନା ରହିଛି?
ଭାରତ ସରକାର ଟ୍ରାଇଫେଡ଼ ମାଧ୍ୟମରେ ଲଘୁ ବନଜାତ ଦ୍ରବ୍ୟର କିଣାବିକା ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସରକାର ଆଇଟିଡିଏ ଜରିଆରେ ବନଧନ କେନ୍ଦ୍ର ସ୍ଥାପନ କରି ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରରେ ଆଦିବାସୀଙ୍କ ଠାରୁ ସ୍ବଚ୍ଛ ପ୍ରକ୍ରିୟାରେ ଲଘୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କଲେ ଆଦିବାସୀ ଉଚିତ୍‍ ମୂଲ୍ୟ ପାଇବେ ଏବଂ ସେମାନଙ୍କ ଆର୍ଥିକ ବିକାଶ ଘଟିବ।
ଆପଣଙ୍କ ଦୃଷ୍ଟିରେ ଜିଲା ଖଣିଜ ପାଣ୍ଠିର ବିନିଯୋଗ କିପରି ହେବା ଉଚିତ?
ଯାହା ଦେଖିବାକୁ ମିଳୁଛି ରାଜ୍ୟରେ ଜିଲା ଖଣିଜ ପାଣ୍ଠିର ଉପଯୁକ୍ତ ବିନିଯୋଗ ହେଉନାହିଁ। ଖଣି ଅଞ୍ଚଳରେ ପାଣ୍ଠି ଖର୍ଚ୍ଚ କରାନଯାଇ ଅନ୍ୟାନ୍ୟ ଜାଗାରେ ବ୍ୟୟ କରାଯାଉଛି। ଖଣି ଅଞ୍ଚଳର ଆବଶ୍ୟକତାକୁ ଆଖି ଆଗରେ ରଖି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଗ୍ରାମସଭା ମାଧ୍ୟମରେ କେବଳ ଖଣି ଅଞ୍ଚଳରେ ପାଣ୍ଠି ବିନିଯୋଗ କରାଗଲେ ଆଦିବାସୀ ଲାଭାନ୍ୱିତ ହେବେ। ନଚେତ ଜିଲା ଖଣିଜ ପାଣ୍ଠି ବିନିଯୋଗ ପରେ ମଧ୍ୟ ରାଜ୍ୟର ଆଦିବାସୀ ଅବହେଳିତ ହୋଇ ରହିଯିବେ।
ଭବିଷ୍ୟତରେ ଶିମିଳିପାଳରେ ଅଗ୍ନିକାଣ୍ଡ ରୋକିବାକୁ କ’ଣ ପଦକ୍ଷେପ ନିଆଯିବା ଆବଶ୍ୟକ?
ଚଳିତ ବର୍ଷ ପ୍ରାରମ୍ଭରେ ଶିମିଳିପାଳରେ ଘଟିଥିବା ଅଗ୍ନିକାଣ୍ଡ ଜୈବ ବିବିଧତା ଏବଂ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ବନ ବିଭାଗର ଅଧିକାରୀ ଏବଂ ସେହି ଅଞ୍ଚଳରେ ବସବାସ କରୁଥିବା ଜନତାଙ୍କ ଆପୋସ ଆଲୋଚନା ମାଧ୍ୟମରେ ସହମତି ଭିତ୍ତିରେ ଶିମିଳିପାଳର ସୁରକ୍ଷା କଥା ଚିନ୍ତା କରାଯାଇପାରେ। ଜନଭାଗିଦାରୀ ବିନା ଏତେ ବଡ଼ ଅଭୟାରଣ୍ୟର ସୁରକ୍ଷା ଅସମ୍ଭବ। ଶିମିଳିପାଳର ସୁରକ୍ଷା ଲାଗି ସ୍ଥାନୀୟ ଜନତାଙ୍କୁ ସାମିଲ କରି ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ଶିମିଳିପାଳରେ କାମ୍ପା ପାଣ୍ଠିର ଦୁରୁପଯୋଗ ହୋଇଛି। ତାହା ଠିକ୍‍ ଭାବେ ଖର୍ଚ୍ଚ ହୋଇନାହିଁ ଯାହାକି ତଦନ୍ତ ସାପେକ୍ଷ।
ଓଡ଼ିଶା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ ଭାରତ’ର ଯଥାର୍ଥତା ରହିଛି କି?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଭରସା ରହିଛି। ମୋଦିଜୀ ମଧ୍ୟ ଓଡ଼ିଆଙ୍କୁ ଖୁବ୍‍ ଭଲ ପାଆନ୍ତି। ସେଥିପାଇଁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ତିନି ଜଣ ଓଡ଼ିଆଙ୍କୁ ସ୍ଥାନ ମିଳିଛି। ଶିକ୍ଷା, ଦକ୍ଷତା ବିକାଶ, ରେଳ, ସଞ୍ଚାର, ଆଇଟି, ଜଳଶକ୍ତି, ଆଦିବାସୀ ବ୍ୟାପାର ଭଳି ସାତଟି ମନ୍ତ୍ରଣାଳୟ କାର୍ଯ୍ୟଭାର ଓଡ଼ିଆ ମନ୍ତ୍ରୀଙ୍କ ହାତରେ ରହିଛି। କୋଭିଡ ଅନୁଦାନ, ବାତ୍ୟା ଅନୁଦାନ, ରେଳ ଅନୁଦାନ, କାମ୍ପା ପାଣ୍ଠି ଅନୁଦାନ ଆଦି ପର୍ଯ୍ୟାପ୍ତ ଅନୁଦାନ ଓଡ଼ିଶାକୁ ଦିଆଯିବା ଘଟଣା ରାଜ୍ୟବାସୀଙ୍କ ପ୍ରତି ମୋଦିଜୀଙ୍କ ଭଲ ପାଇବା ପ୍ରଦର୍ଶିତ କରୁଛି।
ଆପଣଙ୍କ କାର୍ଯ୍ୟକାଳରେ କ’ଣ ସ୍ୱତନ୍ତ୍ରତା ରହିବ?
ଏଣିକି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଯୋଜନାର ସମୀକ୍ଷା ବୈଠକ ନୂଆଦିଲ୍ଲୀ ଓ ଭୁବନେଶ୍ୱର ବାହାରେ ଜିଲାସ୍ତରରେ ମଧ୍ୟ ଅନୁଷ୍ଠିତ ହେବ। ଆଦିବାସୀ ଜାଣିବେ ଓ ଅନୁଭବ କରିବେ ଯେ ସରକାର ଓ ପ୍ରଶାସନ ସେମାନଙ୍କର। ସରକାରୀ ଯୋଜନାରୁ ଆଦିବାସୀ କିପରି ଅଧିକରୁ ଅଧିକ ଲାଭାନ୍ୱିତ ହେବେ ଏବଂ ତାଙ୍କର ନ୍ୟାଯ୍ୟ ହକ୍‍ ପାଇ ପାରିବେ ତାହା କେନ୍ଦ୍ରମନ୍ତ୍ରୀ ଭାବେ ମୋର ଏକମାତ୍ର ଲକ୍ଷ୍ୟ ରହିବ।

Comments are closed.