ବିଶ୍ବ କଲ୍ୟାଣ ଓ ଆର୍ୟୁବେଦ : ଜ୍ଞାନ ରଞ୍ଜନ

ପାରମ୍ପରିକ ଚିକିତ୍ସା ପଦ୍ଧତି ଆୟୁର୍ବେଦକୁ ବିଶ୍ୱ ବ୍ୟାପି  କରିବା ପାଇଁ ଭାରତ ପ୍ରୟାସ ଜାରି ରଖିଛି। କରୋନା କାଳରେ ଆୟୁର୍ବେଦର ପ୍ରଭାବକୁ ସମଗ୍ର ବିଶ୍ବ ଅନୁଭବ କରିଛି । ଯେଉଁଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଭାରତରେ ପାରମ୍ପରିକ ଔଷଧ ଗବେଷଣା ପ୍ରତି​​‌ଷ୍ଠାନ ସ୍ଥାପନ‌ କରିଛନ୍ତି । ଏହି ଅବସରରେ ଗୁଜରାଟ ଗାନ୍ଧୀ ନଗରର ମହାତ୍ମା ମନ୍ଦିରଠାରେ ଅନୁଷ୍ଠିତ ବିଶ୍ବ ଆର୍ୟୁବେଦ ନିବଶେକ ଓ ନବସୃଜନ ଶିଖର ସମ୍ମିଳନୀର ଆୟୋଜନ କରାଯାଇଥିଲା । ଆମ ରାଜ୍ୟରୁ  ଏକମାତ୍ର ଆୟୁର୍ବେଦ ଔଷଧ ନିର୍ମାତା ତଥା ଶିଳ୍ପଦ୍ୟୋଗୀ ଜ୍ଞାନ ରଞ୍ଜନ ଦାଶ, ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ନିମନ୍ତ୍ରିତ ହୋଇ ଏହି ସମ୍ମିଳନୀରେ ଯୋଗ ଦେବାର ଗୌରବ  ଅର୍ଜନ କରିଛନ୍ତି ।  ତାଙ୍କ ସହ ଏକ ସଂକ୍ଷିପ୍ତ ଆଳାପ….ସିଏ କହିଥିଲେ ପ୍ରାଚୀନ ପାରମ୍ପରିକ ଆୟୁର୍ବେଦକୁ ବିଶ୍ୱ କଲ୍ୟାଣରେ ଉପଯୋଗ କରିବା ପାଇଁ ତାଙ୍କ ଦୃଢ ସଂକଳ୍ପ ଓ ଅତୁଟ ଧୈର୍ଯ୍ୟ ଏବଂ  ନିଜ ଅନୁଭବର  କଥା…ତାଙ୍କ ସହ  ଆଳାପ କରିଛନ୍ତି ଅମୂଲ୍ୟ କୁମାର ହୋତା

ପ୍ରଶ୍ନ : ସ୍ବାସ୍ଥ୍ୟ ସେବାର ବିଭିନ୍ନ ଦିଗ ମଧ୍ୟରୁ ଆର୍ୟୁବେଦକୁ ବାଛିଲେ କାହିଁକି ?

ଉତ୍ତର  ପ୍ରଥମତଃ ବିଶ୍ୱାସ ରହିଛି ମଣିଷ ଜନ୍ମ ଗ୍ରହଣ କରିବା ପୁର୍ବରୁ ବିଧାତା ତାର କର୍ମ ନିର୍ଦ୍ଧାରଣ କରି ସଂସାରକୁ ପଠାଇଥାନ୍ତି । ମୋର ଜନ୍ମ ଆର୍ୟୁବେଦ ସହ ସଂଶ୍ଲିଷ୍ଟ ପରିବାରରେ । ପିତା ସୁନାମଧନ୍ୟ କବିରାଜ ଥିଲେ, ତେଣୁ ପିଲାଦିନୁ ଆୟୁର୍ବେଦ ସହ ଜଡ଼ିତ ରହିଛି ।

ପ୍ରଶ୍ନ : ପାରିବାରିକ ବୃତ୍ତିକୁ ଆଗେଇ ନେବାରେ କିଛି ଅସୁବିଧା  ବା ସମସ୍ୟା ରହିଛି କି ?

ଉତ୍ତର –  କେବଳ ପାରିବାରିକ ବୃତ୍ତି ନୁହେଁ , ଯେକୌଣସି କାର୍ଯ୍ୟକୁ ନେଇ ଆଗକୁ ବଢ଼ିବାରେ ସମସ୍ୟା ଓ ଅସୁବିଧା ନିଶ୍ଚୟ ରହିଛି। ପ୍ରତିଟି  କାର୍ଯ୍ୟରେ କିଛି ସମସ୍ୟା, ସୁବିଧା-ଅସୁବିଧା ରହିବା ସ୍ଵାଭାବିକ । ସମସ୍ୟା ସହିତ ସମାଧାନର ସୂତ୍ର ଭଗବାନ ଲୁକାୟିତ ଭାବେ ରଖିଥାନ୍ତି ।  ଅବିଚଳିତ ଭାବେ, ଦୃଢ ମନୋବଳ ନେଇ ସଂଘର୍ଷ ସହ ଆଗେଇ ଚାଲିଛୁ । ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ବଡ଼ ଭାଇ ବିଭୁତି ଭୂଷଣ ଦାଶ ଓ ମୁଁ ନିଜେ ଏହି ବୃତ୍ତିକୁ ଆପଣେଇଛୁ।

ରାଷ୍ଟ୍ରପତି ଭବନରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ଏ ପି ଜେ ଅବଦୁଲ କାଲାମଙ୍କ ସହ ଆୟୁର୍ବେଦ ଆନ୍ତର୍ଜାତୀୟ ସମ୍ମିଳନୀ ଅବସରରେ ଶ୍ରୀ ଦାଶ

ପ୍ରଶ୍ନ : ମଇଁଦିପୁରରୁ  ମହାତ୍ମାମନ୍ଦିର ପର୍ଯ୍ୟନ୍ତ ଯାତ୍ରାର ଅନୁଭୂତି।

ଉତ୍ତର –  ନିଶ୍ଚିତ ଭାବେ ଏହା ଅତି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । ମଇଁଦିପୁରରୁ  ଭୁବନେଶ୍ବର ଓ  ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ସ୍ବତନ୍ତ୍ର ଭାବେ ଆମନ୍ତ୍ରିତ ହୋଇ ଓଡ଼ିଶାର ଏକମାତ୍ର ଆର୍ୟୁବେଦ ଔଷଧ ଉତ୍ପାଦକ ଓ ଗବେଷକ ଭାବେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ସୁଦୂର ଗୁଜୁରାଟ ଗାନ୍ଧୀନଗରର ମହାତ୍ମାମନ୍ଦିରରେ ପ୍ରବେଶ, ଦୀର୍ଘ ଚାଳିଶ ବର୍ଷର ଏକ ନିରବଛିନ୍ନ ସଂଘର୍ଷ ଭରା ଦୁଃଶାହାସ ଯାତ୍ରା। ସେ ପଥରେ ଫୁଲ କମ୍ ଓ କଣ୍ଟା ଅଧିକ । ଯାହା ଅଭାବ, ଆବେଗ, ହତାସା ନିରାଶା ,ମାନ- ଅପମାନ ଓ ରୋମାଞ୍ଚ ଭରା ଏକ ସ୍ବତନ୍ତ୍ର ଅନୁଭୁତି ।ଯାହାକୁ ଅଳ୍ପ କିଛି ଶବ୍ଦରେ ପ୍ରକାଶ କରିବା ଖୁବ୍ କଷ୍ଟକର । ମୋ ଜାଣିବାରେ ଏ ସବୁକିଛି ପଛରେ ଏକ ଅଦୃଶ୍ୟ ଶକ୍ତି ହିଁ ମୋର ସବୁଠୁ ବିଶେଷ ଅନୁଭୂତି।

ପ୍ରଶ୍ନ : ଏହି ବୈଶ୍ବିକ ନିବେଶ ସମ୍ମିଳନୀରୁ କ’ଣ ସୁଫଳ ମିଳିବ।

ଉତ୍ତର –  ଆଜି ଆମେ ପ୍ରତ୍ୟେକ କ୍ଷେତ୍ରରେ ଆଧୁନିକ ବିଜ୍ଞାନର ଜୟ ଯାତ୍ରା ଦେଖୁଥିବା ବେଳେ, ସ୍ବାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ବିଶ୍ୱବ୍ୟାପି ପ୍ରାଚୀନ ପାରମ୍ପରିକ ଚିକିତ୍ସା ପଦ୍ଧତିର ଅନୁସନ୍ଧାନ ଓ ଏହା ପ୍ରତି ଆଗ୍ରହ  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗୌରବର ବିଷୟ ନିକଟରେ ବିଶ୍ୱ  ସ୍ବାସ୍ଥ୍ୟ ସଙ୍ଗଠନ (‘ହୁ’) ଆମ ଦେଶର ପ୍ରାଚୀନ ଆୟୁର୍ବେଦ- ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ସ୍ୱୀକୃତି ପ୍ରଦାନ କରିଛି। ବିଶ୍ବ ପାରମ୍ପରିକ ଔଷଧ ଗବେଷଣା କେନ୍ଦ୍ର ମଧ୍ୟ ଏଠାରେ ପ୍ରତିଷ୍ଠା ହୋଇଛି । ଏବେ ଏହା ବିଶ୍ୱର ମାନବ କଲ୍ୟାଣ ପାଇଁ ନିଃସନ୍ଦେହରେ ଉପଯୋଗ ହୋଇ ପାରିବ । ଆୟୁର୍ବେଦ ତଥା ପାରମ୍ପରିକ ଚିକିତ୍ସା ପ୍ରତି ଅନେକ ଲୋକ ଆଗ୍ରହ ପ୍ରକାଶ କରିବେ। ଏ କ୍ଷେତ୍ରରେ ନିବେଶ ମଧ୍ୟ ବୃଦ୍ଧି ପାଇବ। ଯାହାଦ୍ୱାରା  ଅନେକ ଦୁସ୍ଥ, ନିଃସହାୟ, ଆର୍ଥିକ ଦୁର୍ବଳ ବର୍ଗ ସ୍ୱଳ୍ପ ମୂଲ୍ୟରେ ଅନେକ ଦୁରରୋଗ୍ୟରୁ ଆରୋଗ୍ୟ ଲାଭ କରି ପାରିବେ । ଏହା ଠାରୁ ଅଧିକ  ଆନନ୍ଦ ବିଷୟ ଓ ସୁଫଳ ଆଉ କଣ ହୋଇ ପାରେ।

ଗୁଜରାଟର ଗାନ୍ଧୀ ନଗର ଠାରେ ପାରମ୍ପରିକ ଆୟୁର୍ବେଦ ଶିଖର ସମ୍ମିଳନୀ ଅବସରରେ ଅନ୍ୟାନ୍ୟ ବିଶିଷ୍ଟ ପ୍ରତିନିଧିଙ୍କ ସହ ଜ୍ଞାନରଞ୍ଜନ

ପ୍ରଶ୍ନ : ଆର୍ୟୁବେଦକୁ ନେଇ ଆମ ରାଜ୍ୟରେ କ’ଣ ସମ୍ଭାବନା ରହିଛି

ଉତ୍ତର –  ଆର୍ୟୁବେଦକୁ ନେଇ ଆମ ରାଜ୍ୟରେ ଅପାର ସମ୍ଭାବନା ରହିଅଛି । ଆୟୁର୍ବେଦର ପ୍ରସାର ପାଇଁ ସରକାରଙ୍କ ତରଫରୁ ଆୟୁଷ ନିର୍ଦେଶାଳୟ କାର୍ଯ୍ୟ କରୁଅଛି। ମୁଖ୍ୟତଃ ପ୍ରକୃତିଦତ୍ତ  ଗନ୍ଧମାର୍ଦନ ପାହାଡ଼ ଦୁର୍ଲଭ ଆର୍ୟୁବେଦୀୟ ଜଡିବୁଟି ବୃକ୍ଷ ରାଜିରେ ପୂର୍ଣ୍ଣ ଥିବା ବେଳେ ଅନେକ ଅଭିଜ୍ଞ ଆର୍ୟୁବେଦ ବିଦ୍ୱାନ ଓ ଚିକିତ୍ସକ ଅଛନ୍ତି । ଶିକ୍ଷା ସହ ଗବେଷଣା ପାଇଁ ଦେଶରେ ସୁଖ୍ୟାତି ଅର୍ଜନ କରିଥିବା ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ପୂରୀ ଓ ବଲାଙ୍ଗିର ସମେତ  ଚାରୋଟି ମହାବିଦ୍ୟାଳୟକୁ ନେଇ ଆୟୁର୍ବେଦର ବିକାଶ ସମ୍ଭାବନାରେ ଭରପୁର ଆମ ରାଜ୍ୟ।  ମାତ୍ର ଏହାକୁ ସାକାର କରିବା ପାଇଁ ଦୃଢ଼ ଇଚ୍ଛା ଶକ୍ତି ଓ ସଂକଳ୍ପ ସହ ସରକାରଙ୍କ  ସହଯୋଗ ନିତ୍ୟାନ୍ତ ଆବଶ୍ୟକ। ବିଗତ ଦିନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ନିଜ ରାଜ୍ୟରେ ରହି କିଛି କରିବା ପାଇଁ ତେଣୁ ଏହି କ୍ଷେତ୍ରକୁ ଆସି ଆଜି ଏଠାରେ ପହଞ୍ଚିଛି।

ପ୍ରଶ୍ନ : ଆର୍ୟୁବେଦ ଓ ପାରମ୍ପରିକ ଔଷଧ ଅନେକ ଦୂରାରେଗ୍ୟ ବ୍ୟାଧି ଦୂର କରିବାରେ ସହାୟକ ହୋଇ ପାରିବ କି ?

ଉତ୍ତର –  ହଁ ନିଶ୍ଚୟ ସହାୟ ହୋଇ ପାରିବ। ଏଥିରେ ସନ୍ଦେହର ଅବକାଶ ନାହିଁ । ନିକଟରେ କେନିଆ ରାଷ୍ଟ୍ରପତିଙ୍କ କନ୍ୟା ମସ୍ତିଷ୍କ ଜନିତ ଦୁରାରୋଗ୍ୟରେ ପୀଡିତ ହୋଇ ସମ୍ପୂର୍ଣ ଦୃଷ୍ଟି ଶକ୍ତି ହରାଇବା ପରେ ବିଶ୍ୱର କୌଣସି ଚିକିତ୍ସା ପଦ୍ଧତିରେ ସଫଳ ନହୋଇ ଭାରତ ଆସି ଆୟୁର୍ବେଦ-ପାରମ୍ପରିକ ଚିକିତ୍ସାରେ ମାତ୍ର ଛ’ ମାସରେ ସମ୍ପୁର୍ଣ୍ଣ ଦୃଷ୍ଟି ଶକ୍ତି ଫେରି ପାଇବା ବିଶ୍ୱକୁ କେଉଁ ବାର୍ତ୍ତା ଦେଉଛି କୁହନ୍ତୁ ତ ?

ପ୍ରଶ୍ନ : ଘରେ ଘରେ ଆର୍ୟୁବେଦ ତଥା ବିଶ୍ବ କଲ୍ୟାଣ ଦିଗରେ ଏହାକୁ ବ୍ୟବହାର କରାଯାଇ ପାରିବ କି ?

ଉତ୍ତର –  ହଁ ! କରାଯାଇ ପାରିବ। ଆମେ ଭୁଲି ଯିବା ଉଚିତ୍ ନୁହେଁ ଆମ ପୁର୍ବଜ ବିଶ୍ୱକୁ ଦେଇଥିବା ବାର୍ତ୍ତା । ‘ବସୁଧୈଵକୁଟୁମ୍ବକମ୍’  ଓ  ‘ସର୍ବେସ୍ୟନ୍ତୁ ନିରାମୟ୍ୟା’। । ସାରା ବିଶ୍ୱକୁ ନିଜର କୁଟୁମ୍ବ ଓ ଆୟୁର୍ବେଦର ପ୍ରୟୋଗ ସହ ଘରେ ଘରେ ସମସ୍ତଙ୍କ  ନିରାମୟ କାମନା ଏହାହିଁ ବିଶ୍ୱ କଲ୍ୟାଣର ବାର୍ତ୍ତା । ଏବେ ସରକାରଙ୍କ ପକ୍ଷରୁ ଯେଉଁ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଉଛି। ସେଠାରେ ମଧ୍ୟ ଆୟୁର୍ବେଦ ଉପଚାର ଯୋଗାଇ ଦିଆଯାଉଛି।

ପ୍ରଶ୍ନ : ପାରମ୍ପରିକ ଔଷଧ ଆର୍ୟୁବେଦକୁ ନେଇ ଆପଣଙ୍କର କ’ଣ ଲକ୍ଷ୍ୟ ରହିଛି ।

ଉତ୍ତର-  ଆମେ ଯେଉଁ ରାଜ୍ୟରେ ଜନ୍ମ ଗ୍ରହଣ କରିଛୁ, ବିଶ୍ୱପତି ଶ୍ରୀଜଗନ୍ନାଥ ମଧ୍ୟ ସେହି ରାଜ୍ୟରେ । ଶ୍ରୀଜଗନ୍ନାଥ ବିଶ୍ୱର ଏକ ମାତ୍ର ଦେବତା ସ୍ଵୟଂ ଜ୍ବରରେ ପୀଡିତ ହେବା ପରେ ପାରମ୍ପରିକ ଆର୍ୟୁବେଦ ଔଷଧ ସେବନ କରି ଆରୋଗ୍ୟ ଲାଭ କରିଥାନ୍ତି । ଏହା ହିଁ ସମଗ୍ର ବିଶ୍ୱକୁ ଆୟୁର୍ବେଦର ଉପକାରୀତା ନେଇ ବଡ଼ ବାର୍ତ୍ତା । ବିଶ୍ୱର ସର୍ବ ପ୍ରାଚୀନ ପାରମ୍ପରିକ  ଚିକିତ୍ସା ପଦ୍ଧତି  ଆଜି ଅବହେଳିତ । ଏହାକୁ ପୁନର୍ବାର ବିଶ୍ୱର ଶିଖରକୁ ନେବା ସହ , ଏକ ସ୍ବାସ୍ଥ୍ୟ ଗ୍ରାମ ବା ହେଲଥ-ଭିଲେଜ୍ ପ୍ରତିଷ୍ଠା କରି ଜନ ସଧାରଣଙ୍କୁ ଉନ୍ନତ ମାନର  ପାରମ୍ପରିକ ଆୟୁର୍ବେଦ ସେବା ଯୋଗାଇ ଦେବା ଓ ବିଶ୍ୱର ସ୍ବାସ୍ଥ୍ୟ ପର୍ଯ୍ୟଟକ (ହେଳ୍କଥ୍ ଟୁରିଷ୍ଟ) ମାନଙ୍କୁ  ଆମ  ରାଜ୍ୟକୁ  ଆକୃଷ୍ଟ କରିବା ଆମର ଲକ୍ଷ୍ୟ । ତେବେ ଅନେକ କଷ୍ଟ ପରେ ପ୍ରାୟ ୪ ଦଶନ୍ଧି ଧରି ଏହି କ୍ଷେତ୍ରରେ ରହିଛୁ। ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ କ୍ଷେତ୍ର ପ୍ରତି ଧ୍ୟାନ ଦେଉଥିବା ବେଳେ କ୍ଷୁଦ୍ର ଶିଳ୍ପ ଏମଏସଏମଇ ଓ ଆମ ଆୟୁର୍ବେଦ ଉତ୍ପାଦ ପ୍ରସ୍ତୁତକାରୀଙ୍କ ପ୍ରତି  ଦୃଷ୍ଟି ଦେବା ଦରକାର।

ପ୍ରଗତିମୈଦାନ ଠାରେ ଆନ୍ତର୍ଜାତୀୟ ବାଣିଜ୍ୟମେଳାରେ ଭାଗ ନେବା ଅବସରରେ ତତ୍କା ଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ବୈରାଗୀ ଜେନାଙ୍କ ସହ

ପ୍ରଶ୍ନ : ବର୍ତ୍ତମାନ ପ୍ରରିପ୍ରେଖୀରେ  ପାରମ୍ପରିକ ଆୟୁର୍ବେଦକୁ ନେଇ ଆପଣଙ୍କ ବାର୍ତ୍ତା କଣ ରହିବ।

ଉତ୍ତର – ସହଜ ଓ ଶୀଘ୍ର ଉପଶମ ଦେବା ପାଇଁ  ରାସାୟନିକ ଅପମିଶ୍ରଣ ଯେପରି ନହେବ ସେଥି ଲାଗି ଯତ୍ନବାନ ହେବା ସହ ସଠିକ ଦ୍ରବ୍ୟର ବ୍ୟବହାର କରାଯାଇ ପାରମ୍ପରିକ ଆୟୁର୍ବେଦର ମୂଳତତ୍ତ୍ୱ ଅତୁଟ ରଖିବାକୁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। ସମୟ ବଦଳୁଛି କିଛି ବର୍ଷ ଭିତରେ  ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ପ୍ରାଚୀନ ଆୟୁର୍ବେଦ ଔଷଧ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଧିରେ ଧିରେ ସରକାର ତଥା ଜନସାଧାରଣଙ୍କ ଆସ୍ଥା ଭାଜନ ହେବା ସହ ଆଗାମୀ ଦିନରେ ବିଶ୍ଵ ସ୍ବାସ୍ଥ୍ୟ ସେବାର ଏହା ଏକ ପ୍ରମୁଖ ଭୂମିକା ନେବ ଏଥିରେ ସନ୍ଦେହ ନାହିଁ ।

ବେଦ କହେ ବନସ୍ପତୟଃଶାନ୍ତି ….ଔଷଧେୟଃ ଶାନ୍ତି….

ବିଶ୍ୱକୁ ଭାରତର ଅନନ୍ୟ ଅବଦାନ ଆମ ପ୍ରାଚୀନ ପାରମ୍ପରିକ ଆର୍ୟୁବେଦ । ଅଧିକାଂଶ ରାଷ୍ଟ୍ର ବୈଶ୍ବିକ ମହାମାରୀ କରୋନା କାଳରେ ଭାରତୀୟ ଆର୍ୟୁବେଦର ଉପକାରିତାକୁ ଖୁବ୍ ନିବିଡ଼ ଭାବେ ଅନୁଭବ କରିପାରିଛନ୍ତି । ମାତ୍ର ବିଡ଼ମ୍ବନାର ବିଷୟ ସ୍ଵାଧୀନତାର ପରବର୍ତ୍ତୀ ସମୟରେ ଦୀର୍ଘ ବର୍ଷ ଧରି ଆମର ଏହି ସର୍ବ ପ୍ରାଚୀନ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ପଦ୍ଧତିକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇ ନଥିଲା । ତେବେ ଯେଉଁ କେତେକ ଉତ୍ସର୍ଗି କୃତ ସେବା ମନୋଭାବାପନ୍ନ  ବୈଦ୍ୟ ବା କବିରାଜ ଦେଶରେ ଏହି ସର୍ବ ପ୍ରାଚୀନ ଦୁର୍ଲଭ ଚିକିତ୍ସା ପଦ୍ଧତିକୁ ଜନମାନସର କଲ୍ୟାଣ ପାଇଁ ବଞ୍ଚାଇ ରଖିବାରେ ସଫଳ ହୋଇ ଥିଲେ ସେଥି ମଧ୍ୟରେ ଅବିଭକ୍ତ କଟକ ଜିଲ୍ଲା ତଥା ବର୍ତ୍ତମାନର ଜଗତସିଂହପୁର ଜିଲ୍ଲା ବାଇଶି ମୌଜା ମଇଁନ୍ଦିପୁର ଗ୍ରାମର ସୁନାମଧନ୍ୟ କବିରାଜ ଶ୍ରୀ ସୋମନାଥ ଦାଶ ଅନ୍ୟତମ। ସ୍ଵାଧୀନତା ପୂର୍ବ ରାସ୍ତା ଘାଟ ବିହୀନ ନଦୀ ନାଳ ଘେରା  ଦୁର୍ଗମ ଗ୍ରାମାଞ୍ଚଳରେ ଯେତେବେଳେ ଡାକ୍ତରୀ ଚିକିତ୍ସା ଅପହଞ୍ଚ ଥିଲା, ସେତେବେଳ ପାଦରେ ଚାଲି ଚାଲି ମାଇଲ ମାଇଲ ଦୁରରେ ଥିବା ଦୁସ୍ଥ ନିଃସହାୟ ରୋଗୀଙ୍କ ନିକଟରେ ପହଞ୍ଚି ,ନିଜସ୍ୱ ଗବେଷଣା ସିଦ୍ଧ ପାରମ୍ପରିକ ଚିକିତ୍ସା ଯୋଗାଇ ଦେଉ ଥିଲେ।

ତାଙ୍କର ଦୁଇ ପୁତ୍ର ଓ ଏକ ମାତ୍ର କନ୍ୟା ଓ ସମସ୍ତ ପରିବାର ଆୟୁର୍ବେଦ ପାଇଁ ସମର୍ପିତ । ଜ୍ୟେଷ୍ଠ ପୁତ୍ର କବିରାଜ ବିଭୂତି ଭୂଷଣ ଦାଶ  ସୋମନାଥ ଆୟୁର୍ବେଦ ସେବା ସଦନ ମାଧ୍ୟମର ଅନେକ ଦୁର ଦୁରାନ୍ତର ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ ରଖିଛନ୍ତି ।

କନିଷ୍ଠ ପୁତ୍ର ଶିଳ୍ପଦ୍ୟୋଗୀ ଜ୍ଞାନ ରଞ୍ଜନ ଦାଶ ଆର୍ୟୁବେଦ ଔଷଧ ଗବେଷଣା ଓ ପ୍ରସ୍ତୁତି କ୍ଷେତ୍ରରେ ରାଜ୍ୟର ଜଣେ ଜଣା ଶୁଣା ଉତ୍ସର୍ଗୀକୃତ ବ୍ୟକ୍ତି ଭାବେ ପରିଚିତ। ଦୀର୍ଘ ତିରିଶ ବର୍ଷରୁ ଅଧିକ ସମୟ ଧରି ରାଜ୍ୟର ଅଣୁ ଓ କ୍ଷୁଦ୍ର ଶିଳ୍ପ ବିଭାଗ ଅଧିନରେ ଭୁବନେଶ୍ୱରସ୍ଥ ମଞ୍ଚେଶ୍ଵର ଶିଳ୍ପାଞ୍ଚଳ ଠାରେ ଏକ ଆୟୁର୍ବେଦ ଶିଳ୍ପ ବି.ଜି ଫର୍ମାସ୍ୟୁଟିକାଲ୍ସ୍ ପ୍ରତିଷ୍ଠା କରି ଆୟୁର୍ବେଦ ଔଷଧର ପ୍ରସ୍ତୁତି ଓ ଗବେଷଣା କ୍ଷେତ୍ରରେ ନିଜକୁ  ନିୟୋଜିତ କରିଛନ୍ତି । ପିତାଙ୍କ ମାର୍ଗ କୁ ଆପଣାଇ ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକ, ତତ୍କାଳୀନ ଶିଳ୍ପ ସଚିବ  ପଞ୍ଚାନନ ଦାଶ, ବଡଭାଇ କବିରାଜ ବିଭୂତି ଭୂଷଣ ଦାଶ ଓ ଭଉଣୀ ଶ୍ରୀମତୀ କମଳା ଆଚାର୍ଯ୍ୟଙ୍କ ପ୍ରେରଣା ଓ ପରାମର୍ଶକୁ ପୁଞ୍ଜି କରି ଗବେଷଣା କ୍ଷେତ୍ରରେ ପାଇଛନ୍ତି ଅନନ୍ୟ ସଫଳତା । ପିତାଙ୍କ ଦ୍ବାରା ଉଦ୍ଭାବିତ ମୁନି ଋଷିଙ୍କ ଲିଖିତ ପ୍ରାଚୀନ ପୋଥି ସଂଗୃହିତ ଔଷଧକୁ ରାଜ୍ୟ ଓ ରାଜ୍ୟ ବାହାର ଆୟୁର୍ବେଦ ବିଶେଷଜ୍ଞ ମାନଙ୍କ ଦ୍ବାରା ଦୀର୍ଘ ବର୍ଷ ଧରି ବୈଜ୍ଞାନିକ ପଦ୍ଧତିରେ ପରୀକ୍ଷା ନିରୀକ୍ଷା କରିବା ପରେ ଏହା ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ରୀୟ ଆୟୁର୍ବେଦ ଏବଂ ସିଦ୍ଧ ଗବେଷଣା ପରିଷଦର ଏହି ଉତ୍ପାଦିତ ଔଷଧକୁ ଉଚ୍ଚ ପ୍ରଶଂସା କରିବା ସହ, ଔଷଧର ଗୁଣବତ୍ତାକୁ ଶ୍ରେଷ୍ଠ ମାନ୍ୟତା ଦେଇଛନ୍ତି । ଯାହାକି ରାଜ୍ୟରେ ପ୍ରଥମ ଓ ଏକମାତ୍ର ସଂସ୍ଥା ଭାବେ ଏହି ସୁନାମର ଅଧିକାରୀ ହୋଇ ପାରିଛି । ଏହା ପ୍ରମାଣ କରୁଛି ଦେଶର ପ୍ରତିଷ୍ଠିତ ଔଷଧ ନିର୍ମାତାଙ୍କ ଠାରୁ ଆମ ରାଜ୍ୟ ପ୍ରସ୍ତୁତ ଆୟୁର୍ବେଦ ଔଷଧ ଗୁଣବତ୍ତାରେ କୌଣସି କମ୍ ନୁହେଁ । ରାଜ୍ୟରୁ ପ୍ରସ୍ତୁତ ଏହି ଔଷଧ ରାଜ୍ୟ ବାହାରେ ମଧ୍ୟ ଆସ୍ଥା ଭାଜନ ହୋଇପାରିଛି ।

 

Comments are closed.