ସ୍ବାମୀ ନିତ୍ୟାନନ୍ଦଙ୍କ ବିରୋଧରେ ଇଣ୍ଟରପୋଲ୍‌ର ‘ବ୍ଲୁ କର୍ଣ୍ଣର’ ନୋଟିସ

ବେଙ୍ଗାଲୁରୁ : ଫେରାର ଥିବା ବଳାତ୍କାର ଅଭିଯୁକ୍ତ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ନିତ୍ୟାନନ୍ଦଙ୍କୁ ଠାବ କରିବା ପାଇଁ ଇଣ୍ଟରପୋଲ ପକ୍ଷରୁ ‘ବ୍ଲୁ କର୍ଣ୍ଣର ନୋଟିସ’ ଜାରି କରାଯାଇଛି। ଗତ ବର୍ଷଠାରୁ ନିଖୋଜ ଥିବା ନିତ୍ୟାନନ୍ଦ ଭାରତ ଛାଡ଼ି ଇକ୍ଵେଡର, କ୍ୟୁବା କିମ୍ବା ମେକ୍ସିକୋ ଚାଲିଯାଇଥିବା ପୁଲିସ ସନ୍ଦେହ କରୁଛି। ତାକୁ ଠାବ କରିବା ପାଇଁ ଗୁଜରାତ ପୁଲିସ ଇଣ୍ଟରପୋଲ୍‌ର ସହାୟତା ଲୋଡ଼ିଛି। ଇଣ୍ଟରପୋଲ ନିତ୍ୟାନନ୍ଦଙ୍କ ଅବସ୍ଥାନ ଓ କାର୍ଯ୍ୟକଳାପ ସମ୍ପର୍କରେ ଅନୁସନ୍ଧାନ କରୁଛି। ଗତ ବର୍ଷ ନିତ୍ୟାନନ୍ଦଙ୍କ ଦ୍ବାରା ପରିଚାଳିତ ଅହମ୍ମଦାବାଦସ୍ଥିତ ସ୍କୁଲରେ ଅଧ୍ୟୟନ କରୁଥିବା କର୍ଣ୍ଣାଟକର ଦୁଇ ବାଳିକା ନିଖୋଜ ହେବା ପରେ ନଭେମ୍ବରରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଓ ଏହା ପରଠାରୁ ସେ ଜାଲ୍‌ ପାସପୋର୍ଟ ବଳରେ ଭାରତ ଛାଡ଼ି ପଳାଇଥିବା ପୁଲିସ କହିଛି। ଏହି ପରିପ୍ରେକ୍ଷୀରେ ଗୁଜରାତ ଓ କର୍ଣ୍ଣାଟକ ପୁଲିସ ଏବଂ ଇଣ୍ଟରପୋଲ ପକ୍ଷରୁ ପୂର୍ବରୁ ନିତ୍ୟାନନ୍ଦଙ୍କ ବିରୋଧରେ ‘ରେଡ୍‌ କର୍ଣ୍ଣର’ ନୋଟିସ ଜାରି କରାଯାଇଛି। ଏଥିରେ ତାଙ୍କୁ ପାଇବା ମାତ୍ରେ ଗିରଫ କରିବା ନିର୍ଦେଶ ରହିଛି। ନିତ୍ୟାନନ୍ଦଙ୍କର ଦୁଇ ସହଯୋଗୀ ସାଧ୍ବୀଙ୍କୁ ପୁଲିସ ଗତ ମାସରେ ଗିରଫ କରିଛି। ତାମିଲନାଡୁର ଏହି ବିବାଦୀୟ ସନ୍ନ୍ୟାସୀଙ୍କ ନାମରେ ନାନା କେ​‌ଳେଙ୍କାରୀ ରହିଛି। ସେ ଭାରତରୁ ପଳାୟନ କରିବା ପରେ ଇକ୍ଵେଡରର ଏକ ଦ୍ବୀପରେ ନିଜସ୍ବ ହିନ୍ଦୁ ରାଷ୍ଟ୍ର ‘କୈଳାସ’ ପ୍ରତି​‌ଷ୍ଠା କରିଥିବା କୁହାଯାଉଛି। ଏହି ରାଷ୍ଟ୍ରର କୌଣସି ସୀମା ନ ଥିବା ଓ ନିତ୍ୟାନନ୍ଦଙ୍କ ଦ୍ବାରା ଏହା ହିନ୍ଦୁମାନଙ୍କର ନିଜସ୍ବ ରାଷ୍ଟ୍ର ଭାବେ ଘୋଷିତ ହୋଇଥିବା ସୂଚନା ମିଳିଛି। ଇକ୍ଵେଡର ସରକାର ଏଭଳି ରାଷ୍ଟ୍ରକୁ ଅସ୍ବୀକାର କରିଥିବାବେଳେ ନିତ୍ୟାନନ୍ଦ ହାଇତିରେ ଥିବା ସନ୍ଦେହ କରାଯାଉଛି।

Comments are closed.