ଆଜି ବିଶ୍ୱ ମହିଳା ଦିବସ

ପ୍ରେରଣାର ଉତ୍ସ ବୁଲେଟ ରାଣୀ
ପୁରୁଷଙ୍କ ଭଳି ବୁଲେଟ ଚଳାଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ରିନୁ ଡାକୁଆ। ଅପରାଧୀଙ୍କୁ ପାନେ ଚଖାଇବାରେ ସେ ସକ୍ଷମ ହୋଇଛନ୍ତି। ଅପରାଧୀ ଯେତେବି ବଳବାନ ହୋଇଥିଲେ ସୁଦ୍ଧା ମହିଳାମାନେ ଚାହିଁଲେ ତା’ର ମୁକାବିଲା କରିପାରିବେ। ନିକଟରେ ରାଜଧାନୀରେ ଲୁଟିଆଙ୍କ ସହ ଲଢ଼ି ସେ ଜଣଙ୍କୁ କାବୁ କରିବା ସହ ନିଜ ମୋବାଇଲ ଫୋନ୍‌ ଛଡ଼ାଇ ଆଣିବାରେ ସକ୍ଷମ ହୋଇଛନ୍ତି। ବୁଲେଟ ରାଣୀ ରିନୁଙ୍କ ଅଦମ୍ୟ ସାହସ ଯୋଗୁଁ ସେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ଗଞ୍ଜାମ ଜିଲାରେ ରିନୁଙ୍କ ଘର। ବାପା ଓ ଦାଦାଙ୍କର ଗ୍ୟାରେଜ ଥିବାରୁ ରିନୁ ଛୋଟବେଳୁ ଗାଡ଼ି ଚଳାଇବା ପାଇଁ ଆଗ୍ରହୀ ହୋଇ ପଡ଼ିଥିଲେ। ଛୋଟ ବେଳେ ବାଇକ୍‌ ଚଳାଇବା ପ୍ରତି ତାଙ୍କର ଦୁର୍ବଳତା ଥିଲା। ଯୁକ୍ତ ଦୁଇ ପାଠପଢ଼ା ଶେଷ ପରେ ରିନୁ ରାଜଧାନୀରେ ଥିବା ଦାଦାଙ୍କ ଘରେ ରହୁଥିଲେ। ସହିଦନଗରରେ ଏକ ଘରୋଇ କମ୍ପାନୀରେ ଚାକିରି କରିବା ଆରମ୍ଭ କରିଥିଲେ। ଯାତାୟାତ ପାଇଁ ସେ ସ୍କୁଟି ବଦଳରେ ଏକ ବୁଲେଟ କିଣିଥିଲେ। ୩ବର୍ଷ ଧରି ସେ ରାଜଧାନୀରେ ବୁଲେଟ ଚଳାଉଥିଲେ। ଗତ କିଛିଦିନ ତଳେ ରିନୁ କାର୍ଯ୍ୟସ୍ଥଳରୁ ଘରକୁ ଫେରୁଥିବା ବେଳେ ଦୁଇ ଲୁଟିଆ ରିନୁଙ୍କ ମୋବାଇଲ ଫୋନ୍‌ ଛଡ଼ାଇ ନେଇଥିଲେ। ରିନୁ ସେମାନଙ୍କ ପିଛା କରି ବୁଲେଟ ପଛରେ ଥିବା ଯୁବକକୁ ଟାଣି ତଳେ ପକାଇ ଦେଇଥିଲେ। ଏହାପରେ ଲୁଟିଆଙ୍କ ସହିତ ଲ‌େ‌ଢ଼ଇ କରି ନିଜେ ଲହୁ ଲୁହାଣ ହୋଇ ନିଜ ମୋବାଇଲ ଫୋନ୍‌ ଛଡ଼ାଇ ଆଣିବା ସହିତ ଜଣଙ୍କୁ ପୁଲିସ ହେପାଜତରେ ଦେଇଥିଲେ। ରିନୁଙ୍କର ଏଭଳି ସାହସ ଯୋଗୁଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ମହିଳା ଆୟୋଗ ଅଧ୍ୟକ୍ଷା ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ପ୍ରତିଟି ମହିଳା ନିଜକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରିବାର ଆବଶ୍ୟକତା ରହିଛି। ନିଜର ସାହସ ବଳରେ ସବୁ ପରିସ୍ଥିତିର ମୁକାବିଲା କରିହେବ ବୋଲି ରିନୁ କହିଛନ୍ତି।

ଘରୁ ଗୋଡ଼ କାଢ଼ି ସ୍ବାବଲମ୍ବୀ
କରୋନା କାଳରେ ଗ୍ରାମ୍ୟ ଅର୍ଥନୀତି ବିପର୍ଯ୍ୟସ୍ତ ସତ୍ତ୍ବେ ନିଷ୍ଠା ଓ ଦକ୍ଷତା ବଳରେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ମହିଳା ଗୋଷ୍ଠୀ। ଜଣେ କି ଦୁଇଜଣ ନୁହଁନ୍ତି ଗାଁର ଏକାଧିକ ମହିଳା ଶ୍ରମଦାନ କରି ହୋଇପାରିଛନ୍ତି ସ୍ବାବଲମ୍ବନଶୀଳ। ଏଥିପାଇଁ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରୀ ଗାଁକୁ ଆତ୍ମନିର୍ଭରଶୀଳ ଗାଁ ଭାବେ ବିବେଚନା କରାଯାଉଛି।

ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି ଗାଁ ଆତ୍ମନିର୍ଭରଶୀଳ ହେବାରେ ଗୋଟିଏ ପାଦ ଆଗରେ। ରାଜ୍ୟ ସରକାରଙ୍କ ମିଶନ ଶକ୍ତିର ପରାକାଷ୍ଠାର ଛାପ ପଡିଛି ଏହି ଗାଁରେ। ଦିନ ଥିଲା ଏହି ଗ୍ରାମର ମହିଳାମାନେ ଘରର ଚାରିକାନ୍ଥ ମଧ୍ୟରେ ରହୁଥିଲେ। ଘରୁ ବାହାରକୁ ଯାଇ ନିଜେ ରୋଜଗାର କରିବା ଅସମ୍ଭବ ହେଉଥିଲା। ଏବେ ସମୟ ବଦଳିଛି। ମହିଳା ନିଜେ କିଛି ରୋଜଗାର କରି ପାରୁଛନ୍ତି। ସାନଖେମୁଣ୍ଡି ବ୍ଲକରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଇବା ପାଇଁ ୩୩ ଜଣଙ୍କୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଥିଲା। ଏମାନଙ୍କୁ ନେଇ ଟେଇଲରିଂ ୟୁନିଟ କରାଯାଇଛି । ଡ୍ରେସ୍ ସିଲାଇ କରି ଜଣେ ଜଣେ ମହିଳା ଦୁଇ ମାସରେ ଷୋହଳ ହଜାର ଟଙ୍କା ରୋଜଗାର କରିପାରିଛନ୍ତି। ପୁଣି ସେମାନଙ୍କୁ ଏବେ ମିଳିଛି ପୋଡାମାରି ପଞ୍ଚାୟତରେ ଥିବା ବିଦ୍ୟାଳୟର ପୋଷାକ ସିଲାଇବା ଦାୟିତ୍ୱ।

ଏସବୁ ସମ୍ଭବ ହୋଇଛି ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ, ସାନଖେମୁଣ୍ଡି ବ୍ଲକ ବିଡିଓ ଗାୟତ୍ରୀ ଦତ୍ତ ନାୟକ ଓ ପଞ୍ଚାୟତ ସରପଞ୍ଚ ଭାଗ୍ୟଶ୍ରୀ ବିଷୋୟୀଙ୍କ ଅକୁଣ୍ଠ ସହଯୋଗ। ସେଠିକାର ଅଙ୍ଗନବାଡି କର୍ମୀଙ୍କ ସହଯୋଗରେ ମହିଳା ଗୋଷ୍ଠୀ ବେଶ ଆତ୍ମନିର୍ଭରଶୀଳ ହୋଇଥିବା କହିଛନ୍ତି ସାମାଜିକକର୍ମୀ ଟିକି ବିଷୋୟୀ, ଜୟ ବଜରଙ୍ଗୀ ମହିଳା ଗ୍ରୁପର ସଭାନେତ୍ରୀ ମଧୁମିତା ପ୍ରଧାନ, ସମ୍ପାଦିକା ସରିତାକୁମାରୀ ପ୍ରଧାନ। ଯେଉଁ ମହିଳାମାନେ ସିଲାଇ କରିବା ଶିଖି ନଥିଲେ ସେମାନେ ଶିଖି ବେଶ ଦୁଇପଇସା ରୋଜଗାର କରୁଛନ୍ତି। କେବଳ ମହିଳା ନୁହଁନ୍ତି କିଛି ଶିକ୍ଷିତ ଯୁବତୀ ମଧ୍ୟ ସାମିଲ୍ ହୋଇଛନ୍ତି। ଏହାସହ ପୋଡାମାରି ଚୈତନ୍ୟ ବିଦ୍ୟାପୀଠରେ ଦଶଜଣ ମହିଳା ରୋଷେଇ କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଦଶ ଜଣ ମହିଳା ଝାଡୁ ତିଆରି କରି ଗଂଜାମ ଜିଲାର ତିନି ଗୋଟି ଏନଏସିକୁ ଯୋଗାଇ ବେଶ ଉପାର୍ଜନକ୍ଷମ ହୋଇପାରିଛନ୍ତି। ଜିଲା ପ୍ରଶାସନ ସହାୟତାରେ ବୋଲି ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି ଶ୍ରୀ ଜଗନ୍ନାଥ ମହିଳା ଗ୍ରୁପ ସଭାନେତ୍ରୀ ସଂଗୀତା ଦାସ, ସମ୍ପାଦିକା ଭାଗ୍ୟଲତା ଦାସ। ଆତ୍ମନିର୍ଭରଶୀଳ ପଛରେ ରହିଛି ମହିଳାଙ୍କ ଆଗ୍ରହ ଓ ନିଷ୍ଠା। ଘର କାମ କରିବା ସହ ସମୟର ସଦୁପଯୋଗ କରିପାରୁଥିବା ଏହି ମହିଳାଙ୍କ ଲକ୍ଷ୍ୟ ରହିଛି ଆଗକୁ ବଢିବା ଓ ବଢାଇବା।

କରୋନା କଲା ଆତ୍ମନିର୍ଭରଶୀଳ
ନାରୀ ଅବଳା କି ଦୁର୍ବଳା ନୁହେଁ। ସୁଯୋଗ ମିଳିଲେ ପୁରୁଷଙ୍କ ଭଳି ସବୁକିଛି କରିପାରନ୍ତି। ଏହା ବେଶ ପ୍ରମାଣିତ ମଧ୍ୟ। ମହିଳାମାନେ ଅନ୍ୟ ଉପରେ ନିର୍ଭରଶୀଳ ବୋଲି ଯାହା କୁହାଯାଉଛି ତାକୁ ଭୂଲ ପ୍ରମାଣିତ କରିଛନ୍ତି ଜଣେ ନିପଟ ମଫସଲର ଝିଅ। ଯେତେବେଳେ ମହାମାରୀ କରୋନାରେ କବଳରେ ସାରାବିଶ୍ୱ ଆଉଟୁ ପାଉଟୁ ହୋଇ ଲକଡାଉନ, ସଟଡାଉନ ଚାଲିଥିଲା, ସେତେବେଳେ କାମଧନ୍ଦା କଥା ତ ଦୂରର କଥା ଲୋକେ ଘରୁ ବାହାରିବା କଷ୍ଟକର ବ୍ୟାପାର ହୋଇ ପଡିଥିଲା। ପରିବାର ପ୍ରତିପୋଷଣ ପାଇଁ ସମସ୍ତେ ଚିନ୍ତାରେ ଥିଲେ। ସେତେବେଳେ ଜଣେ ଗ୍ରାଜୁଏଟ ଝିଅ ନିଜ ଗୋଡ଼ରେ ନିଜେ ଛିଡା ହେବାକୁ ପ୍ରୟାସ ଆରମ୍ଭ କରିଥିଲା। ଗ୍ରାମର ଜଣେ ଉଦ୍ୟୋଗୀଙ୍କଠାରୁ ପ୍ରେରଣା ପାଇ ନିଜ ଘରେ ଏକ ଧୂପକାଠି ମେସିନ ବସାଇ ପ୍ରସ୍ତୁତି କଲେ ଧୂପକାଠି। ବାପାଙ୍କଠାରୁ ଲକ୍ଷେ ଦଶ ହଜାର ନେଇ ଭୁବନେଶ୍ୱରରୁ କିଣିଲେ ଏକ ମେସିନ । ଗ୍ରାମର ଜଣେ ସହଯୋଗୀ ଯୋଗାଇ ଦିଅନ୍ତି କଞ୍ଚାମାଲ। ନିଜର ଦୈନନ୍ଦିନ କାର୍ଯ୍ୟ ଓ ଘରକାମ ସାରି ସକାଳ ୧୦ଟା ହେଲେ ଆରମ୍ଭ କରନ୍ତି ଏହି ମେସିନ। ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥାଏ କାମ। ୫ରୁ ୭ ଘଣ୍ଟା ଯାଏଁ ପ୍ରସ୍ତୁତ କରନ୍ତି ଧୂପକାଠି। ଦିନକୁ ସେ ୧୫ ରୁ ୧୮ କିଲୋ ଧୂପକାଠି ପ୍ରସ୍ତୁତ କରନ୍ତି। ପ୍ରସ୍ତୁତ ଧୂପକାଠି ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦିଅନ୍ତି ସୁଗନ୍ଧିତ ଓ ପ୍ୟାକେଟ କରିବା ପାଇଁ।

ଏବେ ସେ ଦୈନିକ ୪୦୦ରୁ ୫୦୦ ଟଙ୍କା ରୋଜଗାର କରି ଅନ୍ୟ ଉପରେ ନିର୍ଭର ନକରି ନିଜ ଗୋଡ଼ରେ ନିଜେ ଛିଡା ହୋଇପାରିଛନ୍ତି। ଏପରି ଜଣେ ସଫଳ କ୍ଷୁଦ୍ର ଉଦ୍ୟୋଗୀ ହେଉଛନ୍ତି କାଜଲ ଗୌଡ଼। ବୟସ ପାଖାପାଖି ୨୦ ବର୍ଷ। ଘର ଗଞ୍ଜାମ ଜିଲା ଚିକିଟି ବ୍ଲକ ଲାଲମେଣ୍ଟା ଗ୍ରାମରେ। ସେ ବମକେଇ କଲେଜରୁ ଯୁକ୍ତତିନିରୁ ଉତ୍ତୀର୍ଣ୍ଣ ପରେ ନେଇଛନ୍ତି ଏପରି ନିଷ୍ପତ୍ତି ଓ ସଫଳ ବି ହୋଇଛନ୍ତି । ସେ ଅନ୍ୟ ଝିଅଙ୍କ ପାଇଁ ସାଜିଛନ୍ତି ଉଦାହରଣ। କେବଳ କାଜଲ ନୁହନ୍ତି, ଏହି ଗ୍ରାମରେ ଆଉଜଣେ ଯୁବକ ମଧ୍ୟ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ସେହି ଅଗରବତୀ ଉଦ୍ୟୋଗ କରି। ସେ ହେଉଛନ୍ତି ପଦ୍ମଲୋଚନ ପ୍ରଧାନ। ବୟସ ପାଖାପାଖି ୨୫ ବର୍ଷ। ମାଟ୍ରିକ ପରେ ସେ ଭୁବନେଶ୍ୱର ଯାଇ ଅଗରବତୀ ପ୍ରସ୍ତୁତି କୌଶଳ ତାଲିମ ନେଇ ଘରକୁ ଆସି ନିଜ ଉଦ୍ୟମରେ ଆରମ୍ଭ କଲେ ଏହି ଉଦ୍ୟୋଗ। ୭ବର୍ଷ ହେଲା ସେ ପ୍ରସ୍ତୁତ କରୁଛନ୍ତି ଧୂପକାଠି। ସେ ଏହି କ୍ଷୁଦ୍ରଶିଳ୍ପ କରି ମାସିକ ୩୦ ହଜାରରୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି। ଏଥିପାଇଁ ଉଭୟ ଉଦ୍ୟୋଗୀ କୌଣସି ବ୍ୟାଙ୍କ କିମ୍ବା ଘରୋଇ ଋଣ କରିନାହାନ୍ତି । ନିଜସ୍ୱ ଖର୍ଚ୍ଚରେ ଆରମ୍ଭ କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି। ଯଦି ସରକାରଙ୍କର କୋୖଣସି ଯୋଜନାରେ ସହଯୋଗ ମିଳିଲେ ଏହି ଶିଳ୍ପରେ ଆହୁରି ଅନେକ ସାମିଲ ହୋଇ ସ୍ୱାବଲମ୍ବୀ ହୋଇପାରିବେ ଏଥିରେ ଦ୍ବିମତ ନାହିଁ।

ସଫଳ ମହିଳା ଲେମନ୍‌ଗ୍ରାସ୍‌ ଚାଷୀ ପ୍ରେମା
ଦିନେ ଘରଣୀ ସାଜି ସଂସାର କରିବାକୁ ଆସି ସଂସାରର ସବୁଯାକ ବୋଝ ମୁଣ୍ଡାଇବାକୁ ପଡ଼ିବ ଏକଥା ସ୍ୱପ୍ନରେ କେବେ ବି ଭାବି ନ ଥିଲେ ପ୍ରେମା। ସ୍ବାମୀ ନରେନ୍ଦ୍ର କୋଣ୍ଡାଗିରି ରାୟଗଡ଼ା ବ୍ଲକ ଗାଜିଗାଁ ପଞ୍ଚାୟତର ଜଙ୍ଗେଶୁ ଗ୍ରାମରେ ଘର। ବିବାହର କିଛିଦିନ ପରେ ପ୍ରେମାର ସଂସାରରେ ଚଡ଼କ ପଡ଼ିଲା। ଏକ ଦୁର୍ଘଟଣାରେ ସ୍ବାମୀ ନରେନ୍ଦ୍ରଙ୍କ ଦୁଇ ହାତ କଟିଗଲା। ଫଳରେ ସୁଖଦୁଃଖରେ ଚାଲୁଥିବା ସଂସାର ଉପରେ ଆର୍ଥିକ ସଙ୍କଟର କଳା ବାଦଲ ଘୋଟି ଆସିଲା। ପୂର୍ବରୁ ତିଆରି ହୋଇଥିବା ଘର ପାଇଁ ଋଣ ବୋଝ ଓ ଦୁଇଟି ପିଲାର ଲାଳନପାଳନ ପାଇଁ ପାଇଁ ଆର୍ଥିକ ଚିନ୍ତାରେ ମ୍ରିୟମାଣ ହୋଇ ପଡ଼ିଥିଲା ବେଳେ ସ୍ବାମୀଙ୍କ ଏହି ଅବସ୍ଥା ଚିନ୍ତାକୁ ଆହୁରି ଦୁଇଗୁଣ କରିଦେଲା। ଦୁର୍ଘଟଣା ଜୀବନର ଗତିପଥ ବଦଳାଇବା ସଙ୍ଗେ ସଙ୍ଗେ ସ୍ବାମୀଙ୍କୁ ଦିବ୍ୟାଙ୍ଗର ପରିଚୟ ଦେଲା।

ତଥାପି ଭାଙ୍ଗି ନ ପଡ଼ି ପ୍ରେମା ନିଜର ଅସୀମ ଧର୍ଯ୍ୟ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ବହୁଦିନ ଧରି ପଡିଆ ପଡ଼ିଥିବା ଗୋଚର ଜମିରେ ଲେମନ ଗ୍ରାସ ଚାଷ କରିବା ପାଇଁ ମନ ବଳାଇଲେ। ବହୁ କଷ୍ଟରେ କିଛି ଟଙ୍କା ଯୋଗାଡ଼ କରି ଜମିରେ ଚାଷ ଆରମ୍ଭ କଲେ। କ୍ରମେ ଏହି ଚାଷ ତାଙ୍କର ଅର୍ଥାଭାବକୁ ଦୂର କରିବାରେ ସଫଳ ହେଲା। ବର୍ଷ ତମାମ ଏହି ଚାଷ ଉପରେ ନିର୍ଭର କରି ନିଜର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିପାରିଛନ୍ତି ବୋଲି କହିଛନ୍ତି ପ୍ରେମା। ୧୮ବର୍ଷ ବିତିଯାଇଥିଲେ ମଧ୍ୟ ନିଜ ସ୍ବାମୀଙ୍କୁ କେବେ ବି ଅବହେଳା କରି ନାହାନ୍ତି। ପିଲାଙ୍କ ପ୍ରତି ଯଥାସମ୍ଭବ କର୍ତ୍ତବ୍ୟ କରିଛନ୍ତି ବୋଲି କହିଛନ୍ତି ପ୍ରେମା। ବଡ଼ପୁଅ ରାୟଗଡ଼ା କଲେଜରେ ପାଠ ପଢୁଥିଲା ବେଳେ ସାନପୁଅ ସ୍ଥାନୀୟ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଛି। ସଂସାର ବୋଝକୁ ମୁଣ୍ଡାଇ ଜୀବନଯୁଦ୍ଧରେ ଏକାକୀ ଚାଲୁଥିବା ପ୍ରେମା ଆଜି ମହିଳା ସମାଜ ପାଇଁ ଉଦାହରଣ ପାଲଟିଛନ୍ତି।

Comments are closed.