ଅନ୍ତର୍ଜାତୀୟ ମହିଳା ଦିବସ : ପରିଶ୍ରମ, ଇଚ୍ଛାଶକ୍ତି ଦ୍ୱାରା ପ୍ରତିଷ୍ଠା ଲାଭ କରିପାରିଛି ନାରୀ

ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଦିନ ସାରା ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ପ୍ରତି ସମ୍ମାନ, ପ୍ରଶଂସା ଓ ସ୍ନେହ ପ୍ରଦାନ ପୂର୍ବକ ମହିଳାଙ୍କୁ ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନିତ କରିବା ଉଚିତ। ସଂସ୍କୃତରେ ଏକ ଶ୍ଲୋକ ରହିଛି ଯାହାର ଅର୍ଥ ଯେଉଁଠାରେ ନାରୀଙ୍କୁ ସର୍ବଦା ସମ୍ମାନ ଓ ସ୍ନେହ ପ୍ରଦାନ କରାଯାଏ ସେଠାରେ ଦେବତା ବାସ କରିଥାଆନ୍ତି।
ମାଆ ଅର୍ଥାତ ମାତାଙ୍କ ରୂପରେ ନାରୀ। ପୃଥବୀରେ ନିଜର ଏହି ପବିତ୍ର ରୂପରେ ପରିଚିତ ନାରୀ। ମା’ ଅର୍ଥାତ ଜନନୀ। ମାଆଙ୍କୁ ଈଶ୍ୱର ଠାରୁ ବଡ଼ ବୋଲି ମଧ୍ୟ ବିବେଚନା କରାଯାଏ। ତେଣୁ ପ୍ରତ୍ୟେକ ପିଲାମାନେ ନିଜ ମାଆଙ୍କୁ ସର୍ବଦା ଉପଯୁକ୍ତ ସମ୍ମାନ ଦେବା ଆବଶ୍ୟକ।
ଧିରେ ଧିରେ ପରିସ୍ଥିତି ସହ ସବୁକିଛି ବଦଳୁଛି। ପୂର୍ବରୁ ନାରୀଙ୍କ ସ୍ୱତନ୍ତ୍ରତା ଉପରେ ବହୁ କଟକଣା ରହିଥିଲା। ମାତ୍ର ବର୍ତ୍ତମାନ ସମୟରେ ନାରୀ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ। ।  ଆଜି ନାରୀ ନିଜର ପରିଶ୍ରମ, ଇଚ୍ଛାଶକ୍ତି ଦ୍ୱାରା ନିଜକୁ ପ୍ରତିଷ୍ଠା କରାଇପାରିଛି। ତାଙ୍କର ଏହି ପ୍ରତିଭାକୁ ସର୍ବଦା ସମ୍ମାନ କରିବା ଉଚିତ। ତାଙ୍କର ଇଚ୍ଛା ଶକ୍ତି , କାର୍ୟ୍ୟ ଦକ୍ଷତା ଓ ବିଭିନ୍ନ କଷଟି ପଥରେ ଅତିକ୍ରମ କରି ସଫଳତା ପ୍ରାପ୍ତି , ଏହି କାରଣରୁ ହିଁ ସଭିଁଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟି ଥାଆନ୍ତି।
ଇତିହାସ ନାରୀମାନଙ୍କ ବୀରତ୍ୱ , କାର୍ୟ୍ୟନିପୁଣତା , ସେବା , ଧୈର୍ୟ୍ୟର ସାକ୍ଷୀ । ଝାନ୍ସିରାଣୀ ଲକ୍ଷ୍ମୀବାଈ, ସରୋଜିନୀ ନାଇଡୁଙ୍କ ଠାରୁ ଆରମ୍ଭ କରି ଇନ୍ଦିରା ଗାନ୍ଧୀ , କଳ୍ପନା ଚାୱଲା ପିଟୀ ଉଷା, କିରଣ ବେଦୀ ଭଳି ମହିଳାମାନେ ନିଜ କ୍ଷମତାକୁ ସୂଚାରୁ ରୂପେ ପ୍ରଦର୍ଶନ କରିଛନ୍ତି। କିଏ ଆକାଶର ତ କିଏ ରାଜନୀତିର ଉଚ୍ଚତାକୁ ଛୁଇଁଛି। ତେଣୁ ଏହି ପବିତ୍ର ଦିନରେ ସେଭଳି ମହିୟସୀ ମହିଳାଙ୍କୁ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଦ୍ୱାରା ଆମ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ। କାରଣ ତାଙ୍କର ଚିର ସ୍ମରଣୀୟ ବଳିଦାନ ସର୍ବଦା ଆମକୁ ପ୍ରେରଣା ଦେବା ସହ ଆମ ଆତ୍ମବିଶ୍ୱାସକୁ ଦୃଢ କରିଥାଏ। ସେମାନଙ୍କ ଗଭୀର ଆତ୍ମବିଶ୍ୱାସ ଓ କାର୍ୟ୍ୟ ଦକ୍ଷତା ହେତୁ ସେମାନେ ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ କରିଛନ୍ତି।
ସମ୍ପୂର୍ଣ୍ଣ ବିଶ୍ୱରେ ମହିଳାମାନଙ୍କୁ ଉଚିତ ସମ୍ମାନ ଦେବା ନିମନ୍ତେ ହିଁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ। ବିତିଯାଇଥିବା ବର୍ଷରେ ସମୟ ସହ ଲୋକଙ୍କ ଚିନ୍ତାଧାରା ମଧ୍ୟ ବଦଳିଛି। ବର୍ତ୍ତମାନର ସମୟରେ ମହିଳାମାନେ ମଧ୍ୟ ପୁରୁଷଙ୍କ ସହ ସମାନ। ଏହା ସହ ବିଭିନ୍ନ କ୍ଷେତ୍ରରେ ସେ ନିଜର ପାରଦର୍ଶିତା ଦେଖାଇପାରିଛନ୍ତି। ଏବେ ପ୍ରତ୍ୟେକ ଘରେ କନ୍ୟାର ଶୀଘ୍ର ବିବାହ କରିବା ପରିବର୍ତ୍ତେ ଶିକ୍ଷାକ୍ଷେତ୍ରରେ ଆଗେଇବା ପାଇଁ ପ୍ରେରଣା ଦିଆଯାଉଛି। ମାତ୍ର ଆଜି ମଧ୍ୟ କେତେକ ସ୍ଥାନ ଏପରି ରହିଛି ଯେଉଁଠାରେ ନାରୀଙ୍କୁ ଉଚିତ ସମ୍ମାନ ମିଳିବା ପରିବର୍ତ୍ତେ ସେଠାରେ କିଛି ଲୋକଙ୍କ କୁଚିନ୍ତାଧାରା ହେତୁ ମହିଳାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଆଜି ମଧ୍ୟ ଭ୍ରୁଣ ହତ୍ୟା ହେଉଛି, ଯୌତୁକର ଯୁଇରେ ନାରୀ ଜଳୁଛି। ଏଭଳି ଘଟଣା ଓ କୁଚିନ୍ତାଧାରା ବଦଳିବା ନିଶ୍ଚିତ ଆବଶ୍ୟକ। ଯେଉଁ ନାରୀମାନେ ପରିସ୍ଥିତିର ଅନ୍ଧାର ଭିତରେ ଛନ୍ଦି ହୋଇ ରହିଛନ୍ତି, ସେମାନେ ଆଲୋକକୁ ଆସିବା ଅପରିହାର୍ୟ୍ୟ। ଆଜି ମଧ୍ୟ ନାରୀ ନିଜ ସମ୍ମାନ ପାଇଁ ଳଢି ଚାଲିଛି।
ନାରୀ ହିଁ ଆମ ଦେଶର ଗୌରବ। ତେଣୁ ନାରୀଙ୍କ ସମ୍ମାନ ଅପରିହାର୍ୟ୍ୟ ଅଟେ। ସମଗ୍ର ବିଶ୍ୱର ବିକାଶ ପାଇଁ ନାରୀଙ୍କ ବିକାଶ ଓ ଉନ୍ନତିର ପ୍ରମୁଖ ଧାରା ସହ ଜଡ଼ିତ ହେବା ଆବଶ୍ୟକ। ମହିଳାଙ୍କ ସ୍ଥିତି ସମାଜରେ ଯେତେ ମହତ୍ତ୍ୱପୂର୍ଣ୍ଣ, ସମ୍ମାନଜନକ ସକ୍ରିୟ ହେବ ଦେଶ ସେତେ ଉନ୍ନତ ଓ ମଜଭୂତ ହେବ।

Comments are closed.