MEllora 950×100

ରୁଷ୍‌-ୟୁକ୍ରେନ ଯୁଦ୍ଧ: ମଲେଣି ୧୮,୦୦୦ ନାଗରିକ

ଜାତିସଂଘ: ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧରେ ପ୍ରାୟ ୧୮,୦୦୦ ସାଧାରଣ ନାଗରିକ ପ୍ରାଣ ହରାଇଲେଣି। ଜାତିସଂଘ ମାନବାଧିକାର ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ପ୍ରକାଶିତ ରିପୋର୍ଟରେ ଏହା ଦର୍ଶାଯାଇଛି। ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ୧୧ମାସ ପୂରଣ ହୋଇଛି। ଜାନୁଆରୀ ୩ ତାରିଖ ସୁଦ୍ଧା ଏହି ଯୁଦ୍ଧରେ ୧୮,୩୫୮ ସାଧାରଣ ନାଗରିକ ପ୍ରାଣ ହରାଇଥିବାବେଳେ ୧କୋଟି ଲୋକଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ସଂଗୃହୀତ ତଥ୍ୟ ତୁଳନାରେ ବାସ୍ତବ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବ। ୟୁକ୍ରେନ ଡୋନେକ୍ସ ଅଞ୍ଚଳର ମାରିଓପୋଲ, ଖାରକିଭ୍ ଅଞ୍ଚଳର ଇଜିୟମ୍, ଲୁହାନସ୍କ ଅଞ୍ଚଳର ଲିସିଚାନସ୍କ, ପୋପାସନା, ସିଭିରୋଡୋନେକ୍ସ ଅଞ୍ଚଳରେ ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି। ଆକାଶ ମାର୍ଗରୁ ରୁଷ୍ ସେନାର ବୋମା ଓ ରକେଟ୍ ମାଡ ଯୋଗୁଁ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଛି। ୟୁକ୍ରେନ ସେନାର ଆକ୍ରମଣରେ ମଧ୍ୟ ଅନେକ ରୁଷ୍ ନାଗରିକ ପ୍ରାଣ ହରାଇଛନ୍ତି। ତେବେ ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ଯୁଦ୍ଧରେ ଦୁଇଦେଶର ପ୍ରାୟ ୧ ଲକ୍ଷ ସୈନ୍ୟ ପ୍ରାଣ ହରାଇଲେଣି। ୟୁକ୍ରେନ ସୈନ୍ୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଜାନୁଆରୀ ୧୭ ତାରିଖ ସୁଦ୍ଧା ୧,୧୬,୯୫୦ ଜଣ ସୈନିକ ପ୍ରାଣ ହରାଇଲେଣି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବୀକାର ଅନୁଯାୟୀ ଯୁଦ୍ଧରେ ତାଙ୍କର ୬୦୦୦ ସୈନିକ ପ୍ରାଣ ହରାଇଲେଣି। ୨୦୨୨ ଜାନୁଆରୀ ୨୪ରେ ରୁଷ୍ ଓ ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଥିଲା।

Comments are closed.