ଯୁଦ୍ଧକୁ ପୂରିଲା ୬୦ ଦିନ; ସମାଧାନରେ ବିଶ୍ବ ବିଫଳ

କିଭ୍‍: ରୁଷ୍‍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୬୦ଦିନ ବା ୨ମାସ ପୂରଣ ହୋଇଛି। ​‌ଫେବୃଆରୀ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଅବସାନ ପାଇଁ ଅନେକ ବାର ଶାନ୍ତି କଥାବାର୍ତ୍ତା ହୋଇଥିଲେ ମଧ୍ୟ ଏଥିରୁ ସମାଧାନର ସୂତ୍ର ବାହାରି ପାରି ନାହିଁ। ଯୁଦ୍ଧ କେବେ ଅନ୍ତ ଘଟିବ ବା ଏହାର ସମାଧାନ ସୂତ୍ର କିପରି ବାହାରିବ ତାର କୌଣସି ସୁରାକ ମିଳିପାରୁ ନାହିଁ। ଯୁଦ୍ଧରେ ଦୁଇଦେଶର ପ୍ରତ୍ୟକ୍ଷ କ୍ଷତିର ସମ୍ମୁଖୀନ ହୋଇ ଚାଲିଥିବାବେଳେ ବିଶ୍ବର ଅନ୍ୟାନ୍ୟ ରାଷ୍ଟ୍ର ଏଥିରେ ପରୋକ୍ଷ ପ୍ରଭାବିତ ହେବାରେ ଲାଗିଛନ୍ତି। ଯୁଦ୍ଧର ଅବସାନ ଘଟାଇବାକୁ ଦୁଇ ଦେଶ ମଧ୍ୟରେ ଆଲୋଚନା ନିମନ୍ତେ ତୁର୍କୀ ସହାୟତା କରିବାକୁ ପ୍ରସ୍ତାବ ଦେଇଛି। ତୁର୍କୀ ରାଷ୍ଟ୍ରପତି ତୟିପ ଏର୍ଦୋଗାନ୍‍ କହିଛନ୍ତି, ୟୁକ୍ରେନର ମାରିଉପୋଲ ସହରରୁ ଆହତ ସୈନ୍ୟ ଓ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର ନିଶ୍ଚିତ କରିବାକୁ ହେବ। ତୟିପ୍‍ କହିଛନ୍ତି ଦୁଇ ପକ୍ଷ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ତାଙ୍କ ଦେଶ ସହାୟତା କରିବାକୁ ପ୍ରସ୍ତୁତ ଅଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିବା ପରେ ରବିବାର ତୟିପ କହିଛନ୍ତି ୟୁକ୍ରେନ ବିଭିନ୍ନ ରାଷ୍ଟ୍ର ନିକଟରୁ ସୁରକ୍ଷା ଗ୍ୟାରେଣ୍ଟି ଲୋଡୁଛି ଏବଂ ସେଥିପ୍ରତି ନିଶ୍ଚିତ ଦୃଷ୍ଟି ଦିଆଯିବ। ଇତିମଧ୍ୟରେ ରୁଷ ମାରିଉପୋଲ ସହରରେ ଥିବା ଇସ୍ପାତ କାରଖାନାକୁ ୟୁକ୍ରେନ ସୈନ୍ୟଙ୍କ କବଳରୁ ନିଜ ଦଖଲକୁ ନେବାକୁ ଆକ୍ରମଣ ଜାରି ରହିଛି।

ଏଭଳି ପରିସ୍ଥିତିରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏବଂ ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ରବିବାର କିଭ୍‍ ଗସ୍ତକରି ରୁଷ୍‍ର ମୁକାବିଲା ପାଇଁ ୟୁକ୍ରେନ କେଉଁଭଳି ଅସ୍ତ୍ରଶସ୍ତ୍ର ଆବଶ୍ୟକ କରୁଛି, ସେ ସମ୍ପର୍କରେ ଜେଲେନସ୍କିଙ୍କ ସହିତ ଆଲୋଚନା କରିଛନ୍ତି। ଜେଲେନସ୍କି କହିଛନ୍ତି, ଆମେରିକା ନିକଟରୁ ସେହି ସବୁ ଅସ୍ତ୍ରଶସ୍ତ୍ର ମିଳିଗଲେ ତାଙ୍କ ଦେଶ ରୁଷ ସେନା ଦଖଲରେ ଥିବା ୟୁକ୍ରେନ ଅଞ୍ଚଳକୁ ପୁଣି ନିଜ ଅକ୍ତିଆରକୁ ଆଣିପାରିବେ। ତୁର୍କୀ ରାଷ୍ଟ୍ରପତି ତୟିପଙ୍କ ସହିତ ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିବା ଜେଲେନସ୍କି କହିଛନ୍ତି। ଆଜଭୋସ୍ତଲ ଇସ୍ପାତ କାରଖାନା ସମେତ ମାରିଉପୋଲ ସହରରୁ ସାଧାରଣ ନାଗରିକଙ୍କୁ ତୁରନ୍ତ ସ୍ଥାନାନ୍ତରଣ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏଥିସହିତ ୟୁକ୍ରେନର ସାମରିକ ସାମର୍ଥ୍ୟ ଏବଂ ବିଶ୍ୱ ଖାଦ୍ୟ ନିରାପତ୍ତା ସମ୍ପର୍କରେ ମଧ୍ୟ ସେ ତୁର୍କୀ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ମାରିଉପୋଲରେ ଅଟକି ରହିଥିବା ୟୁକ୍ରେନ ସୈନ୍ୟଙ୍କୁ ଯଦି ହତ୍ୟା କରାଯାଏ, ତେବେ ରୁଷ୍‍ ସହିତ ଚାଲିଥିବା ଆଲୋଚନାରୁ ୟୁକ୍ରେନ ଓହରିଯିବ। ସେହିପରି ଜାତିସଂଘ ମଧ୍ୟ ମାରିଉପୋଲରେ ଚାଲିଥିବା ଯୁଦ୍ଧକୁ ତୁରନ୍ତ ବନ୍ଦ କରିବାକୁ ନିବେଦନ କରିଛି। ଜାତିସଂଘର ୟୁକ୍ରେନ ସଂକଟ ନିୟନ୍ତ୍ରଣ ସଂଯୋଜକ ଅମିନ ଆୱାଦ କହିଛନ୍ତି ଯେ ମାରିଉପୋଲରେ ଫସି ରହିଥିବା ସାଧାରଣ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଅନୁମତି ଦିଆଯାଉଛି। ରବିବାର କିମ୍ବା ସୋମବାର ଲୋକଙ୍କୁ ସ୍ଥାନାନ୍ତର କରା ନଗଲେ ଏହା ବହୁତ ବିଳମ୍ବ ହୋଇଯିବ।

ଆମେରିକାରେ ଅବସ୍ଥାପିତ ରୁଷ୍‍ ରାଷ୍ଟ୍ରଦୂତ କହିଛନ୍ତି ଯେ ୱାଶିଂଟନରେ ଥିବା ରୁଷ ଦୂତାବାସକୁ ବସ୍ତୁତଃ ଅବରୋଧ କରି ରଖାଯାଇଛି। ହଷ୍ଟନ ଏବଂ ନ୍ୟୁୟର୍କରେ ଥିବା ରୁଷ୍‍ର ଦୁଇ ବାଣିଜ୍ୟ ଦୂତାବାସର ଆକାଉଣ୍ଟକୁ ବ୍ୟାଙ୍କ ଅଫ ଆମେରିକା ପକ୍ଷରୁ ବନ୍ଦ କରିଦିଆଯାଇଛି। ରୁଷ୍‍ କୂଟନୀତିଜ୍ଞ ଓ ଦୂତାବାସ କର୍ମଚାରୀଙ୍କୁ ଟେଲିଫୋନ ଏବଂ ପତ୍ରଯୋଗେ ଧମକ ମିଳୁଛି। ବ୍ରିଟେନ ପକ୍ଷରୁ କୁହାଯାଇଛି ଯେ ଡୋନବାସ ଅଞ୍ଚଳରେ ରୁଷ୍‍ର ଏକାଧିକ ଆକ୍ରମଣକୁ ୟୁକ୍ରେନ ସୈନ୍ୟ ବିଫଳ କରିଦେଇଛନ୍ତି। ରୁଷ ସୈନ୍ୟମାନେ କିଛି ଅଞ୍ଚଳରେ ରହିଥିଲେ ମଧ୍ୟ ୟୁକ୍ରେନ ସୈନ୍ୟମାନେ ପାଲଟା ଜବାବ ଦେଉଛନ୍ତି। ଏହା ରୁଷ୍‍ ସେନାର ଅଗ୍ରସରକୁ ରୋକିବାରେ ସଫଳ ହୋଇଛି। ଇତିମଧ୍ୟରେ ତୁର୍କୀ ସରକାର ଏହାର ଆକାଶ ସୀମାକୁ ରୁଷ୍‍ ଓ ସିରିୟା ମଧ୍ୟରେ ବେସାମରିକ ଏବଂ ସାମରିକ ବିମାନ ଉଡାଣ ନିମନ୍ତେ ବନ୍ଦ କରିଦେଇଛନ୍ତି। ତୁର୍କୀର ବରିଷ୍ଠ କୂଟନୀତିଜ୍ଞ ମେଭଲଟ କାଭୁସୋଗ୍‍ଲୁ କହିଛନ୍ତି ରୁଷ୍‍ର ବିମାନଗୁଡିକ ତୁର୍କୀ ଉପର ଦେଇ ଉଡାଣ କରିବାକୁ ଏପ୍ରିଲ ପର୍ଯ୍ୟନ୍ତ ଅନୁମତି ଦିଆଯାଇଥିଲା। କିନ୍ତୁ ଏବେ ସେହି ଅନୁମତି ପ୍ରତ୍ୟାହାର କରିନିଆଯାଇଛି।

Comments are closed.