ନିଶାଦ୍ରବ୍ୟ ଚୋରା ଚାଲାଣ; ଆନ୍ତର୍ଜାତିକ ରାକେଟ ଠାବ, ୭୦ କୋଟିର ହେରୋଇନ ଜବତ

ଚେନ୍ନଇ: ଭାରତର ସୀମାଶୁଳ୍କ ଅଧିକାରୀମାନେ ତାମିଲନାଡୁର ଚେନ୍ନଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ଦୁଇ ଆଫ୍ରିକୀୟ ମହିଳାଙ୍କୁ ଗିରଫ କରିବା ସହିତ ଏକ ଆନ୍ତର୍ଜାତିକ ନିଶାଦ୍ରବ୍ୟ ଚୋରା ଚାଲାଣ ରାକେଟକୁ ଠାବ କରିବାରେ ସଫଳ ହୋଇଛନ୍ତି। ଏହି ଦୁଇ ମହିଳାଙ୍କ ନିକଟରୁ ୯.୮୭ କିଲୋଗ୍ରାମ ଓଜନର ହେରୋଇନ ଜବତ କରାଯାଇଛି, ଯାହାର ମୂଲ୍ୟ ପ୍ରାୟ ୭୦ କୋଟି ଟଙ୍କା ହେବ। ଭାରତକୁ ଏହି ଉତ୍କଟ ନିଶାଦ୍ରବ୍ୟ ଚାଲାଣ ହେଉଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ବିଭାଗୀୟ ଅଧିକାରୀମାନେ ସଜାଗ ହୋଇଯାଇଥିଲେ। ଏହାର ଆଧାରରେ ବିମାନବନ୍ଦର ପ୍ରସ୍ଥାନ ପଥରେ କଡା ନଜର ରଖାଯାଇଥିବାବେଳେ ଦୁଇ ଆଫ୍ରିକୀୟ ମହିଳାଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଦୁଇ ମହିଳା ଜୋହାନ୍ସବର୍ଗରୁ କାତାର ଏୟାରୱେଜ ବିମାନରେ ଦୋହା ବାଟଦେଇ ଚେନ୍ନଇ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଶାରୀରିକଭାବେ ସୁସ୍ଥ ଜଣାପଡୁଥିଲେ ମଧ୍ୟ ହ୍ୱିଲଚେୟାରରେ ବସିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ଅଧିକାରୀମାନେ ପଚରା ଉଚରା କରିବାପରେ ସେ ନର୍ଭସ ହୋଇଯାଇଥିଲେ। ଅଧିକ ପଚରା ଉଚରା ପରେ ଦୁଇ ମହିଳା ଏକ ଷ୍ଟ୍ରୋଲର ବ୍ୟାଗରେ ଚାରିଟି ପ୍ଲାଷ୍ଟିକ ଥଳିରେ ହେରୋଇନ ଲୁଚାଇ ରଖିଥିବା ଦେଖିବାକୁ ମିଳିଥିଲା। ଏହାପରେ ହେରୋଇନଜକୁ ଜବତ କରାଯିବା ସହିତ ଦୁଇ ମହିଳାଙ୍କୁ ଗିରଫ କରାଯାଇଛି।

Comments are closed.