ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ : ‘ଛାତ୍ର ଜୀବନ କାଟୁଛନ୍ତି ପୂର୍ବତନ ପ୍ରଧାନ ଶିକ୍ଷକ’

ବଲାଙ୍ଗିର : ଏକଦା ଦିନେ ଥିଲେ ସେ ସ୍କୁଲର ପ୍ରଧାନ ଶିକ୍ଷକ। ତାଙ୍କରି ନିର୍ଦ୍ଦେଶରେ ସ୍କୁଲ ଉଠୁଥିଲା ଆଉ ପଡୁଥିଲା। ଶ୍ରେଣୀରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଉଥିଲେ, ଜୀବନ ବଞ୍ଚିବାର କୌଶଳ ଶିଖାଉଥିଲେ। କୁନି କୁନି ପିଲାଙ୍କୁ ଭୁଲ କଲେ ଦଣ୍ଡ ଅପେକ୍ଷା, ଜୀବନରେ ଆଉ ସେଭଳି ଭୁଲ ନକରିବା ପାଇଁ ପ୍ରବର୍ତ୍ତାଉ ଥିଲେ ସେ। ଦୀର୍ଘ ୪୦ ବର୍ଷର ଶିକ୍ଷକତା କରିବା ପରେ ଅବସର ନେଇ ସାରିଛନ୍ତି। ବର୍ତ୍ତମାନ ଜଣେ ବରିଷ୍ଠ ନାଗରିକ। ସମାଜରେ ଅବେହଲିତ ଅବସ୍ଥାରେ ଥିବା ବରିଷ୍ଠ ନାଗରିକମାନଙ୍କ ସ୍ୱାର୍ଥ ଓ ଅଧିକାରର ଲଢେଇ ପାଇଁ ଜଣେ ଆଇନ ଛାତ୍ର ଭାବେ ଜୀବନ କାଟୁଛନ୍ତି ପୂର୍ବତନ ପ୍ରଧାନ ଶିକ୍ଷକ। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଅକ୍ଟୋବର ୧ ତାରିଖରେ ପାଳନ ହେଉଥିବା ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।

ବଲାଙ୍ଗିର ଦୈନିକ ବଜାରରେ ରହୁଥିବା ଅବସରପ୍ରାପ୍ତ ହିନ୍ଦୀ ସ୍କୁଲର ପ୍ରଧାନ ଶିକ୍ଷକ ମନୋରଂଜନ ସାହୁ। ବୟସ ବର୍ତ୍ତମାନ ୬୩। ବରିଷ୍ଠ ନାଗରିକ ଭାବେ ସରକାରଙ୍କ ଦ୍ୱାର ସ୍ୱୀକୃତିପ୍ରାପ୍ତ। । ଏକା ଧାରାରେ ଜଣେ ଶିକ୍ଷାବିତ୍,ଗବେଷକ,ଆଲୋଚକ ତଥା ସଙ୍ଗଠକ ଭାବେ ନିଜକୁ ପ୍ରତିପାଦିତ କରିଥିବା ଶ୍ରୀ ସାହୁ ବର୍ତ୍ତମାନ ବଲାଙ୍ଗିର ଆଇନ କଲେଜର ଦ୍ୱିତୀୟ ବର୍ଷର ଛାତ୍ର। ଏକଦା ଦିନେ ସ୍କୁଲର ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ସମ୍ପର୍ଣ୍ଣ କରୁଥିବା ବ୍ୟକ୍ତି ଆଜି ନିଆରା ଛାତ୍ର ଜୀବନ କାଟୁଛନ୍ତି। ଅନ୍ୟ ଛାତ୍ରମାନଙ୍କ ଭଲି ସେ ମଧ୍ୟ କଲେଜ ଆସନ୍ତି। ଛାତ୍ରଛାତ୍ରୀଙ୍କ ମେଳିରେ ନିଜକୁ ହଜେଇ ଦିଅନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି। ହାରିବା ଜିତିବାକୁ ଗୁରୁତ୍ୱ ନଦେଇ ଭାଗ ନେବା ହିଁ ତାଙ୍କୁ ଆତ୍ମସନ୍ତୋଷ ଦିଏ ବୋଲି ସେ କୁହନ୍ତି। କେବଳ ସେତିକି ନୁହେଁ, କଲେଜର ସବୁଠୁ ବୟସ୍କ ଛାତ୍ର ଭାବେ ତାଙ୍କ ନା ଆସେ। ଏପରିକି ତାଙ୍କ ନାତି ବୟସର ଛାତ୍ରଛାତ୍ରୀଙ୍କ ଠାରୁ କ୍ଲାସରେ ସେ ଜଣେ ଜୁନିୟର ଛାତ୍ର। ବରିଷ୍ଠ ନାଗରିକମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ବିରୋଧରେ ଲଢେଇ କରିବାକୁ ଆଇନଗତ ଶିକ୍ଷା ଲାଭ କରିବାକୁ ମନ ବୋଲାଇଥିବା ସେ କୁହନ୍ତି। ଭବିଷ୍ୟତରେ ଜଣେ ଓକିଲ ଭାବେ ଲୋକଙ୍କ ପାଇଁ କାମ କରିବେ। ତେବେ ସେ ୧୯୭୫ ମସିହା ଏପ୍ରିଲ ୧ ତାରିଖରେ ତାଙ୍କ ସ୍ୱର୍ଗତ ବାପା ଶରତ ଚନ୍ଦ୍ର ସାହୁ ଓ ସ୍ୱର୍ଗତା ମା କୁମୁଦିନୀ ସାହୁଙ୍କ କୋଳ ମଣ୍ଡନ କରିଥିଲେ। ୧୯୭୪ ମସିହାରେ ପିପି ଏକାଡେମୀରୁ ମାଟ୍ରିକ ପାସ୍,୧୯୮୦ ମସିହାରେ ରାଜେନ୍ଦ୍ର କଲେଜରୁ ବିଏସସିରେ ଗ୍ରାଜୁଏଟ୍ ଓ ୧୯୮୨ ମସିହାରେ ବିଇଡି ଶେଷ କରି ୧୯୮୩ ମସିହାରୁ ପୂର୍ଣ୍ଣକାଳୀନ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ୨୦୧୭ ମସିହାରେ ବଲାଙ୍ଗିର ହିନ୍ଦୀ ଉଚ୍ଚ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ ଶ୍ରୀ ସାହୁ।

ଚାକିରୀର ଅବସର ଜୀବନ ପରେ ନିଜକୁ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରଖୁଥିବାରୁ ଖୁବ ଭଲ ଲାଗୁଛି। ଏତେ ବର୍ଷ ହୋଇଥିଲେ ହେଁ ନିଜକୁ ଯୁବ ପିଢୀମାନଙ୍କ ସହ ନିଜକୁ ସାମିଲ କରି ଖୁସିରେ ଅଛି ବୋଲି ସେ କୁହନ୍ତି। ଜନ୍ମରୁ ମୃତ୍ୟୁ ଯାଏଁ ଶିକ୍ଷା ଲାଭ କରିବା ଶେଷ ହୁଏ ନାହିଁ। ଶିକ୍ଷା ଯେହେତୁ ଜୀବନର ମାନଦଣ୍ଡ ବଦଳେଇ ପାରେ, ତେଣୁ କୌଣସି ନା କୌଣସି ଠାରୁ ଶିକ୍ଷା ଲାଭ କରିବା ଜୀବନର ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ସେ ବାର୍ତ୍ତା ଦିଅନ୍ତି।

Comments
Loading...