କମୁଛି ବ୍ୟାଙ୍କ ସୁଧହାର, ବଢ଼ୁଛି ଜମାକାରୀଙ୍କ ଚିନ୍ତା

ଭୁବନେଶ୍ବର :​ କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଦେଶର ଆର୍ଥିକ ସ୍ଥିତି ବିଶେଷ ଭାବେ ପ୍ରଭାବିତ ହେବାରେ ଲାଗିଲାଣି । ଚାହିଦାରେ ହ୍ରାସ ଯୋଗୁ ଅନେକ କ୍ଷେତ୍ରରେ ଏବେ କାରବାର ମନ୍ଥର ହୋଇପଡିଛି । ମାନ୍ଦା ପଡିଯାଇଥିବା ଦେଶର ଅର୍ଥନୀତିକୁ ତ୍ବରାନ୍ବିତ କରିବା ସହ ବଜାରରେ ଉତ୍ସାହ ଫେରାଇ ଆଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ବିଗତ କିଛି ମାସ ହେବ ଏହାର ପ୍ରମୁଖ ସୁଧହାରରେ ସମୟାନୁକ୍ରମେ ହ୍ରାସ ଘଟାଇବାରେ ଲାଗିଛି । ଏହି ଅନୁଯାୟୀ ଦେଶର ଉଭୟ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କ କେନ୍ଦ୍ରୀୟ ବ୍ୟାଙ୍କର ପଦାଙ୍କ ଅନୁସରଣ କରି ସୁଧହାରରେ ହ୍ରାସ ଘଟାଉଛନ୍ତି । ପୂର୍ବରୁ ମଧ୍ୟ ଯେବେ ଆର୍‌ବିଆଇ ସୁଧହାର ହ୍ରାସ କରିଛି ସେତେବେଳେ ବ୍ୟାଙ୍କଗୁଡିକ ମଧ୍ୟ ସୁଧହାର କମାଇଛନ୍ତି। କ୍ରମାଗତ ଭାବେ ବ୍ୟାଙ୍କ ଜମା ସୁଧହାରରେ ହ୍ରାସ ଏବେ ବିଶେଷକରି ଜମାକାରୀ ଏବଂ ପେନ୍‌ସନ‌​‌ଭୋ‌ଗୀଙ୍କୁ ଚିନ୍ତାରେ ପକାଇଛି । କାରଣ ବର୍ତ୍ତମାନ କରୋନା ସମୟରେ ଏହି ଜମାକାରୀ ଏବଂ ପେନ୍‌ସନ୍‌ଭୋଗୀ ବ୍ୟାଙ୍କ ଜମା ସୁଧ ଉପରେ ବି‌େ‌ଶଷ ଭାବେ ନିର୍ଭରଶୀଳ। ବିଗତ ତିନି ମାସ (ଏପ୍ରିଲ-ଜୁନ୍‌) ହେବ ବ୍ୟାଙ୍କ ସଞ୍ଚୟ ଜମା ହେଉ କି ସ୍ଥାୟୀ ଜମା ଉଭୟର ସୁଧହାରରେ ବିଶେ​‌ଷ ଭାବେ ହ୍ରାସ ଘଟିଛି । ଏଥିରୁ ବାଦ୍‌ପଡିନି ପିପିଏଫ୍‌, ଭିପିଏଫ୍, ବରିଷ୍ଠ ନାଗରିକ ଜମା ଯୋଜନା ଏବଂ ଡାକଘର ସଞ୍ଚୟ ଜମା ସୁଧହାର ।

ସମ୍ପ୍ରତି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ସଞ୍ଚୟ ଖାତା ସୁଧହାର ୨.୫୦% ରହିଥିବାବେଳେ ସ୍ଥାୟୀ ଜମା (୧ବର୍ଷରୁ ୧୦ ବର୍ଷ) ସୁଧ ହାର ୫.୧% ରହିଛି । ସେହିଭଳି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ବର୍ତ୍ତମାନ ଏହାର ସଞ୍ଚୟ ଖାତା ଉପରେ ୨.୭୦% ସୁଧହାର ପ୍ରଦାନ କରୁଥିବାବେଳେ ଏକ ବର୍ଷରୁ ୩ ବର୍ଷ ଅବଧି ବିଶିଷ୍ଟ ସ୍ଥାୟୀ ଜମା ଉପରେ ୫.୧୦% ସୁଧହାର ଦେଉଛି । ପୂର୍ବରୁ ଏସ୍‌ବିଆଇ ଏହି ସମାନ ଅବଧି ବିଶିଷ୍ଟ ସ୍ଥାୟୀ ଜମା ରାଶି ଉପରେ ୫.୫୦% ସୁଧହାର ପ୍ରଦାନ କରୁଥିଲା । ଅନ୍ୟପକ୍ଷରେ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଏକ ବର୍ଷରୁ ୩ ବର୍ଷ ଅବଧି ବିଶିଷ୍ଟ ସ୍ଥାୟୀ ଜମା ଉପରେ ସୁଧହାର ୬%ରୁ ୫.୬୦%କୁ ହ୍ରାସ କରାଯାଇଛି। ସେହିଭଳି ପବ୍ଲିକ୍‌ ପ୍ରୋଭିଡେଣ୍ଟ ଫଣ୍ଡ୍‌ (ପିପିଏଫ୍‌) ସୁଧହାରକୁ ଏପ୍ରିଲଠାରୁ ୭.୯%ରୁ ୭.୧%କୁ ହ୍ରାସ କରାଯାଇଛି । କେବଳ ପିପିଏଫ୍‌ ନୁହେଁ ଏହି ସୁଧହାର ହ୍ରାସରୁ ବାଦ୍‌ ପଡିନାହିଁ ବରିଷ୍ଠ ନାଗରିକ ଜମା ଯୋଜନା (ଏସ୍‌ସିଏସ୍‌ଏସ୍‌), ସୁକନ୍ୟା ସମୃଦ୍ଧି ଯୋଜନା, କିଷାନ ବିକାଶ ପତ୍ର, ମାସିକ ଆୟ ଯୋଜନା(ଏମ୍‌ଆଇଏସ୍‌) ଏବଂ ଡାକଘର ରିକରିଂ ଜମା (ଆର୍‌ଡି) ଯୋଜନା । ବିଗତ ତିନି ମାସରେ ବରିଷ୍ଠ ନାଗରିକ ସଞ୍ଚୟ ଜମା ଯୋଜନା ସୁଧହାର ମଧ୍ୟ ୮.୬%ରୁ ୭.୪%କୁ ହ୍ରାସ ଘଟିଥିଲା । ସେତେବେଳେ ଏନ୍‌ଏସ୍‌ସି (ନ୍ୟାସନାଲ ସେଭିଂସ ସାର୍ଟିଫିକେଟ୍‌) ସ୍କିମ୍‌ର ସୁଧହାରରେ ମଧ୍ୟ ବଡ ଧରଣର ହ୍ରାସ କରାଯାଇଥିଲା । ଏନ୍‌ଏସ୍‌ସି ସୁଧହାର ୭.୯%ରୁ ୬.୮%କୁ ଆସିଛି । ସୁକନ୍ୟା ସମୃଦ୍ଧି ଯୋଜନାର ସୁଧହାର ମଧ୍ୟ ୮.୪%ରୁ ୭.୬%କୁ ହ୍ରାସ କରାଯାଇଛି । ସେହିପରି ଏମ୍‌ଆଇଏସ୍‌ ସୁଧହାର ୭.୬%ରୁ ୬.୬%କୁ ହ୍ରାସ ଘଟିଥିବାବେଳେ ଆର୍‌ଡି ସୁଧହାର ବିଗତ ତିନି ମାସ ମଧ୍ୟରେ ୭.୨%ରୁ ୫.୮%କୁ ଖସିଆସିଛି । ଏଭଳି ସମୟରେ ବିକଳ୍ପ ନିର୍ଭରଯୋଗ୍ୟ ନିବେଶ ଯୋଜନା ନ ପାଇଁ ଜମାକାରୀମାନେ ଏବେ ବେଶ ଚିନ୍ତା​‌ରେ ଅଛନ୍ତି । ଏ ସମ୍ପର୍କରେ ଅବସରପ୍ରାପ୍ତ କର୍ମଚାରୀ ରାମଚନ୍ଦ୍ର ପାଗଳ କୁହନ୍ତି, ମୁଁ ଅବସରକାଳୀନ ଅର୍ଥକୁ ବ୍ୟାଙ୍କରେ ରଖି ଭଲ ସୁଧ ପାଉଥିଲି, ଯେଉଁଥିରୁ ​‌ମ‌ୋର କେତେକାଂଶରେ ଖର୍ଚ୍ଚ ଚଳିଯାଉଥିଲା । ଏବେ ହଠାତ୍‌ ସୁଧହାର କମିବାର ଲାଗିଛି ।

ବ୍ୟାଙ୍କ ଆଉ ଡାକଘର ଜମା ଉପରୁ ଆଉ ଆମକୁ ପୂର୍ବଭଳି ସେମିତି ଭଲ ସୁଧ ମିଳୁନାହିଁ। ଏବେ ବ୍ୟାଙ୍କରେ କି ଡାକଘ​‌​‌ରେ ଟଙ୍କା ରଖି ଲାଭ ନାହିଁ । ଆଉ ସେ ଟଙ୍କାକୁ ବର୍ତ୍ତମାନ ସମୟରେ କେଉଁ କାମରେ ଲଗାଇବୁ କିଛି ବୁଦ୍ଧି ବାଟ ଦେଖାଯାଉନି ।​‌ତବେ ଏ ସମ୍ପର୍କରେ ଚାର୍ଟାର୍ଡ ଆକାଉଟାଣ୍ଟ ତଥା ଆର୍ଥିକ ବିଶେଷଜ୍ଞ ରାଜୀବ ଶେଖର ସାହୁ କୁହନ୍ତି, ବ୍ୟାଙ୍କ ଋଣ ସୁଧହାର କମ୍‌ ରହିଲେ ଜମା ସୁଧହାର କମ୍‌ ରହିବ । ବର୍ତ୍ତମାନ ବିଶ୍ବର ଚାରିଆଡେ ମାନ୍ଦାବସ୍ଥା ଛାଇ ରହିଛି । ଏଥିଯୋଗୁ ରିଜର୍ଭ ବ୍ୟାଙ୍କ ଏହାର ପ୍ରମୁଖ ସୁଧହାରରେ ବାରମ୍ବାର ହ୍ରାସ ଘଟାଉଛି । ତେବେ ଆଗକୁ ଦେଶ​‌​‌ରେ ବ୍ୟାଙ୍କ ଏବଂ ଡାକଘର ଜମା ସୁଧହାର କେବେ ବଢ଼ିବ ତାହା ସମ୍ପୂର୍ଣ୍ଣ ଭାବେ ବର୍ତ୍ତମାନର ମାନ୍ଦାବସ୍ଥା କେତେଦିନ ଜାରି ରହିବ ଏବଂ ଅନ୍ତର୍ଜାତୀୟ କାରକ ଉପରେ ନିର୍ଭରଶୀଳ ଥିବା ସେ କହିଛନ୍ତି।

Comments are closed.