ଇଣ୍ଟରନେଟ୍‍ ସାହାରା ନେଇ ଜୀବନ ହାରିଲେ ପ୍ରସୂତି

0

କୋଏମ୍ବାଟୁର: ହସ୍ପିିଟାଲ ନ ଯାଇ ଘରେ ହିଁ ସନ୍ତାନକୁ ଜନ୍ମ ଦେବାକୁ ନିଷ୍ପତ୍ତି ନେଇଥିଲେ ଦମ୍ପତି। ପ୍ରସବ ପାଇଁ ୟୁଟ୍ୟୁବର ସାହାର ନେଇଥିଲେ। ଏହି ନିଷ୍ପତ୍ତି ହିଁ ସେମାନଙ୍କ ପାଇଁ କାଳ ହେଲା। ସନ୍ତାନ ଜନ୍ମ ହେବା ପରେ ପ୍ରାଣ ହରାଇଲେ ପ୍ରସୂତି। ଗତ ରବିବାର ଦିନ ଏଭଳି ଏକ ଘଟଣା ଘଟିଛି ତାମିଲନାଡ଼ୁର ତିରୁପୁର ଟାଉନ୍‍ରେ।
ସ୍ଥାନୀୟ ଏକ ଘରୋଇ ସ୍କୁଲ୍‍ରେ ଶିକ୍ଷକ ଭାବେ କାମ କରୁଥିଲେ କାର୍ତ୍ତିକେୟନ ଓ କ୍ରିତିଗା। ଦମ୍ପତିଙ୍କ ବନ୍ଧୁବର୍ଗଙ୍କ କହିବା ଅନୁଯାୟୀ, ସେମାନେ ସେମାନଙ୍କ ସନ୍ତାନକୁ ଘରେ ହିଁ ଜନ୍ମ ଦେବାକୁ ନିଷ୍ପତ୍ତି ନେଇଥିଲେ। କାର୍ତ୍ତିକେୟନ୍‍ ଓ କ୍ରିତିଗାଙ୍କୁ ଏଥିପାଇଁ ତାଙ୍କର ବନ୍ଧୁ ପ୍ରବୀଣ ଓ ଲାବଣ୍ୟ ମଧ୍ୟ ପ୍ରୋତ୍ସାହିତ କରିଥିଲେ। ପୂର୍ବ ସପ୍ତାହରେ ମୃତ୍ୟୁବରଣ କରିଥିବା କାର୍ତ୍ତିକେୟନ୍‍ଙ୍କ ଜେଜେବାପା କ୍ରିତିଗାଙ୍କ ଗର୍ଭରୁ ପୁନଃଜନ୍ମ ନେବାକୁ ଯାଉଛନ୍ତି ବୋଲି ସେମାନେ ବିଶ୍ୱାସ କରି ନେଇଥିଲେ।
ରବିବାର ରାତିରେ କ୍ରିତିଗାଙ୍କ ପ୍ରସବ ବେଦନା ଆରମ୍ଭ ହେବା ପରେ କାର୍ତ୍ତିକେୟନ୍‍ ୟୁଟ୍ୟୁବ୍‍ ଟିପ୍ସକୁ ଅନୁସରଣ କରି ପ୍ରସବ କରାଇଥିଲେ। ରାତି ୧.୩୦ରେ କ୍ରିତିଗା ଏକ ପୁତ୍ର ସନ୍ତାନକୁ ଜନ୍ନ ଦେଇଥିଲେ। ନବଜାତକ ସୁସ୍ଥ ଥିଲେ ମଧ୍ୟ ଜନ୍ମ ଦେବା ପରେ କ୍ରିତିଗା ଗୁରୁତର ଅସୁସ୍ଥ ହୋଇପଡ଼ିଲେ। ତାଙ୍କୁ ଡାକ୍ତରଖାନା ନେବା ପାଇଁ କାର୍ତ୍ତିକେୟନ୍‍ ୧୦୮ ଆମ୍ବୁଲାନ୍ସ ଡାକିଥିଲେ। କିନ୍ତୁ ଚିକିତ୍ସା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ଅତ୍ୟଧିକ ରକ୍ତସ୍ରାବ ସହିତ ସେ ମାନସିକ ସ୍ତରରେ ଅତି ଦୁର୍ବଳ ହୋଇପଡ଼ିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରମାନେ କହିଛନ୍ତି। କାର୍ତ୍ତିକେୟନ୍‍ଙ୍କୁ ପୁଲିସ ଅଟକ ରଖିଛି। ଏହା ପୂର୍ବରୁ ମଧ୍ୟ ଲାବଣ୍ୟ ଓ ପ୍ରବୀଣ ଦୁଇ ତିନି ଜଣଙ୍କୁ ଏଭଳି ପରାମର୍ଶ ଦେଇଥିବା ପୁଲିସ କହିଛି। କାର୍ତ୍ତିକେୟନ୍‍ଙ୍କ ଏକ ତିନି ବର୍ଷର ଝିଅ ଅଛି।

Leave A Reply