ମୋଦୀଙ୍କ ପାଇଁ ଗୁଇନ୍ଦା ସର୍ଭେ ; ପୁରୀ ଆସନ ନେଇ ରାଜନୀତି ସରଗରମ

0

ପୁରୀ : ପୁରୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ଲଢ଼ିବାର ସମ୍ଭାବନା ନେଇ ଆଲୋଚନା ଏବେ ଜୋର ଧରିଛି। ପୁରୀରେ ଆସି ପହଞ୍ଚିଥିବା ୪ ଜଣ ଗୁଇନ୍ଦା ଅଧିକାରୀ ଗତ ଦୁଇ ଦିନ ହେଲା ଏକ ପ୍ରାକ୍‍ ନିର୍ବାଚନୀ ସର୍ଭେ କାର୍ଯ୍ୟରେ ନିଯୁକ୍ତ ହୋଇଥିବା ଦୃଷ୍ଟିରୁ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ବିଜେପିର ପୂର୍ବ ଭାରତ ଦଖଲ ଅଭିଯାନର ରଣଦୁନ୍ଦୁଭି ବାରମ୍ବାର ବାଜୁଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ଓ ଓଡ଼ିଶା ଭଳି ରାଜ୍ୟରେ ସେହି ଦଳକୁ ବିଶେଷ ସଫଳତା ମିଳିନାହିଁ। ସେଦୃଷ୍ଟିରୁ ଆଗାମୀ ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସୁଯୋଗ ବୋଲି ଏହି ଦଳର ବହୁ ବରିଷ୍ଠ ନେତାମାନେ କରିଛନ୍ତି। ମୋଦୀ ବାରାଣସୀ ସହ ପୁରୀରୁ ଲୋକସଭା ପ୍ରାର୍ଥୀ ହେଲେ ପୂର୍ବ ଭାରତ ଉପରେ ତା’ର ପ୍ରଭାବ ପଡ଼ିପାରେ ବୋଲି ସେମାନଙ୍କ ଯୁକ୍ତି। ଏହା ସହିତ ଓଡ଼ିଶା ପାଇଁ ଅମିତ ଶାହାଙ୍କ ନେତୃତ୍ୱରେ ପରିକଳ୍ପନା କରାଯାଇଥିବା ମିଶନ-୧୨୦ କାର୍ଯ୍ୟକାରୀ କରିବାକୁ ଏଭଳି ରାଜନୈତିକ ବ୍ରହ୍ମାସ୍ତ୍ର ବ୍ୟତୀତ ବିଜେପି ହାତରେ ଅନ୍ୟ ବିକଳ୍ପ ଏକରକମ ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମଧ୍ୟ ମତପ୍ରକାଶ କରିଆସିଛନ୍ତି।
ତେବେ ୫ମ ଥର ଲାଗି କ୍ଷମତା ଦଖଲ ପାଇଁ ନବୀନ ପଟ୍ଟନାୟକଙ୍କ ବିଜୟଅଶ୍ୱକୁ ମୋଦୀ ହିଁ ପ୍ରତିହତ କରିପାରିବେ ବୋଲି କୁହାଯାଉଛି। ଅପରପକ୍ଷରେ ଜାତୀୟ ସ୍ତରରେ ଏନ୍‍ଡିଏ ଅଧିକ ସଂଖ୍ୟାରେ ଆଞ୍ଚଳିକ ଦଳଗୁଡ଼ିକର ସମର୍ଥନ ଆବଶ୍ୟକ କରିପାରେ। ତେଣୁ ବିଜୁ
ଜନତା ଦଳକୁ କୌଣସି ପ୍ରକାରେ ଅରାଜି କରାଯିବ ନାହିଁ ବୋଲି ଏ ପର୍ଯ୍ୟନ୍ତ ରାଜନୈତିକ ବିଶ୍ଳେଷକମାନେ ଚର୍ଚ୍ଚା କରୁଛନ୍ତି। ଏହି ଗୁଇନ୍ଦା ଅଧିକାରୀମାନେ ଗାଁରୁ ସହର ପର୍ଯ୍ୟନ୍ତ ଲୋକଙ୍କୁ ସାକ୍ଷାତ କରି ମତାମତ ସଂଗ୍ରହ କରୁଛନ୍ତି। ଆଗାମୀ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ନା ରାହୁଲ ଗାନ୍ଧି କାହାକୁ ଚାହୁଁଛନ୍ତି ବୋଲି ମତଦାତାଙ୍କୁ ପ୍ରଶ୍ନ କରାଯାଉଛି। ଏହାଛଡା ବିଜେଡି ନା ବିଜେପି କାହା ସମୟରେ ଅଧିକ ବିକାଶମୂଳକ କାର୍ଯ୍ୟ ହୋଇଛି ସେଥିନେଇ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରୁଛି କେନ୍ଦ୍ରୀୟ ଗୁଇନ୍ଦାବାହିନୀ। ପୁରୀ ସଦର, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର ଓ ନୟାଗଡ ବିଧାନସଭା ନିର୍ବାଚନମଣ୍ଡଳୀରେ ତଥ୍ୟ ସଂଗ୍ରହ କରାଯାଉଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ୧୪ତାରିଖ ପର୍ଯ୍ୟନ୍ତ ଗୁଇନ୍ଦା ଅଧିକାରୀମାନେ ମୋଦୀଙ୍କ ଲୋକପ୍ରିୟତା ଆକଳନ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୁରୀରୁ ନିର୍ବାଚନ ଲଢିବେ କି ନାହିଁ ତାହା ଗୁଇନ୍ଦା ରିପୋର୍ଟକୁ ଭିତ୍ତିକରି ନିଷ୍ପତ୍ତି ନିଆଯିବ। ୨୦୧୯ ନିର୍ବାଚନରେ ପୁରୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରାର୍ଥୀ ହେବାକୁ ରାଜ୍ୟ ବିଜେପି ପକ୍ଷରୁ ଦାବି ହୋଇଆସୁଛି। ଗୁଇନ୍ଦା ଅଧିକାରୀମାନେ ପୁରୀ ଲୋକସଭା ଆସନକୁ କେନ୍ଦ୍ରୀଭୂତ କରି ଯେଉଁଭଳି ପ୍ରଶ୍ନ ପଚାରିଛନ୍ତି ଏହା ଏକ ସାଧାରଣ ସର୍ଭେ ନୁହେଁ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି।
୨୦୧୪ ଲୋକସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ୨ଲକ୍ଷ ୬୩ହଜାର ୩୬୧ ଅଧିକ ଭୋଟ ପାଇ ଏଠାରୁ ନିର୍ବାଚିତ ହୋଇଥିଲେ।
ତାଙ୍କୁ ୫ଲକ୍ଷ ୨୩ହଜାର ୧୬୧ ଭୋଟ ମିଳିଥିବାବେଳେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁଚରିତା ମହାନ୍ତି ୨ଲକ୍ଷ ୫୯ହଜାର ୮ଶହ ଏବଂ ବିଜେପି ପ୍ରାର୍ଥୀ ଅଶୋକ ସାହୁ ୨ଲକ୍ଷ ୧୫ହଜାର ୭୬୩ ଭୋଟ ପାଇ ୩ୟ ସ୍ଥାନରେ ରହିଥିଲେ। କଳିଙ୍ଗସେନା ପକ୍ଷରୁ ପ୍ରାର୍ଥୀ ହୋଇଥିବା ସବ୍ୟସାଚୀ ମହାପାତ୍ରଙ୍କୁ ୧୩,୧୯୦, ବିଏସପି ପ୍ରାର୍ଥୀ ଭାସ୍କର ଚନ୍ଦ୍ର ମହାନ୍ତିଙ୍କୁ ୭୦୯୪, ସିପିଆଇ (ଏମଏଲ) ଲିବରେସନର ଅଶୋକ ପ୍ରଧାନଙ୍କୁ ୬୯୬୯ ଓ ଆମ୍‍ ଆଦମୀ ପାର୍ଟି ପ୍ରାର୍ଥୀ ନିରଦ ବରଣ ଖୁଣ୍ଟିଆ ୪୨୬୨ ଭୋଟ ପାଇଥିଲେ। ଏହାଛଡା ୯୧୫୦ ଭୋଟ ନୋଟା ଖାତାକୁ ଯାଇଥିଲା। ବିଜେଡି ୫୦.୩୩%, କଂଗ୍ରେସ ୨୫% ଏବଂ ବିଜେପି ୨୦.୭୬% ଭୋଟ ପାଇଥିଲା। ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୬ଟି ବିଜେଡି ଦଖଲରେ ଥିବା ବେଳେ ଚିଲିକାରେ ବିଜେପି ପ୍ରାର୍ଥୀ ଜିତିଛନ୍ତି। ମୋଦୀ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହେବା ସମ୍ଭାବନା ଥିବାରୁ ଏହି ନିର୍ବାଚନମଣ୍ଡଳୀ ସଂଗଠନ ଦାୟିତ୍ୱ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଦିଆଯାଇଛି।
ମୋଦୀଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ୱ ସମ୍ପର୍କରେ ଜିଲା ବିଜେପି ସଭାପତି ପ୍ରଭଞ୍ଜନ ମହାପାତ୍ରଙ୍କୁ ପଚାରିବାରୁ ସେ ତାହାକୁ ସ୍ୱୀକାର କରିଛନ୍ତି। ସମ୍ପ୍ରତି ଚାଲିଥିବା ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ମୋଦୀଙ୍କ ପୁରୀ ନିଷ୍ପତ୍ତିକୁ ପ୍ରଭାବିତ କରିବ। ଉକ୍ତ ରାଜ୍ୟଗୁଡ଼ିକରେ ବିଜେପି ସଫଳ ହେଲେ ପୁରୀରେ ପ୍ରଧାନମନ୍ତ୍ରୀଙ୍କୁ ଛିଡ଼ା କରି ବିଜେଡି ପ୍ରତି ଏକ ବଡ଼ ଆହ୍ୱାନ ସୃଷ୍ଟି କରିବାକୁ ବିଜେପି ଚେଷ୍ଟା କରିବ। ନଚେତ୍‍ ବିଜେପିର ସ୍ୱତନ୍ତ୍ର ପୁରୀ ଅଭିଯାନରେ ଭଟ୍ଟା ପଡ଼ିପାରେ ବୋଲି ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଉଛି।

Leave A Reply