ସେନା ଏବଂ ‘ର’ ମୁଖ୍ୟଙ୍କ ଉପରେ ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କୀ ସଂଗଠନର ଷଡଯନ୍ତ୍ର

ଦିଲ୍ଲୀ ପୁଲିସ ଏବଂ ଅନ୍ୟ ସୁରକ୍ଷା ସଂସ୍ଥାକୁ ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ : ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜମାତ-ଉଦ-ଦାୱା ଏବଂ ଲସ୍କର-ଏ-ତୋୟବା ପକ୍ଷରୁ ଦିଲ୍ଲୀରେ ସେନା ଏବଂ ଭାରତୀୟ ଗୁଇନ୍ଦା ସଂସ୍ଥା(ଆରଏଡବ୍ଲ୍ୟୁ) ‘ର’ର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପରେ ଆକ୍ରମଣର ଯୋଜନା କରୁଛି। ଗୁଇନ୍ଦା ସୂଚନା ଆଧାରରେ ଆଲର୍ଟ ଜାରି କରାଯିବା ସହ କୁହାଯାଇଛି ଯେ ଏହି ଦୁଇଟି ଆତଙ୍କୀ ସଂଗଠନ ଚଳିତମାସର ଶେଷ ଆଡକୁ ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର ଚଳାଇଛି । ଯାହାକୁ ଦୃଷ୍ଟିରେ ରଖି ସେନା ଏବଂ ‘ର’ର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସେମାନଙ୍କ କାର୍ଯ୍ୟାଳୟ ଏବଂ ବାସସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି।
ସୂଚନାଯୋଗ୍ୟ, ପ୍ରଥମଥର ପାଇଁ ପାକିସ୍ତାନର ଦୁଇଟି ଆତଙ୍କୀ ସଂଗଠନ ଭାରତରେ ଆକ୍ରମଣ କରିବା ପାଇଁ ଏକାଠି ହୋଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ସେନା କ୍ରମାଗତ ଭାବେ କାଶ୍ମୀରରେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ କରୁଛି ଏବଂ ପାକିସ୍ତାନୀ ଗୁଳିଗୋଳାର ଉଚିତ ଜବାବ ଦେଉଛି। ଜାମ୍ମୁ କାଶ୍ମୀରୁ ୩୭୦ ଧାରା ଉଚ୍ଛେଦ ପରଠାରୁ ଭାରତୀୟ ସେନା ପିଓକେରେ ଚାଲିଥିବା ଆତଙ୍କବାଦୀ ତାଲିମ ଶିବିର ଉପରେ ଆକ୍ରମଣ କରି ଧ୍ୱସଂ କରୁଛି। ଦୁଇଦିନ ତଳେ ସେନା ବାହିନୀ ପିଓକେର ଟଙ୍ଗଧର ସେକ୍ଟରରେ ଅନେକ ଗୁଡିଏ ଆତଙ୍କବାଦୀ ତାଲିମ ଶିବିର ଉପରେ ଆକ୍ରମଣ କରି ଧ୍ୱସଂ କରିଦେଇଛି।


ଏଥିରେ ଅନେକ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିବା ଭାରତୀୟ ସେନା ପକ୍ଷରୁ ଦାବି କରାଯାଇଛି। ‘ର’ର ଗୁରୁତ୍ୱପୂର୍ଣ୍ଣ ସୂଚନା ଆଧାରରେ ଭାରତୀୟ ସେନାକୁ ଏହି ସଫଳତା ମିଳିଛି। ୨୦୧୬ରେ ‘ଉରୀ’ ଏବଂ ଚଳିତ ବର୍ଷ ବାଲାକୋଟ ଏୟାର ଷ୍ଟ୍ରାଇକ ସମୟରେ ମଧ୍ୟ ‘ର’ ସେନାବାହିନୀକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ବା ଇନପୁଟ୍‍ ପ୍ରଦାନ କରିଥିଲା। ଏହାପରେ ମଧ୍ୟ କାଶ୍ମୀରରେ ଯେତେଥର ଆତଙ୍କବାଦୀଙ୍କ ଆଡ୍ଡା ଉପରେ ସେନାବାହିନୀ ଆକ୍ରମଣ କରିଛି ସେଥିରେ ‘ର’ର ଗୁରୁତ୍ୱପୂର୍ଣ୍ଣ ସୂଚନା ବା ଇନପୁଟ୍‍ ସାହାଯ୍ୟ କରିଛି।
ସେଥିପାଇଁ ପାକିସ୍ତାନର ଦୁଇ ଆତଙ୍କୀ ସଂଗଠନ ସେନା ଏବଂ ‘ର’ର ଉଚ୍ଚପଦସ୍ଥ ଅଧିକାରୀଙ୍କ ଉପରେ ଆକ୍ରମଣର ଯୋଜନା କରିଛନ୍ତି। ଗୁଇନ୍ଦା ସତର୍କତା ଅନୁସାରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜମାତ-ଉଦ-ଦାୱା ଏବଂ ଲସ୍କର-ଏ-ତୋୟବା ଦିଲ୍ଲୀରେ ସେନା ମୁଖ୍ୟ ଏବଂ ‘ର’ର ମୁଖ୍ୟଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଉପରେ ଆକ୍ରମଣର ଯୋଜନା କରୁଛନ୍ତି। ଏଥିପାଇଁ ଏମାନଙ୍କର ସୁରକ୍ଷା ବ୍ୟବସ୍ଥା କଡାକଡି କରି ଦିଆଯାଇଛି। ଦିଲ୍ଲୀ ପୁଲିସ ଏବଂ ଅନ୍ୟ ସୁରକ୍ଷା ସଂସ୍ଥାକୁ ଏହି ସୂଚନା ପ୍ରଦାନ କରାଯିବା ସହ ସତର୍କ ରହିବାକୁ କୁହାଯାଇଛି। ସେମାନଙ୍କ ଘର, କାର୍ଯ୍ୟାଳୟ ଏବଂ ଯିବା ଆସିବା ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।

Comments are closed.