ଦିଲ୍ଲୀ ହିଂସା : ଆଉ ଜଣେ କନେଷ୍ଟବଳ ନିହତ,ଡ୍ରେନରୁ ମିଳିଲା କ୍ଷତାକ୍ତ ମୃତଦେହ

ନୂଆଦିଲ୍ଲୀ : ଦିଲ୍ଲୀର ଚାନ୍ଦବାଗର ଏକ ନର୍ଦ୍ଦମା ନାଳରୁ ମିଳିଛି ଗୁଇନ୍ଦା ବିଭାଗର ଜଣେ କନେଷ୍ଟବଳଙ୍କ ମୃତଦେହ। ବୁଧବାର ଅପରାହ୍ନରେ ଦିଲ୍ଲୀ ପୁଲିସ ମୃତଦେହକୁ ଉଦ୍ଧାର କରିଛନ୍ତି। ମୃତ ଗୁଇନ୍ଦା ବିଭାଗ କନେଷ୍ଟବଳଙ୍କ ନାମ ଅଙ୍କିତ ଶର୍ମା। ସେ ଦିଲ୍ଲୀର ଖଜୁରୀରି ରହୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଡ୍ୟୁଟି ଯାଇଥିବା ଅଙ୍କିତ ଘରକୁ ଫେରିନଥିଲେ। ଆଜି ତାଙ୍କ ମୃତ ଦେହ ମିଳିବା ପରେ ପରିବାର ଲୋକ ଗତ ରାତିରେ ଉତ୍ତ୍ୟକ୍ତ ଲୋକେ ଟେକାପଥର ଫିଙ୍ଗି ହତ୍ୟା କରିବା ପରେ ତାଙ୍କ ଶବକୁ ନର୍ଦ୍ଦମାରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି।

୨୬ ବର୍ଷିୟ ଅଙ୍କିତ ଶର୍ମା ଗୁଇନ୍ଦା ବିଭାଗ ଚାକିରିରେ ୨୦୧୭ରେ ଯୋଗ ଦେଇଥିଲେ। ଏବେ ସେ ଆଇ. ବି.ରେ ଡ୍ରାଇଭିଙ୍ଗ୍ ତାଲିମ ନେଉଥିଲେ। ସିଏଏ’ ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉଗ୍ର ରୂପ ଧାରଣ କରିବାରୁ ଚାନ୍ଦବାଗ ଉତ୍ତରପୂର୍ବ ଦିଲ୍ଲୀର କେତେକ ଅଞ୍ଚଳରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ସମ୍ଭବତଃ ଏହି ହିଂସାରେ ହିଁ ଅଫିସର ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ହେଲେ ପୁଲିସ୍ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ବର୍ତ୍ତମାନ ସୂଚନା ଅନୁସାରେ ଏହି ହିଂସାକାଣ୍ଡରେ ଜଣେ ପୁଲିସ କନେଷ୍ଟବଳଙ୍କ ସମେତ ୨୦ଜଣଙ୍କର ମୃତ୍ୟୁ ଘଟିଛି। ୧୮୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଥିବା ସୂଚନା ମିଳିଛି।

Comments are closed.