ଦେଶରେ ପ୍ରଥମ: ବକ୍ସର ଓ ପ୍ରଶିକ୍ଷକଙ୍କ ପାଇଁ କୋଭିଡ୍‍-୧୯ ବୀମା

ନୂଆଦିଲ୍ଲୀ: ଦେଶରେ ଅନ୍ୟ କ୍ରୀଡ଼ାଙ୍କ ପାଇଁ ଉଦାହରଣ ସୃଷ୍ଟିକରିଛି ମୁଷ୍ଟିଯୁଦ୍ଧ ବା ବକ୍ସିଂ। ଦେଶରେ ପ୍ରଥମ କ୍ରୀଡ଼ା ଭାବେ ବକ୍ସିଂରେ ପ୍ରମୁଖ ଖେଳାଳି ଓ ପ୍ରଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ବୀମାର ଘୋଷଣା କରାଯାଇଛି। କୋଭିଡ୍‍-୧୯ ଯୋଗୁଁ ଲକ୍‍ଡାଉନ୍‍ ଉଠିବା ପରେ ବକ୍ସିଂରେ ହେବାକୁ ଥିବା ଜାତୀୟ ଶିବିରରେ ଖେଳାଳି, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‍ଙ୍କୁ ଏହି ବୀମାଭୁକ୍ତ କରାଯାଇଛି। ଶିବିରରେ ଥିବାବେଳେ ଏମାନଙ୍କ ମଧ୍ୟରୁ ଯଦି କେହି କରୋନା ସଂକ୍ରମିତ ହୁଅନ୍ତି; ସେମାନଙ୍କ ଚିକିତ୍ସା ଖର୍ଚ୍ଚ ବୀମା କମ୍ପାନୀ ବହନ କରିବ।

ଏହାକୁ ଛାଡ଼ି ସମସ୍ତ ଶିବିରାର୍ଥୀଙ୍କୁ ବ୍ୟକ୍ତିଗତ ଭାବେ ବୀମାଭୁକ୍ତ କରାଯିବ। ଅଭ୍ୟାସ ବେଳେ ଉପୁଜିବାକୁ ଥିବା ଜରୁରୀକାଳୀନ ଚିକିତ୍ସା ଓ ଦୁର୍ଘଟଣା ହେଲେ ଚିକିତ୍ସା ପାଇଁ ଉକ୍ତ ବୀମା କମ୍ପାନୀ ଚିକିତ୍ସା ଖର୍ଚ୍ଚ ବହନ କରିବ। ଭାରତୀୟ ବକ୍ସିଂ ମହାସଂଘ (ବିଏଫ୍‍ଆଇ) ଜାତୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବାକୁ ଯାଉଥିବା ଖେଳାଳି, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‍ଙ୍କ ପାଇଁ ଶନିବାର ନିର୍ଦେଶାବଳୀ ଜାରିକରିଛି। ଏଥିରେ ଆଇଆର୍‍ଡିଏର ନିୟମ ଅନୁସାରେ ଶିବିରାର୍ଥୀଙ୍କ ପାଇଁ ୨ଟି ପୃଥକ୍‍ ବୀମାର ବନ୍ଦୋବସ୍ତ କରିଛି। ବିଏଫ୍‍ଆଇର ଜଣେ ଅଧିକାରୀ କହିଛନ୍ତି, ବକ୍ସର, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‍ଙ୍କ ପାଇଁ ମୁଣ୍ଡ ପିଛା ୫ ଲକ୍ଷ ଟଙ୍କାର ବୀମା କରାଯାଇଛି। ଏହାସହ କୋଭିଡ୍‍-୧୯ ବୀମା ପାଇଁ ଉକ୍ତ ଅର୍ଥର ୫୦ରୁ ୭୫ ପ୍ରତିଶତ ଅତିରିକ୍ତ ଅର୍ଥର ବୀମା କରାଯାଇଛି। ଏହା ୨.୫ ଲକ୍ଷରୁ ୩.୫ ଲକ୍ଷ ଟଙ୍କା ହୋଇପାରେ। ଯେଉଁଦିନଠାରୁ ଜାତୀୟ ବକ୍ସିଂ ଶିବିର ଅନୁଷ୍ଠିତ ହେବ; ସେହିଦିନଠାରୁ ଉକ୍ତ ବୀମା କାର୍ୟ୍ୟକାରୀ ହୋଇଯିବ। ନିର୍ଦେଶାବଳୀ ଓ ବୀମାର ଘୋଷଣା ସହ ବିଏଫ୍‍ଆଇ ଆଉ କିଛି ସତର୍କତା ଅବଲମ୍ବନ କରିବାକୁ ଶିବିରାର୍ଥୀଙ୍କୁ କହିଛି। ବିଏଫ୍‍ଆଇ ଏହା ମଧ୍ୟ କହିଛି ଯେ ଏକ ନିର୍ଦିଷ୍ଟ ସମୟରେ ୩ରୁ ୪ ଜଣିଆ ଗ୍ରୁପ୍‍ କରି ପ୍ରଥମେ ପ୍ରଶିକ୍ଷଣ ଆରମ୍ଭହେବ।

ବକ୍ସରଙ୍କୁ କଠିନ ଶାରୀରିକ ଅଭ୍ୟାସ କରିବାକୁ ବାରଣ କରାଯାଇଛି। କାରଣ କଠିନ ଶାରୀରିକ ଅଭ୍ୟାସ କଲେ ବକ୍ସର ଜଣକଙ୍କର ରୋଗ ପ୍ରତିଷେଧକ ଶକ୍ତି ୭୨ ଘଣ୍ଟା ପର୍ୟ୍ୟନ୍ତ କମ୍‍ ହୋଇଯିବ। ଫଳରେ ସହଜରେ ତାଙ୍କଠାରେ ସଂକ୍ରମଣ ହୋଇପାରେ। ଶିବିର ଆରମ୍ଭର ପ୍ରଥମଦିନ ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ବକ୍ସର, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‍ଙ୍କର କ୍ରୀଡ଼ା ପରିସର ଫାଟକ ପାଖରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଏବଂ ସ୍ୱାବ୍‍ ନମୁନା ସଂଗ୍ରହ କରାଯିବ। ଉକ୍ତ ନମୁନା ପରୀକ୍ଷାର ଫଳାଫଳ ନ ଆସିବା ପର୍ୟ୍ୟନ୍ତ ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‍ରେ ରହିବାକୁ ପଡ଼ିବ। ଫଳାଫଳ ନେଗେଟିଭ୍‍ ଆସିଲେ ହେଁ ଶିବିରାର୍ଥୀଙ୍କୁ ଭିତରକୁ ଯିବାକୁ ଦିଆଯିବ।

Comments are closed.