ସ୍ତ୍ରୀ ଚାହିଁଲେ ସ୍ବାମୀଙ୍କୁ ସମସ୍ତ ଅସୁବିଧାରୁ ରକ୍ଷା କରିପାରିବେ

ଏକ ଲୋକ କଥା ଅନୁସାରେ, ପୁରାଣ ସମୟରେ ଏକ ଦମ୍ପତ୍ତିଙ୍କୁ ସନ୍ତାନ ପ୍ରାପ୍ତି ହୋଇ ପାରୁ ନ ଥିଲା। ଦମ୍ପତ୍ତି ସନ୍ତାନ ପ୍ରାପ୍ତି ପାଇଁ ଦେବୀ ମା’ଙ୍କର ତପସ୍ୟା କରିଲେ। ଦେବୀ ମା’ ଦମ୍ପତ୍ତିଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ସେମାନଙ୍କୁ କହିଲେ ଯେ, ମୁଁ ତୁମକୁ ଦୁଇ ପ୍ରକାର ପୁତ୍ର ପ୍ରାପ୍ତି ପାଇଁ ଆଶୀର୍ବାଦ ଦେଇପାରିବି। ଜଣେ ହଜାର ବର୍ଷ ବଞ୍ଚିବ କିନ୍ତୁ ସେ ମୁର୍ଖ ହେବ। ଅନ୍ୟ ଜଣେ ବୁଦ୍ଧିମାନ ହେବା ସତ୍ତ୍ବେ ଅଳ୍ପାୟୁ ହେବ। ତୁମକୁ କିପରି ପୁତ୍ର ଦରକାର ? ଦମ୍ପତ୍ତି କହିଲେ ଯେ, ଆମକୁ ବୁଦ୍ଧିମାନ ଓ ଅଳ୍ପାୟୁ ପୁତ୍ର ଦରକାର।
କିଛି ଦିନ ପରେ ଦମ୍ପତ୍ତିଙ୍କର ଏକ ପୁତ୍ର ସନ୍ତାନ ହେଲା। ସେ ଯେତେବେଳେ ୫ବର୍ଷର ହୋଇଗଲା ଦମ୍ପତ୍ତି ଚିନ୍ତା କଲେ ଯେ, ଆମ ପୁତ୍ର ଅଳ୍ପାୟୁ। ଜଣା ନାହିଁ କେବେ ତା ଜୀବନ ଚାଲିଯିବ। ପତ୍ନୀ ନିଜ ପୁତ୍ରକୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଗୁରୁକୂଳ ଆଶ୍ରମକୁ ପଠାଇ ଦେଲେ।
ସେ ସମସ୍ତ ଶିକ୍ଷା ଗ୍ରହଣ କଲେ। ଯେତେବେଳେ ସେ ୧୬ବର୍ଷର ଯୁବକ ହୋଇଗଲା ତାର ବିବାହ ଜଣେ ସୁନ୍ଦର ଓ ସଂସ୍କାରୀ କନ୍ୟା ସହ କରି ଦିଆଗଲା। ବିବାହ ଦିନ ଯମରାଜା ଯୁବକର ପ୍ରାଣ ନେବା ପାଇଁ ନାଗ ସାପ ଅବତାର ଗ୍ରହଣ କରି ତା ନିକଟକୁ ଆସିଲେ।
ସୁଯୋଗ ପାଇବା ପରେ ନାଗ ସାପ ଯୁବକଙ୍କୁ ଦଂଶନ କରିବାରୁ ତାଙ୍କର ମୃତ୍ୟୁ ହୋଇଗଲା। ଏହା ଦେଖି କନ୍ୟା ନାଗ ସାପଙ୍କୁ ଉଠାଇ ଏକ ସାପ ପେଡିରେ ରଖି ଦେଲେ। କନ୍ୟା ଜଣକ ଦେବୀ ମା’ଙ୍କ ଭକ୍ତ ଓ ତପସ୍ବୀ ଥିଲେ। ଏକଥା ଯେତେବେଳେ ସମସ୍ତ ଦେବାଦେବୀ ଜାଣିଲେ ସେମାନେ ଦେବୀ ମା’ଙ୍କ ନିକଟରେ ଯମରାଜଙ୍କୁ ମୁକ୍ତ କରିବା ପାଇଁ ପ୍ରାର୍ଥନା କଲେ। କାରଣ ଯମରାଜଙ୍କ ବିନା ସୃଷ୍ଟିର ସଞ୍ଚାଳନ ଅଟକି ରହିଥିଲା।
ଏକଥା ଜାଣିବା ପରେ ଦେବୀ ମା’ ସେହି କନ୍ୟା ସମ୍ମୁଖରେ ପ୍ରକଟ ହୋଇ ନାଗ ସାପକୁ ଛାଡିବାକୁ କହିଲେ। କିନ୍ତୁ କନ୍ୟା କହିଲେ ଯେ, ନାଗ ସାପକୁ ମୁକ୍ତ କରିବାକୁ ହେଲେ ସେ ମୋ ସ୍ବାମୀଙ୍କୁ ପ୍ରାଣ ଦାନ ଦେବାକୁ ପଡିବ। କନ୍ୟା ଜଣଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ ନିଜ କଥାରେ ଅଟଳ ରହିଲେ। ସମସ୍ତ ଦେବାଦେବୀ ତାଙ୍କର ସତୀତ୍ବ ଆଗରେ ହାର ମାନିବା ସହ ପ୍ରଶଂସା ମଧ୍ୟ କଲେ। ଏହାସହ ଯୁବକଙ୍କୁ ପ୍ରାଣ ଦାନ କଲେ।
ଶିକ୍ଷା :
ସ୍ତ୍ରୀ ନିଜ ସ୍ବାମୀଙ୍କୁ ବଡରୁ ଅତି ବଡ ଅସୁବିଧାରୁ ଦୂରେଇ ରଖେ।
ଶାସ୍ତ୍ର ଅନୁଯାୟୀ ମାନ୍ୟତା ରହିଛି ଯେ, ସ୍ତ୍ରୀ କରୁଥିବା ପ୍ରତ୍ୟେକ ଶୁଭ କାର୍ୟ୍ୟ ଦ୍ବାରା ସ୍ବାମୀ ଶକ୍ତିଶାଳୀ ହେବା ସହ ଅସୁବିଧାରୁ ରକ୍ଷା ପାଇଥାଆନ୍ତି। ତେଣୁ ସ୍ତ୍ରୀମାନେ ସ୍ବାମୀଙ୍କ ଆୟୁଷ ବୃଦ୍ଧି ଓ ସୌଭାଗ୍ୟ ପାଇଁ ବ୍ରତ, ଉପବାସ କରିଥାଆନ୍ତି।

Comments are closed.