ସାମ୍ବାଦିକଙ୍କ ଗିରଫକୁ ନେଇ ଆଇଏନଏସ୍‍ର ଉଦ୍‍ବେଗ

0

ନୂଆଦିଲ୍ଲୀ : ସାମ୍ବାଦିକ ଦୁର୍ଗ ସିଂହ ରାଜପୁରୋହିତଙ୍କ ଗିରଫକୁ ନେଇ ଇଣ୍ଡିଆନ ନ୍ୟୁଜପେପର୍ସ ସୋସାଇଟି (ଆଇଏନଏସ୍‍) ଉଦ୍‍ବେଗ ପ୍ରକାଶ କରିଛି। ଚଳିତ ମାସ ଆରମ୍ଭରେ ବିହାର ପୁଲିସ ଦୁର୍ଗ ସିଂହଙ୍କୁ ରାଜସ୍ଥାନର ବାରମେର ଜିଲାରୁ ଗିରଫ କରିଥିଲା। ଦୁର୍ଗ ସିଂହ ଏବେ ଜାମିନରେ ମୁକ୍ତ ହୋଇଥିବାବେଳେ ତାଙ୍କ ଗିରଫକୁ ନେଇ ଉଦ୍‍ବେଗ ପ୍ରକାଶ ପାଇଛି। ତାଙ୍କ ଗିରଫ ଗଣମାଧ୍ୟମର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇଛି। ଦୁର୍ଗ ସିଂହ ଅଭିଯୋଗ କରିଛନ୍ତି ଯେ ରାଜନୈତିକ ଚାପକ୍ରମେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ କେତେକ ପ୍ରଭାବଶାଳୀ ରାଜନେତା କ୍ଷୁବ୍ଧ ହୋଇ ଏପରି ପଦକ୍ଷେପ ନେଇଛନ୍ତି। ଦୁର୍ଗ ସିଂହଙ୍କ ଗିରଫ ପ୍ରସଙ୍ଗ ଉପରେ ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆଇଏନଏସ୍‍ ବିହାର ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛି। ଆଇଏନଏସ୍‍ କହିଛି ଯେ ଏହି ଘଟଣାରେ ଦୁଇ ରାଜ୍ୟ ପୁଲିସଙ୍କ ଭୂମିକାକୁ ତଦନ୍ତ କରାଯିବା ଦରକାର।

Leave A Reply