ଟୁଟିକୋରିନରେ ପହଞ୍ଚିଲା ଆଇଏନ୍‍ଏସ୍‍-ଜଳାସ୍ୱ : ଫେରିଲେ ୭୦୦ ଭାରତୀୟ

ସମୁଦ୍ର ସେତୁ କାର୍ଯ୍ୟକ୍ରମରେ ଫେରିଲେଣି ୨,୮୮୫ ଭାରତୀୟ

ଚେନ୍ନଇ : ବନ୍ଦେ ଭାରତ ମିଶନ୍‍ର ସମୁଦ୍ର ସେତୁ କାର୍ଯ୍ୟକ୍ରମରେ ଭାରତୀୟ ନୌଜାହାଜ ଆଇଏନ୍‍ଏସ୍‍-ଜଳାସ୍ୱ ୭୦୦ ଭାରତୀୟଙ୍କୁ ଧରି ରବିବାର ତାମିଳନାଡୁର ଟୁଟିକୋରିନରେ ପହଞ୍ଚିଛି। ସମୁଦ୍ର ସେତୁ କାର୍ଯ୍ୟକ୍ରମରେ ଚତୁର୍ଥ ପର୍ଯ୍ୟାୟରେ ନୌଜାହାଜରେ  ଭାରତୀୟମାନଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।

ଆଇଏନ୍‍ଏସ୍‍-ଜଳାସ୍ୱ ଗତ ୪ ତାରିଖରେ ମାଲେରେ ପହଞ୍ଚିଥିଲା। ମାଲେସ୍ଥିତ ଭାରତୀୟ ଦୂତାବାସ ଏବଂ ମାଳଦୀପ ସରକାରଙ୍କ ସମନ୍ବୟରେ ସେଠାରେ ବିଭିନ୍ନ ସ୍ଥାନରେ ଥିବା ଭାରତୀୟମାନଙ୍କୁ ବସ୍ ଯୋଗେ ଏବଂ ଅନ୍ୟ କେତେକଙ୍କୁ ଡଙ୍ଗା ଯୋଗେ ମାଲେ ଅଣାଯାଇଥିଲା। ଆଇଏନ୍‍ଏସ୍‍-ଜଳାସ୍ୱ ୫ ତାରିଖ ସନ୍ଧ୍ୟାରୁ ସେଠାରୁ ଯାତ୍ରା ଆରମ୍ଭ କରିଥିଲା। ବନ୍ଦେ ଭାରତ ମିଶନରେ ଭାରତୀୟ ନୌବାହିନୀ ବିଦେଶରୁ ଭାରତୀୟମାନଙ୍କୁ ସ୍ୱଦେଶ ଆଣୁଛି।
ଗତ ମାସରେ ଆଇଏନ୍‍ଏସ୍‍-ଜଳାସ୍ୱ ୨ଥର ଏବଂ ଆଇଏନ୍‍ଏସ୍‍-ମଗର ଥରେ ମାଲେରୁ ୧୫୦୦ ଭାରତୀୟଙ୍କୁ କୋଚି ଫେରାଇ ଆଣିଥିଲା। ସେହିପରି ସମୁଦ୍ର ସେତୁ କାର୍ଯ୍ୟକ୍ରମ ଅଧିନରେ  ଆଇଏନ୍‍ଏସ୍‍-ଜଳାସ୍ୱ  ଗତ ସପ୍ତାହରେ ୬୮୫ ଭାରତୀୟଙ୍କୁ ଶ୍ରୀଲଙ୍କାରୁ ତାମିଳନାଡୁର ଟୁଟିକୋରିନକୁ ଫେରାଇ ଆଣିଥିଲା।