ଶକ୍ତିହୀନ ହେବାରେ ଲାଗିଛି ଆହତ ଦନ୍ତା ; ତୁରନ୍ତ ଚିକିତ୍ସାସେବା ଯୋଗାଇଦେବା ପାଇଁ ଦାବି

ଗୁରୁଡିଝାଟିଆ : ବ୍ରାହ୍ମଣବସ୍ତ ଓ ସୁବାସୀ ସଂରକ୍ଷିତ ଜଙ୍ଗଲରେ ଆହତ ଦନ୍ତା ଏବେ ଶକ୍ତିହୀନ। ସଠିକ୍ ଭାବରେ ଚାଲିପାରୁନାହିଁ । ତାର ଚଳନ ଶକ୍ତି ହ୍ରାସ ପାଇଯାଇଥିବାରୁ ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି । ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି ହାତୀ ଶରୀରରେ ସଂକ୍ରମଣ ଦିନଦକୁ ଦିନ ବଢିବାରେ ଲାଗିଛି । କେତେବେଳେ ଯେ କଣ ହେବ ତାହା ମଧ୍ୟ କହିବା ସମ୍ଭବପର ନୁହେଁ । ଏଣୁ ବେଳ ଥାଉଥାଉ ବନବିଭାଗ ବିଶେଷଜ୍ଞମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରି ତୁରନ୍ତ ନିଶ୍ଚେତକ ଜରିଆରେ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା ନକଲେ ନେଡିଗୁଡି କହୁଣୀକୁ ବୋହିଯିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଏଭଳି ସ୍ଥିତିକୁ ନେଇ ପରିବେଶବିତମାନେ ବନବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ୱବାଚୀ ସୃଷ୍ଟି କରିଛନ୍ତି । ଗତ ୩ ସପ୍ତାହ ଧରି ହାତୀଟି ଜଙ୍ଗଲରେ ଏଣେ ତେଣେ ଘୁରି ବୁଲୁଥିଲେ ମଧ୍ୟ ବିଶେଷଜ୍ଞ ଦଳ ନିଶ୍ଚେତକ ଦ୍ୱାରା ଟ୍ରାଙ୍କୁଲାଇଜ୍ କରିବାରେ ବିଫଳ କାହିଁକି ?

ପ୍ରକାଶଯୋଗ୍ୟ ଆଠଗଡ ବନଖଣ୍ଡ ଅଧିକାରୀ ଗୋପିନାଥ ସୁଦର୍ଶନ ଯାଦବଙ୍କ ନେତୃତ୍ୱରେ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ପାଲ ସିଂହ ମାଥୁର ଓ ବନକର୍ମଚାରୀମାନେ ୨ ସପ୍ତାହ ଧରି ହାତୀଟିକୁ ଠାବ କରିବା ସହ ଚିକିତ୍ସାସେବା ଯୋଗାଇଦେବା ପାଇଁ ନିଶ୍ଚେତକ ବିଶେଷଜ୍ଞ ଦଳକୁ ଡାକି ବିଫଳ ହୋଇଛନ୍ତି । ଏବେବି ଉଦ୍ୟମ ଜାରି ରଖିଛନ୍ତି । ହେଲେ ଆହତ ଦନ୍ତାଟି ଶକ୍ତିହୀନ ସତ୍ୱେ ଲୁଚକାଳି ଖେଳି ଜଙ୍ଗଲରେ ଗଛ ଆଢୁଆଳରେ ରହିଯାଉଛି । ଏ ସବୁ ସତ୍ୱେ ଆହତ ଦନ୍ତା ଦିନକୁ ଦିନ ଶକ୍ତିହୀନ ହୋଇପଡୁଥିବାରୁ ତାକୁ ଚିକିତ୍ସାସେବା ଯୋଗାଇଦେବା ବନବିଭାଗର ପ୍ରଧାନ ଓ ପ୍ରଥମ କାର୍ଯ୍ୟ । ଟ୍ରାଙ୍କୁଲାଇଜ୍ କରିବା ପାଇଁ ଉଦ୍ୟମ କରାଯାଉଥିଲେ ମଧ୍ୟ ବିଶେଷଜ୍ଞ ଦଳର କାର୍ଯ୍ୟଶୈଳୀ ପ୍ରତି ମଧ୍ୟ ପରିବେଶବିତମାନେ ପ୍ରଶ୍ନ ଉଠାଇଛନ୍ତି । ୨୦ ଦିନ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଯଦି ଟ୍ରାଙ୍କୁଲାଇଜ୍ ପାଇଁ ସକ୍ଷମ ହୋଇନାହାନ୍ତି। ତେବେ ତୁରନ୍ତ ଆହତ ଦନ୍ତାକୁ ଚିକିତ୍ସାସେବା ଯୋଗାଇଦେବା ପାଇଁ ପରିବେଶବିତ୍ ବିମ୍ବାଧର ନାୟକ ଦାବି ଜଣାଇଛନ୍ତି।

Comments are closed.