ବିଜେପିର ହିନ୍ଦୁତ୍ୱ କାର୍ଡରେ ଚିନ୍ତିତ ମମତା: ଜାରି ହେଲାନି ନିର୍ବାଚନୀ ଇସ୍ତାହାର, ହ୍ୱିଲ ଚେୟାରରେ କରିବେ ପ୍ରଚାର

କୋଲକାତା (ସ୍ୱତନ୍ତ୍ର ପ୍ରତିନିଧି): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ବୃଦ୍ଧି ସହ ଭୋଟରଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି, ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ବିଜେପିକୁ ଭୟ କରୁଛନ୍ତି କି ବେଙ୍ଗଲରେ କଣ ବିଜେପିର ହିନ୍ଦୁତ୍ୱ କାର୍ଡ ପ୍ରଭାବ ପକାଇବ କି? ନନ୍ଦିଗ୍ରାମରେ ଏକ ସାଧାରଣ ସଭାରେ ଏକ ଅଭିଭାଷଣରେ ମମତା ବାରମ୍ବାର ଦୋହରାଇଥିଲେ ଯେ ସେ ଜଣେ ହିନ୍ଦୁ, ଦେବୀ କାଳୀଙ୍କ ପୂଜା କରି ଆସିଛନ୍ତି। ସେମାନଙ୍କର ଚଣ୍ଡୀ ପୂଜା ମଧ୍ୟ ହୋଇଥାଏ। ତେବେ ସେ ଯେତେବେଳେ ନିଜେ ମଞ୍ଚରୁ ସଂସ୍କୃତ ଭାଷାରେ ଚଣ୍ଡୀ ପାଠ କଲେ, ସେତେବେଳେ ଗଣମାଧ୍ୟମ ଏବଂ ସର୍ବସାଧାରଣ ମମତାଙ୍କର ଏହି ରୂପ ଦେଖି ସେ ଆଶ୍ଚର୍ଯ୍ୟ ହେଲେ। ହିନ୍ଦୁ ପ୍ରସଙ୍ଗ ନେଇ ନ ଖେଳିବାକୁ ସେ ବିଜେପିକୁ ମଂଚ ଉପରୁ ଚେତାବନୀ ମଧ୍ୟ ଦେଇଥିଲେ। ସେ କହିଥିଲେ, ମୁଁ ହିନ୍ଦୁ କିନ୍ତୁ ସମସ୍ତଙ୍କୁ ସମ୍ମାନ କରେ। ସୂଚନାଯୋଗ୍ୟ ଯେ ଯେ ପଶ୍ଚିମବଙ୍ଗ ଜନସଂଖ୍ୟାର ୭୦ ପ୍ରତିଶତ ହିନ୍ଦୁ ଅଟନ୍ତି।

ପୂର୍ବରୁ ଦିଦିଙ୍କର ଏଭଳି ରାଜନୈତିକ ରୂପ ହୁଏତ କେହି କେବେ ଦେଖିଥିବେ। ସେ କେବେ ଧର୍ମ, ସଂପ୍ରଦାୟ ଓ ଜାତିକୁ ନେଇ ରାଜନୀତି କରୁଥିବା ଦେଖିବାକୁ ମିଳି ନଥିଲା। ତେବେ ୨୦୨୧ ନିର୍ବାଚନରେ ​​ଏମିତି କ’ଣ ହେଲା? ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ତ୍ତମାନ ନନ୍ଦିଗ୍ରାମ ଉପରେ ଧ୍ୟାନ ଦେଇଛନ୍ତି। ନନ୍ଦିଗ୍ରାମରେ ମହାସଂଗ୍ରାମକୁ କେବଳ ଟିଏମସି ନୁହେଁ ବରଂ ବିଜେପି ମଧ୍ୟ ଗୁରୁତ୍ୱ ଦେଉଛି। ମମତା ହଳଦିଆ ଯାଇ ପ୍ରାର୍ଥୀପତ୍ର ପୁରଣ କରିବା ପୂର୍ବରୁ ଶିବ ମନ୍ଦିରରେ ଜଳାଭିଷେକ କରିଥିଲେ। ପୂର୍ବରୁ ମମତାଙ୍କ ଅତି ନିକଟତର ଥିବା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ହନୁମାନ ମନ୍ଦିରକୁ ଯାଇ ପୂଜା କରିଥିଲେ। ଅଧିକାରୀ ଦାବି କରିଛନ୍ତି ଯେ ସେ ମମତାଙ୍କୁ ୫୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିବେ। ଏଥି ସହିତ, ମମତା ନନ୍ଦୀଗ୍ରାମର ଲୋକଙ୍କୁ ମନେ ପକାଇବାକୁ ଭୁଲି ନାହାଁନ୍ତି ଯେ ସେ କିପରି ଚାଷୀଙ୍କ ଜମି ବଞ୍ଚାଇବା ପାଇଁ ୨୬ ଦିନ ଭୋକ ଉପାସରେ ବସିଥିଲେ।

ମମତାଙ୍କ ହିନ୍ଦୁ ରୂପ ଦେଖି କଂଗ୍ରେସ ସଭାପତି ଆଧୀର ରଂଜନ ତାଙ୍କୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ ମମତା ବିଜେପିକୁ ଡରୁଛନ୍ତି। ପ୍ରଥମ ଥର ପାଇଁ ତାଙ୍କୁ ନିଜକୁ ବ୍ରାହ୍ମଣ ବୋଲି ପ୍ରମାଣ କରିବାକୁ ପଡୁଛି। ଏକଥା ମଧ୍ୟ ଅଛପା ନୁହେଁ ଯେ ଅନେକ ସମୟରେ ବିଜେପି ମମତାଙ୍କୁ ମୁସଲମାନ ସପକ୍ଷବାଦୀ କହି ଆରୋପ କରିଥାଏ।

ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ବର୍ତ୍ତମାନ ଏକ ରାଜନୈତିକ ରୂପ ଧାରଣ କରିଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମମତା ଦଳର ନିର୍ବାଚନୀ ଇସ୍ତାହାର ଜାରି କରିବା କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି। ଟିଏମସି ନେତାମାନେ ନିର୍ବାଚନ ଆୟୋଗଙ୍କ ଠାରେ ମଧ୍ୟ ଆକ୍ରମଣ ନେଇ ଅଭିଯୋଗ କରିଛନ୍ତି। ଆକ୍ରମଣରେ ଗୋଡ ଭାଙ୍ଗି ଯାଇଥିବା ମମତାଙ୍କ ଭଣଜା ଅଭିଷେକ ବାନାର୍ଜୀ ଗଣମାଧ୍ୟମକୁ କହିଛନ୍ତି। ବିଜେପି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏହି ଘଟଣା ସମ୍ପର୍କରେ ଦଳର ନେତା ଶେଖ ସୋଫିଆଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ ହୋଇଛି। ମମତାଙ୍କ ଉପରେ ହୋଇଥିବା ଆକ୍ରମଣର ସବୁ ଦୋଷ ଏବେ ବିଜେପି ମୁଣ୍ଡରେ ଲଦି ଦିଆଯାଇଛି। ପାର୍ଟି ସାଂସଦ ଡେରେକ ଓ’ବ୍ରାଇନ୍ କହିଛନ୍ତି ଯେ ମାର୍ଚ୍ଚ ୧୦ରେ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ଯେ ପାଞ୍ଚଟା ବେଳେ କଣ ଘଟିବ ଆପଣ ବୁଝିଯିବେ। ଆଉ ଛଅଟା ବେଳେ ଦଳର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହେଉଛି। ଦଳ ଚାହୁଁଛି ସତ୍ୟ ଖୁବ ଶୀଘ୍ର ପ୍ରକାଶ ପାଉ। ମମତା କହିଛନ୍ତି ଯେ ତାଙ୍କୁ କେହି ତାଙ୍କୁ ଠେଲି ଦେଇଛି। ତେବେ ପାଦରେ ଆଘାତ ଲାଗିଥିବା କାରଣରୁ ଆଗାମୀ ଦିନରେ ମମତା ହ୍ୱିଲ ଚେୟାରରେ ପ୍ରଚାର କରିବେ ବୋଲି ଜଣାପଡିଛି।

ପଶ୍ଚିମବଙ୍ଗରେ ମୋଟ ୨୯୪ ବିଧାନସଭା ଆସନ ପାଇଁ ଏଥର ୮ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ୨୯୪ ଆସନ ବିଶିଷ୍ଟ ବିଧାନସଭା ପାଇଁ ୨୭ ମାର୍ଚ୍ଚ (୩୦ଟି ଆସନ), ୧ ଏପ୍ରିଲ୍ (୩୦ଟି ଆସନ), ୬ ଏପ୍ରିଲ୍ (୩୧ଟି ଆସନ), ୧୦ ଏପ୍ରିଲ୍ (୪୪ଟି ଆସନ), ୧୭ ଏପ୍ରିଲ୍ (୪୫ଟି ଆସନ), ୨୨ ଏପ୍ରିଲ୍ (୪୩ଟି ଆସନ), ୨୬ ଏପ୍ରିଲ୍ (୩୬ଟି ଆସନ) ଓ ୨୯ ଏପ୍ରିଲ୍ (୩୫ଟି ଆସନ)ରେ ନିର୍ବାଚନ ଅନୁଷ୍ଠିତ ହେବ। ଭୋଟ ଗଣନା ମେ’ ୨ରେ କରାଯିବ।

Comments are closed.