କାନାଡ଼ାର ପ୍ରଭାବୀ ମହିଳା ହେଲେ ଓଡ଼ିଆ ପ୍ରଫେସର ମଞ୍ଜୁ ମିଶ୍ର

କଟକ : ବିଶିଷ୍ଟ ରସାୟନବିତ୍‍ ଓଡ଼ିଆ ମହିଳା ପ୍ରଫେସର ଡ. ମଞ୍ଜୁ ମିଶ୍ର ୨୦୨୦ ବର୍ଷ ପାଇଁ କାନାଡ଼ାର ପ୍ରଭାବୀ ମହିଳା ଭାବେ ଘୋଷିତ ହୋଇଛନ୍ତି। ମ୍ୟାଟେରିଆଲ ସାଇନ୍‍ସ ଇଞ୍ଜିନିୟରିଂରେ ଉଲ୍ଲେଖନୀୟ ଗବେଷଣା ପାଇଁ ଉଇମେନ୍‍ ଏକ୍‍ଜିକ୍ୟୁଟିଭ ନେଟୱାର୍କ ପକ୍ଷରୁ ପ୍ରଫେସର ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ଦ୍ୱାରା ମହିଳା ଯୁବଗୋଷ୍ଠୀ ବିଜ୍ଞାନ ଓ ଇଞ୍ଜିନିୟରିଂ ଶିକ୍ଷାରେ ଅଧିକ ଅଧ୍ୟୟନ, ଗବେଷଣା ଦ୍ୱାରା ଅଭିଳାଷୀ ହୋଇ ମହତ୍ତର ବିଶ୍ୱ ଗଠନ କ୍ଷେତ୍ରରେ ଆଗେଇ ଆସିବେ ବୋଲି ପ୍ରଫେସର ମିଶ୍ର କହିଛନ୍ତି। ସେ କାନାଡ଼ାର ହାଉସ୍‍ ଅଫ୍‍ କମନ୍‍ସରେ ପରିବେଶ ଏବଂ ତତ୍‍ସଂକ୍ରାନ୍ତ ବିକାଶ ବିଷୟବସ୍ତୁ ଉପରେ ଉଦ୍‍ବୋଧନ ଦେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। କାନାଡ଼ାସ୍ଥିତ ଗୁଏଲ୍‍ଫ ବିଶ୍ୱବିଦ୍ୟାଳୟର ସ୍କୁଲ୍‍ ଅଫ୍‍ ଇଞ୍ଜିନିୟରିଂ ଏବଂ ଡିପାର୍ଟମେଣ୍ଟ ଅଫ୍‍ ପ୍ଲାଣ୍ଟ ଏଗ୍ରିକଲଚରରେ ରସାୟନ ବିଜ୍ଞାନ ପ୍ରଫେସର ଭାବେ ସେ ଏବେ କାର୍ଯ୍ୟରତା ଅଛନ୍ତି। କଟକର ବିଶିଷ୍ଟ ସଂସ୍କୃତ ଓ ହିନ୍ଦୀ ଭାଷା ବିଦ୍ୱାନ ସ୍ୱର୍ଗତ ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜ୍ୟେଷ୍ଠା କନ୍ୟା ପ୍ରଫେସର ମିଶ୍ର ରେଭେନ୍‍ସା, ବିଜେବି ଏବଂ କେନ୍ଦୁଝର ମହିଳା ମହାବିଦ୍ୟାଳୟରେ ଅଧ୍ୟାପନା କରିବା ପରେ ଜର୍ମାନୀ, ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପିକା ଭାବେ କାର୍ଯ୍ୟ କରିଥିଲେ। ସେ ରେଭେନ୍‍ସା କଲିଜିଏଟ୍‍ ସ୍କୁଲରୁ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ମାଟ୍ରିକ ପାସ୍‍ କରିବା ପରେ ରେଭେନ୍‍ସା କଲେଜରୁ ରସାୟନ ଶାସ୍ତ୍ରରେ ସ୍ନାତକୋତ୍ତର ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଲିମର ସାଇନ୍‍ସ୍‍ରେ ପିଏଚ୍‍ଡି ଲାଭ କରିଥିଲେ। ପ୍ରଫେସର ମିଶ୍ରଙ୍କ ସ୍ୱାମୀ ପ୍ରଫେସର ଡ. ଅମର କୁମାର ମହାନ୍ତି ଗୁଏଲ୍‍ଫ ବିଶ୍ୱବିଦ୍ୟାଳୟ ବାଇପ୍ରଡକ୍ଟ ଡିସ୍‍କଭରି ଏବଂ ଡେଭଲପମେଣ୍ଟ ସେଣ୍ଟରରେ ଏବେ ନିର୍ଦେଶକ ଅଛନ୍ତି।

Comments are closed.