ଅନୁପ୍ରବେଶ ପାଇଁ ୨୫୦ ଆତଙ୍କବାଦୀ ପ୍ରସ୍ତୁତ

0

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ଏବେ ବି ୨୫୦ରୁ ୨୭୫ ଆତଙ୍କବାଦୀ ସକ୍ରିୟ ଅଛନ୍ତି ଓ ନିୟନ୍ତ୍ରଣ ରେଖା ନିକଟରେ ୨୫୦ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ଜିଓସି ଲେଫ୍ଟନାଣ୍ଟ ଜେନେରାଲ ଏକେ ଭଟ୍ଟ ପ୍ରକାଶ କରିଛନ୍ତି। ସୀମା ସେପଟେ ପାକିସ୍ତାନରେ ୨୦ରୁ ୨୫ଟି ଆତଙ୍କବାଦୀଙ୍କ ଶିବିର ରହିଛି ଓ ସେଠାରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସାମ୍ବାଦିକଙ୍କୁ ଜେନେରାଲ ଏକେ ଭଟ୍ଟ ସୂଚନା ଦେଇଥିଲେ ଯେ ଘାଟିରେ ଏବେ ଆଇଏସ୍‍ର ଏକ ଛୋଟ ଗୋଷ୍ଠୀ ସକ୍ରିୟ ରହିଛି। ଦାଉଦ ସୋଫି ଏହି ସଂଗଠନର ମୁଖ୍ୟ ଥିଲା ବେଳେ ନିକଟରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ନିଜ ତିନି ସାଥୀଙ୍କ ସହ ସେ ନିହତ ହୋଇଛି। ଏବେ ଏହି ସଂଗଠନରେ ବେଶୀ ଲୋକ ନାହାନ୍ତି। କେବଳ ଆଇଏସ୍‍ଠାରୁ ଏହି ସଂଗଠନ ବିଚାରାତ୍ମକ ସମର୍ଥନ ଲାଭ କରୁଛି। ଶ୍ରୀନଗର ସହର ମଧ୍ୟରେ ଆତଙ୍କବାଦୀମାନେ ସକ୍ରିୟ ଥିବାର ସେଭଳି ଠୋସ୍‍ ପ୍ରମାଣ ବା ସଂକେତ ମିଳିନଥିଲେ ମଧ୍ୟ କେତେକ ଆତଙ୍କବାଦୀ ଭିତରିଆ ଲୁଚି ରହିଛନ୍ତି। ପୁଲିସ୍‍ ଓ ସେନା ମିଶି ଏହି ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିବ। ଏନ୍‍ଏସ୍‍ଜିର କେତେକ ପ୍ଲାଟୁନ୍‍ ଶ୍ରୀନଗର ଆସୁଛନ୍ତି। ଏନ୍‍ଏସ୍‍ଜି କମାଣ୍ଡୋଙ୍କ ସହ ମିଶି ସେନା ଶ୍ରୀନଗରରେ କେତେକ ଅଭିଯାନ କରିବ। କୌଣସି ପ୍ରକାର ଆକ୍ରମଣର ମୁକାବିଲା କରିବା ପାଇଁ ସୁରକ୍ଷା ବଳ ପ୍ରସ୍ତୁତ ରହିଛି। ସେ କହିଥିଲେ ଯେ ସୀମାରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବିଭିନ୍ନ ସଂଗଠନର ବହୁ ଆତଙ୍କବାଦୀ ଜାମ୍ମୁ-କାଶ୍ମୀର ମଧ୍ୟକୁ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଅନୁପ୍ରବେଶ ପାଇଁ ଆତଙ୍କବାଦୀଙ୍କ ପ୍ରସ୍ତୁତିକୁ ଦେଖି ଗୁଇନ୍ଦା ବିଭାଗ ସତର୍କ ସୂଚନା ଜାରି କରିଛି। ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ପ୍ରତିହତ କରିବାକୁ ସେନା ଓ ପୁଲିସ୍‍ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ସେ କହିଛନ୍ତି।

Leave A Reply