ଶିଳ୍ପାୟନର ଶିକାର

ବନ୍ଦ ଶିଳ୍ପାନୁଷ୍ଠାନ :
କନକାଷ୍ଟ
ଜୈନ ଷ୍ଟିଲ୍‌ ଆଣ୍ଡ ପାୱାର
ସିଘଂଲ ଏଣ୍ଟରପ୍ରାଇଜେସ
ଜୟ ହନୁମାନ ଉଦ୍ୟୋଗ
ମାଧବ ଇସ୍ପାତ
ଏମଏସପି
ଆକ୍ସନ ଇସ୍ପାତ
ହୀର୍ମା ସିଘଂଲ ଷ୍ଟିଲ
ସମଲେଶ୍ୱରୀ ସ୍ପଞ୍ଜ ଆଇରନ
ଭାସ୍କର ଟେକ୍ସଟାଇଲ୍‌ ମିଲ୍‌
ଓରିଏଣ୍ଟ୍‌ ପେପର୍ ମିଲ୍‌

ଝାରସୁଗୁଡ଼ା (ସୁବାସଚନ୍ଦ୍ର ପ୍ରଧାନ) : ଓଡ଼ିଶା ସରକାର ରାଜ୍ୟରେ ଶିଳ୍ପାୟନ ନେଇ ନୂଆନୂଆ ସ୍ବପ୍ନ ଦେଖାଇ ଆସିଥିବାବେଳେ ଗୋଟିଏ ପରେ ଗୋଟିଏ ପ୍ରତିଷ୍ଠିତ ଶିଳ୍ପାନୁଷ୍ଠାନ ବନ୍ଦ ହୋଇଯିବା ଉଦ୍‌ବେଗ ସୃଷ୍ଟି କରିଛି। ଏ କ୍ଷେତ୍ରରେ କେବଳ ଗୋଟିଏ ଜିଲା ଝାରସୁଗୁଡ଼ାର ଦୁର୍ଗତିକୁ ଦେଖିଲେ ହିଁ ସ୍ଥିତି କେତେ ସଂଗିନ, ତାହା ସହଜରେ ଜଣାପଡ଼ିଯାଏ। ମାତ୍ର ୪ ବର୍ଷ ଭିତରେ ବିଭିନ୍ନ କାରଣରୁ ଜିଲାର ୧୧ଟି ଶିଳ୍ପ ସଂସ୍ଥା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଜିଲାରେ ନୂଆ କଳକାରଖାନାସବୁ ପ୍ରତିଷ୍ଠା ହେବାପରେ ଲୋକେ ସେଠାରେ କାମ କଲେ; ଏପରିକି ଚାଷ ଭଳି କୌଳିକ ବୃତ୍ତିରୁ ଦୂରେଇଗଲେ। କିନ୍ତୁ ସେଗୁଡ଼ିକ ବନ୍ଦ ହୋଇଯିବା ଦ୍ବାରା ଏହାର ସିଧାସଳଖ ପ୍ରଭାବ ଜିଲାର ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ଓ ବ୍ୟବସାୟ ଉପରେ ପଡ଼ିବାରେ ଲାଗିଛି। ଏଠାରେ ଦ୍ରୁତ ଗତିରେ ବେକାରୀ ସମସ୍ୟା ବଢ଼ୁଛି। ୨୦୧୮ରେ ଝାରସୁଗୁଡ଼ା ବିମାନବନ୍ଦର ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ‘ହୱାଇ ଚପଲ ପିନ୍ଧୁଥିବା ଲୋକ ହୱାଇ ଜାହାଜରେ ଝାରସୁଗୁଡ଼ାରୁ ଯାତ୍ରା କରିବ’; କିନ୍ତୁ ଦଶରୁ
ଅଧିକ ଶିଳ୍ପାନୁଷ୍ଠାନ ବନ୍ଦ ହେବାପରେ ଏଠାକାର ଲୋକେ ‘ହୱାଇ ଜାହାଜ’ରେ ଉଡ଼ିବା ତ ଦୂରର କଥା, ସେମାନଙ୍କ ଜୀବନଯନ୍ତ୍ରଣା ଏବେ ଦୁର୍ବିସହ ହୋଇପଡ଼ିଛି।

ଝାରସୁଗୁଡ଼ା ଜିଲାରେ ୨୦୦୦ ମସିହା ପରେ ଶିଳ୍ପର ଦ୍ରୁତ ଅଭିବୃଦ୍ଧି ଘଟିଥିଲା। ଜିଲାରେ ଥିବା କୋଇଲା ଖଣି ତଥା ଗମନାଗମନ ଓ ମାଲ ପରିବହନ ପାଇଁ ବିଶେଷ ସୁବିଧା ଥିବାରୁ ଗୋଟିଏ ପରେ ଗୋଟିଏ ଶିଳ୍ପ ସଂସ୍ଥା ପ୍ରତିଷ୍ଠା ହୋଇଥିଲା। ଏହାଦ୍ବାରା ଝାରସୁଗୁଡ଼ାର ଗୁରୁତ୍ୱ ହଠାତ୍ ବଢ଼ିଗଲା। ହିରମା ପଞ୍ଚାୟତରେ ଏସ୍‌ଏମ୍‌ସି କାରଖାନା ଓ ସିଙ୍ଘଲ ସ୍ପଞ୍ଜ୍‌ ଆଇରନ୍‌ କାରଖାନା ପ୍ରତିଷ୍ଠା ହୋଇଥିଲା। ବଡ଼ମାଳ ପଞ୍ଚାୟତରେ ଏସ୍‌ପିଏଲ୍‌ କାରଖାନା, ଜମେରା ନିକଟରେ ଆକ୍ସନ୍‌ ଇସ୍ପାତ, ଲହଣ୍ଡାବୁଡଠାରେ ଇଏସ୍‌ପିଏଲ୍‌ କାରଖାନା, ପଣ୍ଡରୀପଥରଠାରେ ଏମ୍‌ଏସ୍‌ପି, ସିରିଆପାଲି ନିକଟରେ ମାଧବ ଇସ୍ପାତ, ରଘୁନାଥପାଲି ନିକଟରେ ଜୟ ହନୁମାନ କାରଖାନା, ଶ୍ରୀପୁରାଠାରେ ଏଲ୍‌ଏନ୍‌ ମେଟାଲିକ୍ସ, ଭୁର୍କାମୁଣ୍ଡାରେ ବେଦାନ୍ତ କାରଖାନା ପ୍ରତିଷ୍ଠା ହୋଇଥିଲା। ସେହିପରି ଅନେକ ଛୋଟ ବଡ଼ ସ୍ପଞ୍ଜ୍‌ ଆଇରନ୍‌ କାରଖାନା ଯୋଗୁଁ ଜିଲାର ଅର୍ଥନୀତିରେ ବେଶ୍ ଅଭିବୃଦ୍ଧି ଆସିଲା। ଏହାର ପ୍ରଭାବରେ ଝାରସୁଗୁଡ଼ା ସହରରେ ହଠାତ ବଡ଼ବଡ଼ ହୋଟେଲ, ରେଷ୍ଟୁରାଣ୍ଟ୍‌, ସପିଙ୍ଗ୍ ମଲ୍‌ ଆଦି ଖୋଲିଲା। ବିଭିନ୍ନ ଶିଳ୍ପ ସଂସ୍ଥାର କେନ୍ଦ୍ରବିନ୍ଦୁ ଝାରସୁଗୁଡ଼ା ହେବାରୁ ଦେଶର ବହୁ ବ୍ୟାବସାୟିକ ସଂସ୍ଥା ଏଠାକୁ ଆସିବାକୁ ଲାଗିଲେ।

ଦେଖୁଦେଖୁ ଝାରସୁଗୁଡ଼ା ଜିଲାବାସୀଙ୍କ ମୁଣ୍ଡପିଛା ଆୟ ରାଜ୍ୟର ସର୍ବାଧିକ ହୋଇଗଲା ଓ ଦେଶର ଶ୍ରେଷ୍ଠ ୧୦ ତାଲିକାରେ ସ୍ଥାନ ପାଇଲା। ତେବେ ଦେଶର ମାନ୍ଦାବସ୍ଥା, ଲୁହାପଥର ଓ ଖଣି ନିଲାମରେ ଅବ୍ୟବସ୍ଥା ବା ଓଡ଼ିଶାରେ ଅନ୍ୟ କଂଚାମାଲର ଅଭାବ ଆଦି କାରଣରୁ ଏସବୁ ଶିଳ୍ପସଂସ୍ଥା ୨୦୧୬ ମସିହାରୁ ଗୋଟିଏ ପରେ ଗୋଟିଏ ବନ୍ଦ ହେବାକୁ ଲାଗିଲା। କଞ୍ଚାମାଲର ଅଭାବ ସାଙ୍ଗକୁ ଅନ୍ତର୍ଜାତୀୟ ବଜାରରେ ଇସ୍ପାତର ମୂଲ୍ୟ ହ୍ରାସ ଯୋଗୁଁ ଏହି ଶିଳ୍ପସଂସ୍ଥାଗୁଡ଼ିକ କୋଟିକୋଟି ଟଙ୍କା କ୍ଷତି ସହିବାକୁ ବାଧ୍ୟ ହେଲେ। ବିଶେଷତଃ ଝାରସୁଗୁଡ଼ାସ୍ଥିତ କନକାଷ୍ଟ, ଜୈନ ଷ୍ଟିଲ୍‌ ଆଣ୍ଡ ପାୱାର, ସିଘଂଲ ଏଣ୍ଟରପ୍ରାଇଜେସ, ଜୟ ହନୁମାନ ଉଦ୍ୟୋଗ, ମାଧବ ଇସ୍ପାତ, ଏମଏସପି, ଆକ୍ସନ ଇସ୍ପାତ, ହୀର୍ମା ସିଘଂଲ ଷ୍ଟିଲ, ସମଲେଶ୍ୱରୀ ସ୍ପଞ୍ଜ ଆଇରନ ଭଳି ଅନେକ ଶିଳ୍ପ ସଂସ୍ଥା ସଂପୂର୍ଣ୍ଣ ବନ୍ଦ ହୋଇପଡ଼ିଛି। ଫଳରେ ୨୦ ହଜାରରୁ ଅଧିକ ଲୋକ ରୋଜଗାର ହରାଇଛନ୍ତି। ବିଗତ କିଛିଦିନ ହେବ ଲଖନପୁର ବ୍ଲକ ତିଲିଆ ପଞ୍ଚାୟତ ଅନ୍ତର୍ଗତ ସାହାଜବାହାଲଠାରେ ଥିବା ବିଦ୍ୟୁତ ଉତ୍ପାଦନକାରୀ ଶିଳ୍ପ ଇନ୍ଦ ବାରାଥ ଉତ୍କଳ ଏନର୍ଜି ନିର୍ମାଣାଧୀନ ଅବସ୍ଥାରେ ହିଁ ବନ୍ଦ ହୋଇଯାଇଛି। ଫଳରେ ସେଠାରେ କାମ କରୁଥିବା ତଥା ଜମି ହରାଇ ନିଯୁକ୍ତି ପାଇଥିବା ସ୍ଥାନୀୟ ବାସିନ୍ଦା ହଠାତ୍‌ ବେକାର ହୋଇଯାଇଛନ୍ତି।
ଗତ ପାଞ୍ଚବର୍ଷ ମଧ୍ୟରେ ଜିଲାରେ ବେକାର ସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି। ରୋଜଗାର ନପାଇ ଯୁବ ସମାଜ କୁପଥଗାମୀ ହେଉଛି। ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ଚିନ୍ତାଜନକ ଭାବରେ ବୃଦ୍ଧି ପାଇଛି। ଏବେ ଜିଲାରେ ବେଦାନ୍ତ, ଏସ୍‌ଏମ୍‌ସି, ଅଲଟ୍ରାଟେକ୍‌ ଭଳି ହାତଗଣତି କିଛି କାରଖାନା ଚାଲୁଥିବାବେଳେ ସେଠାରେ ନିଯୁକ୍ତିର ସୀମିତ ସୁଯୋଗ ରହୁଛି। ବାହାର ରାଜ୍ୟର ଲୋକଙ୍କୁ ଅଧିକ ନିଯୁକ୍ତି ମିଳୁଥିବାବେଳେ ସ୍ଥାନୀୟ ଯୁବକ ପ୍ରତାରିତ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ସେହିପରି ଜିଲାରେ ଥିବା ବିଭିନ୍ନ କୋଇଲା ଖଣିରେ ମଧ୍ୟ ସ୍ଥାନୀୟ ନିଯୁକ୍ତିକୁ ନେଇ ସବୁବେଳେ ଅସନ୍ତୋଷ ରହିଛି। କାରଖାନା ବନ୍ଦ, ସ୍ଥାନୀୟ ନିଯୁକ୍ତିକୁ ଉପେକ୍ଷାର କୁପ୍ରଭାବ ଜିଲାର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିବାରେ ଲାଗିଛି। ଏହି ଶିଳ୍ପ ସଂସ୍ଥାଗୁଡ଼ିକୁ ନିଜର ଜମିବାଡ଼ି ଦେଇ ଚାକିରି କରୁଥିବା ସ୍ଥାନୀୟ ଲୋକେ ଜମି ବଦଳରେ ନିଯୁକ୍ତିରୁ ମଧ୍ୟ ବଂଚିତ ରହି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବାକୁ ଆରମ୍ଭ କଲେଣି।

ଝାରସୁଗୁଡ଼ାର ପ୍ରଥମ ଶିଳ୍ପାନୁଷ୍ଠାନ ଭାସ୍କର ଟେକ୍ସଟାଇଲ ମିଲ କ୍ଷତିରେ ଯାଉଥିବାରୁ ୧୯୮୪ ମସିହାରେ ବନ୍ଦ ହୋଇଯାଇଥିଲା। ଫଳରେ ଜିଲାରେ ପ୍ରଥମକରି ୫ ହଜାରରୁ ଅଧିକ କର୍ମଚାରୀ ହଠାତ ବେକାର ହୋଇଥିଲେ। ଜିଲାର ପ୍ରମୁଖ ଶିଳ୍ପ ଓପିଏମ୍‌ (ଓରିଏଣ୍ଟ ପେପର ମିଲ) କାଗଜକଳ ବ୍ରଜରାଜନଗର ସହରକୁ ସୁପରିଚିତ କରିଥିଲା; କିନ୍ତୁ ଗତ ୧୯୯୯ ଜାନୁଆରୀ ୨ରେ ଓପିଏମ୍‌ ବନ୍ଦ ହୋଇଯାଇଥିଲା। ଏହି କାରଖାନା ଚାଲୁ ହେବାନେଇ ମଝିମଝିରେ ଆଶା ସଞ୍ଚାର ହେଉଥିଲେ ମଧ୍ୟ ଏହା ଫଳପ୍ରଦ ହୋଇନାହିଁ। ବିଚିତ୍ର କଥା ହେଉଛି ଏବେ ବି ସରକାରୀ ତଥ୍ୟ ଅନୁସାରେ ଓପିଏମ୍‌ ଖୋଲା ରହିଛି, କିନ୍ତୁ ଉତ୍ପାଦନ ବନ୍ଦ ଅଛି। ଏହି କାରଖାନାର ଏକ ସୁଦୀର୍ଘ ଇତିହାସ ରହିଛି। ୧୯୩୬ରେ ଓପିଏମ୍‌ ଆରମ୍ଭ ହୋଇ ୧୯୩୯ରେ ଏହାର ୧ ନମ୍ବର ମେସିନ୍‌ରୁ କାଗଜ ବାହାରିଥିଲା। ବଜାରରେ ପିକକ୍‌ ବ୍ରାଣ୍ଡର କାଗଜ ଚାହିଦାକୁ ଦେଖି ୧୯୫୯ ବେଳକୁ ୭ଟି ମେସିନ ବସାଇ କାଗଜ ଶିଳ୍ପରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଥିଲା।

Comments are closed.