ରାଜ୍ୟ ପାଇଁ ନିବେଶ ସୁଯୋଗ ଆଣିଛି କରୋନା; ଶ୍ରମଭିତ୍ତିକ ଶିଳ୍ପ ଉପରେ ବିଶେଷଜ୍ଞଙ୍କ ଗୁରୁତ୍ବ

ସ୍ଥିର ସରକାର, ଇଚ୍ଛାଶକ୍ତି, ଅନୁକୂଳ ପରିବେଶ କମ୍ପାନୀଙ୍କୁ ଆକୃଷ୍ଟ କରିବ

ଭୁବନେଶ୍ବର : ଏକ ଶିଳ୍ପ ପ୍ରତିଷ୍ଠା ପାଇଁ କଞ୍ଚାମାଲଠାରୁ ଶ୍ରମ ପର୍ଯ୍ୟନ୍ତ ଆବଶ୍ୟକୀୟ ସମସ୍ତ ପ୍ରକାର ସୁବିଧାସୁଯୋଗ ସହିତ ଅନୁକୂଳ ପରିବେଶ ଓଡ଼ିଶାରେ ଉପଲବ୍‌ଧ । ଏଭଳି ସ୍ଥଳେ ରାଜ୍ୟ​‌ରେ ​ଶିଳ୍ପ ସଂସ୍ଥାଙ୍କ ପାଇଁ ବନ୍ଦର, ଜମି ,ବିଦ୍ୟୁତ ଏବଂ କୋଇଲା ସମେତ ଅନ୍ୟାନ୍ୟ ଖଣିଜ ପଦାର୍ଥ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ରହିଛି । ଏହାଛଡା ରାଜ୍ୟ ପାଖରେ ଏକ ବୃହତ୍‌ ଶ୍ରମ ଶକ୍ତି ଉପଲବ୍‌ଧ ଅଛି । କରୋନା ପରିପ୍ରେକ୍ଷୀରେ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ଏ କ୍ଷେତ୍ରରେ ବିଚାରକୁ ନିଆଯାଇପାରେ । ଏଣୁ କୋଭିଡ୍‌ ​ଯୋଗୁ ପ୍ରଭାବିତ ବିଶ୍ବ ଶିଳ୍ପ ଜଗତ ଏବେ ଚୀନ୍‌ରୁ ମୁହଁ ଫେରାଇ ଏକ ଅନୁକୂଳ ଶିଳ୍ପ ବାତାବରଣ ସନ୍ଧାନରେ ଅଛନ୍ତି । ଏପରି ସ୍ଥଳେ କିଭଳି ଭାବେ​‌ ଜାପାନ, ଦକ୍ଷିଣ କୋରିଆ, ଆମେରିକା ଏବଂ ଅନ୍ୟ ୟୁରୋପୀୟ ରାଷ୍ଟ୍ରର କମ୍ପାନୀଗୁଡିକୁ ପୁଞ୍ଜିନିବେଶ ଲାଗି ଓଡ଼ିଶାକୁ ଆକୃଷ୍ଟ କରିବା ଏବେ ରାଜ୍ୟ ସରକାରଙ୍କ ପାଇଁ ବଡ ସୁଯୋଗ ଓ ଆହ୍ବାନ ପାଲଟିଛି ।
ଲକ୍‌ ଡାଉନ୍‌ରେ ବନ୍ଦ ହୋଇପଡିଛି ବ୍ୟବସାୟ ଆଉ ଶିଳ୍ପ କାରଖାନା । ଏଥିଯୋଗୁ ବେକାର ହୋଇ ରାଜ୍ୟକୁ ଫେରିବାରେ ଲାଗିଛନ୍ତି ଲକ୍ଷାଧିକ ଶ୍ରମିକ​‌ । ହେଲେ ଯେଉଁସବୁ ରାଜ୍ୟର ଶିଳ୍ପ କାରଖାନାରେ ଏମାନେ ନିୟୋଜିତ ଥିଲେ ଲକ୍‌ ଡାଉନ୍‌ ଖୋଲିବା ପରେ ​ସେଠାରେ  ପୁନଃ କର୍ମ ନିୟୋଜନ ନେଇ ଅନିଶ୍ଚିତତା ଦେଖାଦେଇଛି । କାରଣ ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତାମିିଲନାଡୁ ଭଳି ଦେଶର ପଶ୍ଚିମ ଏବଂ ଦକ୍ଷିଣ ଭାଗରେ ରହିଥିବା ଏହି ସବୁ ପ୍ରମୁଖ ଶିଳ୍ପ ଉତ୍ପାଦନକାରୀ ରାଜ୍ୟର ବିଭିନ୍ନ କଳ କାରଖାନାରେ ଓଡ଼ିଶାର ଲକ୍ଷାଧିକ ଶ୍ରମିକ କାର୍ଯ୍ୟ କରିଥାନ୍ତି । କିନ୍ତୁ କରୋନା ପ୍ରଭାବରେ ଦେଶର ବିପର୍ଯ୍ୟସ୍ତ ଅର୍ଥନୀତି ଯୋଗୁ କଳ କାରଖାନାଗୁଡିକ କେବେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ତାହା ଆକଳନ କରିବା ବର୍ତ୍ତମାନ ସ୍ଥିତିରେ କଷ୍ଟକର ହୋଇଛି । ଶିଳ୍ପ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଏହି ଓଡ଼ିଆ ଶ୍ରମିକମାନେ ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କର ପୂର୍ବ କାର୍ଯ୍ୟସ୍ଥଳକୁ ଫେରିବା ସମ୍ଭାବନା କ୍ଷୀଣ ।

ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ କହିଛନ୍ତି ଯେ, କୋଭିଡ୍‌-୧୯ ପରିପ୍ରେକ୍ଷୀ​ରେ ସୃଷ୍ଟ ପରିସ୍ଥିତି ଓଡ଼ିଶା ପାଇଁ ଏକ ବଡ ସୁଯୋଗ ଆଣିଛି । ବଡ ବଡ କମ୍ପାନୀକୁ ରାଜ୍ୟକୁ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବା ସମୟରେ ସରକାର ସେମାନଙ୍କ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ସହଜ କରାନ୍ତୁ । ଆହୁରିମଧ୍ୟ ଉତ୍ପାଦନ ଖର୍ଚ୍ଚ କମିଲେ କମ୍ପାନୀମାନେ ଆପେ ଆପେ ଆସିବେ । ରାଜ୍ୟ ସରକାର ବର୍ତ୍ତମାନ, ଜାପାନ, ଦକ୍ଷିଣ ​କୋରିଆ ଏବଂ ଚାଇନା କମ୍ପାନୀଙ୍କ ସହ ଯୋଗାଯୋଗରେ ରହିଛନ୍ତି । ଓଡ଼ିଶାର ରାଜନୈତିକ ଓ ସାମାଜିକ ବାତାବରଣ ଭଲ ରହିଛି । ଏଠି ଏକ ସ୍ଥିର ସରକାର, ଇଚ୍ଛାଶକ୍ତି ଏବଂ ଶିଳ୍ପ ଅନୁକୂଳ ପରିବେଶ ରହିଛି ଯାହା କମ୍ପାନୀଗୁଡିକୁ ସୁହାଇବ । ଓଡ଼ିଶାରେ କଞ୍ଚାମାଲର ଅଭାବ ନ ଥିବା ଶ୍ରୀ ଘଡାଇ କହିଛନ୍ତି ।

ଅନ୍ୟପକ୍ଷରେ ଜମି ଅଧିଗ୍ରହଣ କ୍ଷେତ୍ରରେ ଶିଳ୍ପ ସଂସ୍ଥାଗୁଡିକ ପାଇଁ ପୂର୍ବରୁ ଉପୁଜିଥିବା ସମସ୍ୟା କେତେକାଂଶରେ ରାଜ୍ୟର ଛବିକୁ ମଳିନ କରିଛି । ଆଇନ ଶୃଙ୍ଖଳାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ନିବେଶକଙ୍କ ଆସ୍ଥା ଜିଣିବାକୁ ପ୍ରୟାସ କରି​‌ବାକୁ ହେବ । କରୋନା ମୁକାବିଲା କ୍ଷେତ୍ରରେ ସରପଞ୍ଚମାନଙ୍କୁ ଯେଭଳି କ୍ଷମତା ପ୍ରଦାନ କରାଯାଇଛି ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ରାଜ୍ୟ ସରକାର ସେହି ସମାନ ନୀତି ଆପଣାଇବା ନେଇ ଶିଳ୍ପ ବିଶାରଦ ବିଶେଷଜ୍ଞମାନେ ଆଶାପ୍ରକଟ କରିଛନ୍ତି ।

ଭାରତୀୟ ଚାମ୍ବର ଅଫ୍‌ କମର୍ସର ଆଞ୍ଚଳିକ ମୁଖ୍ୟ (ଓଡ଼ିଶା) ଜ୍ୟୋତି ପ୍ରକାଶ ପାଲ୍‌ଙ୍କ କହିବାନୁଯାୟୀ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ରସାୟନ ଏବଂ କୃଷି ସହ ଜଡିତ ଶିଳ୍ପ ଭଳି ନୂଆ ନୂଆ କ୍ଷେତ୍ରରେ ନିବେଶ ନେଇ ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । କମ୍ପାନୀଗୁଡିକ ପାଇଁ ରାଜ୍ୟ ସରକାର ଅବିରତ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରାଇପାରିଲେ ଶିଳ୍ପର ବିକାଶ ହୋଇପାରିବ । ଓଡ଼ିଶାର ବିସ୍ତୀର୍ଣ୍ଣ ଉପକୂଳ ଓ କୁଶଳୀ ଶ୍ରମ ଶକ୍ତି ନିବେଶଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ପଲ କହିଛନ୍ତି ।

ଏ ସମ୍ପର୍କରେ ପୂର୍ବତନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି ଯେ, ଓଡ଼ିଶାକୁ ଯେଭଳି ଅଧିକ ନିବେଶ ଆକୃଷ୍ଟ ହୋଇପାରିବ ରାଜ୍ୟ ସରକାର ବର୍ତ୍ତମାନ ସେହି ଆଭିମୁଖ୍ୟ ରଖି କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନର ସମୟ ହେଉଛି ସବୁଠାରୁ ଉତ୍ତମ ସୁଯୋଗ ଯେତେବେଳେ ଆମେ ବିଦେଶୀ ନିବେଶ ଆଣିପାରିବା । ଗତ ମେକ୍‌ ଇନ୍ ଓଡ଼ିଶା ସମ୍ମିଳନୀ ସମୟରେ ରାଜ୍ୟ ସରକାର ବହୁ ସଂଖ୍ୟାରେ ଅଣଖଣିଜ ଶିଳ୍ପ ସଂସ୍ଥା ସହ ଏମ୍‌ଓୟୁ ସ୍ବାକ୍ଷର କରିଥିଲେ । ତେବେ ରାଜ୍ୟର ଶ୍ରମିକମାନଙ୍କୁ ଆଗରେ ରଖି ଶ୍ରମଭିତ୍ତିକ କାରଖାନା ସ୍ଥାପନ କରିବାକୁ ଆଗେଇ ଆସୁଥିବା ଶିଳ୍ପକୁ ଗୁରୁତ୍ବ ଦେବା ଉଚିତ ​ବୋଲି ଶ୍ରୀ ବେହେରା କହିଛନ୍ତି ।

Comments are closed.