ଶିଳ୍ପାୟନର କୁପ୍ରଭାବ: ୫୦% ଜିଲାର ଭୂତଳ ଜଳ ପାନୀୟ ଯୋଗ୍ୟ ନୁହେଁ

0

ନୂଆଦିଲ୍ଲୀ : ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠାରେ ଶିଳ୍ପ ପ୍ରତିଷ୍ଠା ଯୋଗୁ ଭୂତଳ ଜଳ ବିଷାକ୍ତ ହୋଇପଡୁଛି। କାରଖାନାଗୁଡିକର ରାସାୟନିକ ପଦାର୍ଥଯୁକ୍ତ ବିଷାକ୍ତ ଜଳ ଭୂତଳ ଜଳରେ ମିଶୁଛି। ଏହାର ଫଳ ସ୍ୱରୂପ ଏବେ ଦେଶର ପ୍ରାୟ ୫୦% ଜିଲାର ଭୂତଳ ଜଳ ପାନୀୟ ଅନୁପଯୋଗୀ ହୋଇପଡିଛି। ଏପରିକି କୃଷିକ୍ଷେତ୍ରରେ ନିୟମିତ ଭାବେ ସାର ଏବଂ କୀଟନାଶକ ପ୍ରୟୋଗ ଯୋଗୁ ମଧ୍ୟ ଭୂତଳ ଜଳରେ ନାଇଟ୍ରେଟ୍‍ ମାତ୍ରା ବୃଦ୍ଧି ପାଇଛି। ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ଲୋକସଭାରେ ପ୍ରଦାନ କରାଯାଇଛି। ଜଳ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏ ସମ୍ବନ୍ଧରେ ବିବୃତି ଦେଇ କହିଛନ୍ତି, ଭୂତଳ ଜଳରେ ସମ୍ପ୍ରତି ନାଇଟେଟ୍‍ ସମେତ ଫ୍ଲୋରାଇଡ୍‍, ଲୌହ, ଆର୍ସେନିକ୍‍ ଏବଂ ଅନ୍ୟାନ୍ୟ ହାନିକାରକ ଖଣିଜ ପଦାର୍ଥ ପରିମାଣ ବୃଦ୍ଧି ପାଇଛି। ଏହି ସବୁ ପଦାର୍ଥର ପରିମାଣ ଭୂତଳ ଜଳରେ ସର୍ବନିମ୍ନ କେତେ ରହିବା ଉଚିତ ତାହାର ଏକ ବିବରଣୀ ଭାରତୀୟ ସୂଚକାଙ୍କ ବ୍ୟୁରୋ ନିକଟରେ ରହିଛି। ବ୍ୟୁରୋ ଦ୍ୱାରା ନିର୍ଦ୍ଧାରିତ ମାତ୍ରାଠାରୁ ଅଧିକ ପରିମାଣର ଖଣିଜ ପଦାର୍ଥ ଦେଶର ପ୍ରାୟ ୫୦% ଜିଲାର ଭୂତଳ ଜଳରେ ରହିଛି। ୩୮୬ ଜିଲାର ଭୂତଳ ଜଳରେ ନାଇଟ୍ରେଟ୍‍, ୩୩୫ ଟି ଜିଲାରେ ଫ୍ଲୋରାଇଡ୍‍, ୩୦୧ ଜିଲାରେ ଲୌହ, ୨୧୨ ଜିଲାରେ ସେଲିନିଟି, ୧୫୩ ଜିଲାରେ ଆର୍ସେନିକ, ୯୩ ଜିଲାରେ ଲିଡ୍‍, ୩୦ ଜିଲାରେ କ୍ରୋମିୟମ, ୨୪ ଜିଲାରେ କେଡିୟମ୍‍ ଭଳି ବିଷାକ୍ତ ଧାତବ ପଦାର୍ଥ ନିର୍ଦ୍ଧାରିତ ମାତ୍ରାଠାରୁ ଅଧିକ ରହିଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଅଧିକ ନାଇଟ୍ରେଟ୍‍ଯୁକ୍ତ ଜଳ ପାନ କରିବା ଦ୍ୱାରା ମେଥେମୋଗ୍ଲୋବିନେମିୟା ରୋଗ ହୋଇଥାଏ। ଏହି ରୋଗ ଯୋଗୁ ଶରୀରରେ ଅମ୍ଳଜାନ ସଂଚଳନ ଶକ୍ତି ହ୍ରାସ ପାଏ। ସେହିଭଳି ଅଧିକ ଆର୍ସେନିକ୍‍ ଥିବା ଜଳ ପାନ କରିବା ଦ୍ୱାରା ଚର୍ମକର୍କଟ, ବୃକକ୍‍, ଫୁସ୍‍ଫୁସ୍‍ ସମ୍ବନ୍ଧୀୟ ରୋଗ ସୃଷ୍ଟି ହୁଏ। ଉଭୟ ମନୁଷ୍ୟ ଏବଂ ପ୍ରାଣୀ ଏହି ବିଷାକ୍ତ ଜଳ ପାନ କରି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପଡୁଛନ୍ତି। ଏପରିକି ଜଳଚର ପ୍ରାଣୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ଭୂତଳ ଜଳ କେତେ ସୁରକ୍ଷିତ ତାହା କେନ୍ଦ୍ରୀୟ ଭୂଜଳ ବୋର୍ଡ ଯାଞ୍ଚ କରିଥାଏ। ବୋର୍ଡ ଦେଶରେ ଥିବା ପ୍ରାୟ ୧୫,୦୦୦ଟି କୂଅର ଭୂତଳ ଜଳର ଗୁଣବତ୍ତା ପରୀକ୍ଷା କରି ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଥାଏ। ବୋର୍ଡ ପକ୍ଷରୁ ପ୍ରସ୍ତୁତ ଚଳିତବର୍ଷର ରିପୋର୍ଟ ଅନୁସାରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ତାମିଲନାଡୁ, ତେଲଙ୍ଗାନା ଏବଂ ପଶ୍ଚିମବଙ୍ଗର ଭୂତଳ ଜଳରେ ଉପରୋକ୍ତ ଧାତବ ପଦାର୍ଥର ପରିମାଣ ଅଧିକ ରହିଛି।

Leave A Reply