ଭଡ଼ାରେ ଲାଗିଛି ବ୍ରହ୍ମପୁର ଶିଳ୍ପାଞ୍ଚଳ ଜମି: ଦଖଲ ଜମିରେ ଛିଡା ହୋଇଛି ମାର୍କେଟ୍‌ କଂପ୍ଲେକ୍ସ, ୫ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌

ବ୍ରହ୍ମପୁର: ବ୍ରହ୍ମପୁରରେ ଔଦ୍ୟୋଗିକ ବିକାଶ ପାଇଁ ଶିଳ୍ପ ପ୍ରତିଷ୍ଠା ସହ ନୂତନ ନିଯୁକ୍ତି ଓ ପୁଞ୍ଜି ନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ଆଦି ଉଦେଶ୍ୟ ନେଇ ବିଭିନ୍ନ ଘରୋଇ ସଂସ୍ଥାଗୁଡ଼ିକର ଶିଳ୍ପାଞ୍ଚଳରେ ଜମି ପ୍ରଦାନ କରାଯାଇଥାଏ । ବ୍ରହ୍ମପୁରସ୍ଥିତ ଶିଳ୍ପାଞ୍ଚଳରେ ଅନେକ ସଂସ୍ଥା ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ(ଇଡ୍‌କୋ) ଠାରୁ ଜମି ହାତେଇଛନ୍ତି । କିନ୍ତୁ ଯେଉଁ ଲକ୍ଷ୍ୟ ନେଇ ଘରୋଇ ସଂସ୍ଥାଗୁଡ଼ିକୁ ଜମି ପ୍ରଦାନ କରାଯାଇଥିଲା, ସେହି ଉଦେଶ୍ୟ ସାଧନ ହେଉନି। ଶିଳ୍ପ ଏବଂ ଉଦ୍ୟୋଗ ପାଇଁ ଜମି ନେଇ ଅନ୍ୟ କାର୍ୟ୍ୟରେ ବ୍ୟବହାର କରାଯାଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଛି ଇଡ୍‌କୋ । କିଏ ଦୋକାନ ଘର ତ ଆଉ କିଏ ମାର୍କେଟ୍‌ କ‌େମ୍ପ୍ଳକ୍ସ ନିର୍ମାଣ କରିଛି । ଆଉ କାହାର ୟୁନିଟ୍‌ ବନ୍ଦ ହୋଇଗଲାଣି । ଏଭଳି ୫ଟି ଘରୋଇ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି । ଯଦି ନିର୍ଦ୍ଧାରିତ ସମୟରେ ଉତ୍ତର ନ ମିଳେ, ତେବେ ଆଇନ୍‌ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ଜମି ଫେରସ୍ତ ନିଆଯିବ ବୋଲି ଇଡ୍‌କୋ ତରଫରୁ ଚେତାବନୀ ଦିଆଯାଇଛି । ଜମିର ଅପବ୍ୟବହାର ନେଇ ଇଡ୍‌କୋ ଆଞ୍ଚଳିକ ମୁଖ୍ୟ ଇଂ. ଅଶୋକ କୁମାର ମିଶ୍ର ୫ଟି ସଂସ୍ଥାକୁ ନୋଟିସ୍‌ ପଠାଇଛନ୍ତି । ସେଗୁଡ଼ିକ ହେଲା ଏମ୍‌ଏସ୍‌ ଓମ୍‌ ଶିବ ଇଣ୍ଡଷ୍ଟ୍ରିଜ୍‌, ଏମ୍‌ଏସ୍‌ କିଶୋର ଇଣ୍ଡଷ୍ଟ୍ରିଜ୍‌, ଏମ୍‌ଏସ୍‌ ଉଦୟ ଇଣ୍ଡଷ୍ଟ୍ରିଜ୍‌, ଏମ୍‌ଏସ୍‌ ଏସ୍‌.ବି କର୍ପୋରେସନ ଏବଂ ଏମ୍‌ଏସ୍‌ ନାରାୟଣ ଅଟୋ ବଲ୍‌ବ ଇଣ୍ଡଷ୍ଟ୍ରିଜ୍‌।

ମିଳିଥିବା ସୂଚନା ଅନୁଯାୟୀ, ଏମ୍‌ଏସ୍‌ ଓମ ଶିବ ଇଣ୍ଡଷ୍ଟ୍ରିସ୍‌କୁ ଜାରି କାରଣ ଦର୍ଶାଅ ନୋଟିସ୍‌ରେ ଉଲ୍ଲେଖ ରହିଛି ଯେ, ଲୁହା ଏବଂ ଷ୍ଟିଲ୍‌ର ଗ୍ରୀଲ୍‌, ଫାଟକ ଏବଂ ଝରକା ନିର୍ମାଣକାରୀ ଶିଳ୍ପ ପ୍ରତିଷ୍ଠା ପାଇଁ ୨୦୧୩ ଏପ୍ରିଲ୍‌ ୧୨ତାରିଖରେ ଏହି ସଂସ୍ଥାକୁ ଜମି ପ୍ରଦାନ କରାଯାଇଥିଲା । କିନ୍ତୁ ବିଭାଗର ସରଜମିନ ଯାଞ୍ଚ ବେଳେ ସେହି ଜମିକୁ ଗୋଦାମ ଉଦେଶ୍ୟରେ ବ୍ୟବହାର କରାଯାଇଥିବା ଜଣାପଡିଥିଲା । ବଳକା କିଛି ଜାଗାରେ ଦୋକାନ ଘର ଏବଂ ଭଡ଼ାରେ ଲଗାଯାଇଛି । ଏହା ଚୁକ୍ତିର ଖିଲାଫ। ପୂର୍ବରୁ ଏହି ସଂସ୍ଥାକୁ ୨୦୧୭ ଫେବୃୟାରୀ ୭ ତାରିଖ, ନଭେମ୍ବର ୧୧ତାରିଖ ଏବଂ ୨୦୧୯ ସେପ୍ଟେମ୍ବର ୧୯ ତାରିଖରେ ମଧ୍ୟ ନୋଟିସ୍‌ ପଠାଯାଇଥିଲା । ଏଣୁ ଏଥରର ନୋଟିସର ଉତ୍ତର ନ ଦେଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଆଉ ଏକ ସଂସ୍ଥା ହେଲା ଏମ୍‌ଏସ୍‌ କିଶୋର ଇଣ୍ଡଷ୍ଟ୍ରିଜ୍‌ । ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ପ୍ରଦାନ କରାଯାଇଥିଲେ ମଧ୍ୟ ଏହାକୁ ଅନ୍ୟ ବାବାଦରେ ବ୍ୟବହାର କରାଯାଇ ଚୁକ୍ତି ଖିଲାଫ କରାଯାଇଛି । ଜମିର କିଛି ଅଂଶରେ ମାର୍କେଟ୍‌ କ​‌େ​ମ୍ପ୍ଳକ୍ସ ନିର୍ମାଣ କରାଯାଇ ଭଡ଼ାରେ ଲଗାଯାଇଛି । ଇଡ୍‌କୋକୁ ବକେୟା ପ୍ରଦାନ କରାଯାଉନି । ପୂର୍ବରୁ ଏହି ସଂସ୍ଥାକୁ ୨୦୧୭ ଜାନୁୟାରୀ ୧୭ ତାରିଖ ଏବଂ ନଭେମ୍ବର ୨୨ ତାରିଖରେ ନୋଟିସ୍‌ ପଠାଯାଇଥିଲେ ମଧ୍ୟ ଉତ୍ତର ମିଳିନି । ନୋଟିସ୍‌ର ଉତ୍ତର ନ ମିଳିଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏମ୍‌ଏସ୍‌ ଉଦୟ ଇଣ୍ଡଷ୍ଟ୍ରିଜ୍‌କୁ ଜାରି ନୋଟିସ୍‌ରେ ଉଲ୍ଲେଖ ରହିଛି ଯେ, ଶିଳ୍ପ ପ୍ରତିଷ୍ଠା ପାଇଁ ସଂସ୍ଥା ଜମି ନେଇଥିଲେ ମଧ୍ୟ ମାର୍କେଟ୍‌ କ​‌େ​‌ମ୍ପ୍ଳକ୍ସ ନିର୍ମାଣ କରି ଭଡ଼ାରେ ଦେଇଛି । ଏହା ଚୁକ୍ତିର ବିରୋଧାଚରଣ କରିଛି ।

ପୂର୍ବରୁ ୨୦୧୩ ଅଗଷ୍ଟ ୧ ତାରିଖ, ୨୦୧୭ ଜାନୁୟାରୀ ୬ ତାରିଖ ଏବଂ ନଭେମ୍ବର ୨୨ ତାରିଖରେ ମଧ୍ୟ ନୋଟିସ୍‌ ପଠାଯାଇଥିଲା । ଏମ୍‌ଏସ୍‌ ଏସ୍‌.ବି ସେଲ୍‌ସ କର୍ପୋରେସନ୍‌କୁ ୨୦୦୫ ମସିହା ଫେବୃୟାରୀ ୭ ତାରିଖରେ ଜମି ହସ୍ତାନ୍ତର କରାଯାଇଥିଲା । କିନ୍ତୁ ଇଡ୍‌କୋ ଅଧିକାରୀମାନେ ସରଜମିନ୍‌ ଯାଞ୍ଚ ବେଳେ କମ୍ପାନୀ ବନ୍ଦ ରହିଥିବା ଜାଣିବାକୁ ପାଇଥିଲେ । ଯେଉଁ ଉଦେଶ୍ୟରେ ଜମି ପ୍ରଦାନ କରାଯାଇଥିଲା, ତାହା ବର୍ତ୍ତମାନ ବ୍ୟବହାରରେ ଲାଗୁନି । କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବା ସହ ଉତ୍ତର ନ ଦେଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏମ୍‌ଏସ୍‌ ନାରାୟଣ ଅଟୋ ବଲ୍‌ବ ଇଣ୍ଡଷ୍ଟ୍ରିଜ୍‌କୁ ୨୦୧୧ ମସିହା ଅଗଷ୍ଟ ୨୭ ତାରିଖରେ ଜମି ପ୍ରଦାନ କରାଯାଇଥିଲା । କିନ୍ତୁ ଯାଞ୍ଚ ବେଳେ କମ୍ପାନି ବନ୍ଦ ହୋଇଯାଇଥିବା ଜଣାପଡ଼ିଥିଲା । ଚୁକ୍ତି ଖିଲାଫ୍‌ ଏବଂ ଇଡ୍‌କୋର ବକେୟା ପ୍ରଦାନ କରାଯାଇ ନ ଥିବା ଯୋଗୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି । ଉପରୋକ୍ତ ୫ଟି ଯାକ ସଂସ୍ଥାକୁ ଇଡ୍‌କୋ ଆକ୍ଟ-୧୯୮୦ ଅନୁଯାୟୀ ନୋଟିସ୍‌ ପଠାଯାଇଛି । କାହିଁକି ଜମି ଫେରାଇ ନ ନିଆଯିବ, ତାହାର ଉତ୍ତର ୧୫ ଦିନ ମଧ୍ୟରେ ରଖିବାକୁ ଆଞ୍ଚଳିକ ମୁଖ୍ୟ ଇଂ. ଅଶୋକ କୁମାର ମିଶ୍ରଙ୍କ ତରଫରୁ ଜାରି ନୋଟିସ୍‌ରେ ଉଲ୍ଲେଖ କରାଯାଇଛି ।

Comments are closed.