ସିନ୍ଧୁ ଜଳ ରାଜିନାମା ଉପରେ ଭାରତ-ପାକ୍‍ ଆଲୋଚନା

0

ଲାହୋର : ଭାରତ ଓ ପାକିସ୍ତାନ ମଧ୍ୟରେ ବୁଧବାର ଲାହୋରଠାରେ ସିନ୍ଧୁ ଜଳ ରାଜିନାମା ଉପରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ପାକିସ୍ତାନ ଜାତୀୟ ଇଞ୍ଜିନିୟରିଂ ସେବା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେଉଥିବା ଦ୍ୱି-ଦିବସୀୟ ବୈଠକର ପ୍ରଥମ ଦିନରେ ଭାରତୀୟ ଜଳ କମିସନର ପି. କେ. ସକ୍‍ସେନା ପାକିସ୍ତାନ ପ୍ରତିପକ୍ଷ ସୟିଦ ମେହର ଅଲ୍ଲୀ ଶାହଙ୍କ ସହିତ ସିନ୍ଧୁ ନଦୀ ଜଳ ଆବଣ୍ଟନ ତଥା ପରିଚାଳନା ସମ୍ବନ୍ଧରେ ଆଲୋଚନା କରିଛନ୍ତି। ଉଭୟ ପକ୍ଷ ପରସ୍ପରକୁ ସିନ୍ଧୁ ନଦୀ ଜଳ ବ୍ୟବହାର ସମ୍ବନ୍ଧୀୟ ରିପୋର୍ଟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଆଲୋଚନା ଶେଷ ହେବା ପରେ ଉଭୟ ଦେଶର ଜଳ କମିସନର ଏକ ମିଳିତ ବିବୃତ୍ତି ପ୍ରଦାନ କରିବେ। ପ୍ରତିବର୍ଷ ଉଭୟ ଦେଶର ଜଳ କମିସନଙ୍କ ମଧ୍ୟରେ ଦୁଇଥର ଆଲୋଚନା ହୋଇଥାଏ। ଇମ୍ରାନ୍‍ ଖାଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବା ପରେ ବୁଧବାର ଉଭୟ ଦେଶ ମଧ୍ୟରେ ପ୍ରଥମଥର ଲାଗି କୌଣସି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଯୋଗ ଦେବା ନିମନ୍ତେ ସକ୍‍ସେନାଙ୍କ ନେତୃତ୍ୱରେ ୯ ଜଣିଆ ଏକ ପ୍ରତିନିଧି ଦଳ ମଙ୍ଗଳବାର ପାକିସ୍ତାନରେ ପହଞ୍ଚିଥିଲେ। ଏହା ପୂର୍ବରୁ ଭାରତ-ପାକିସ୍ତାନ ସ୍ଥାୟୀ ସିନ୍ଧୁ କମିସନର ବୈଠକ ନୂଆଦିଲ୍ଲୀଠାରେ ୨୦୧୮ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିଲା। ୧୯୬୦ ସିନ୍ଧୁ ଜଳ ରାଜିନାମା ଅନୁସାରେ ଉଭୟ ଦେଶ ଏହି ନଦୀ ଜଳ ବ୍ୟବହାର ସମ୍ବନ୍ଧୀୟ ତଥ୍ୟ ପରସ୍ପରକୁ ପ୍ରଦାନ କରିଥିଲେ। ପାକିସ୍ତାନର ନଦୀ ଉପରେ ଭାରତ ଏହାର ପ୍ରକଳ୍ପ କାର୍ଯ୍ୟ ଜାରି ରଖିଥିôବା ନେଇ ସେଠାକାର ସରକାର ଅଭିଯୋଗ ଆଣିଛନ୍ତି। ଏ ସମ୍ବନ୍ଧରେ ମଧ୍ୟ ଭାରତ ଏହି ଆଲୋଚନାରେ ନିଜର ପ୍ରତିକ୍ରିୟା ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

Comments
Loading...