ସିଜେଆଇଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ପ୍ୟାନେଲରେ ବିଚାରପତି ଇନ୍ଦୁ ମାଲହୋତ୍ରା

ନୂଆଦିଲ୍ଲୀ :  ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ ହୋଇଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ପାଇଁ ଗଠିତ ଆଭ୍ୟନ୍ତରୀଣ ତଦନ୍ତ ପ୍ୟାନେଲରେ ସୁପ୍ରିମକୋର୍ଟ ବିଚାରପତି ଇନ୍ଦୁ ମାଲହୋତ୍ରା ନୂଆ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ପୂର୍ବରୁ ଜଷ୍ଟିସ୍‍ ଏମ୍‍.ବି. ରମନା  ପ୍ୟାନେଲ୍‍ରୁ ସ୍ୱେଚ୍ଛାକୃତ ଭାବେ ଓହରି ଯାଇଥିଲେ। ତଦନ୍ତ ପ୍ୟାନେଲ୍‍ର ମୁଖ୍ୟ ଜଷ୍ଟିସ୍‍ ଏସ୍‍.ଏ. ବୋବଡେ ତଥା ପ୍ରଧାନ ବିଚାରପତିଙ୍କ ପରେ ବରିଷ୍ଠତମ ବିଚାରପତି, ଜଷ୍ଟିସ୍‍ ମାଲହୋତ୍ରାଙ୍କୁ ଏହି କମିଟିରେ ନିଯୁକ୍ତ କରିଛନ୍ତି।

ଏହାବ୍ୟତୀତ ଜଷ୍ଟିସ୍‍ ଇନ୍ଦିରା ବାନାର୍ଜୀ ମଧ୍ୟ ପ୍ୟାନେଲ୍‍ର ସଦସ୍ୟ ଅଛନ୍ତି । ଜଷ୍ଟିସ୍‍ ବୋବଡେ କହିଛନ୍ତି, ତଦନ୍ତ ପ୍ୟାନେଲ୍‍ର ପ୍ରଥମ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ଅଭିଯୋଗକାରୀ ମହିଳା କର୍ମଚାରୀ ଗତ ବୁଧବାର ଦିନ ଏକ ଚିଠି ଲେଖି ଜଷ୍ଟିସ୍‍ ରମନାଙ୍କୁ ପ୍ୟାନେଲରେ ରଖାଯିବା ଉପରେ ଆପତ୍ତି ଉଠାଇଥିଲେ। ଜଷ୍ଟିସ୍‍ ରମନା ପ୍ରଧାନ ବିଚାରପତିଙ୍କ ଜଣେ ଘନିଷ୍ଠ ବନ୍ଧୁ ଓ ତାଙ୍କ ସହ ପାରିବାରିକ ସମ୍ପର୍କ ଥିବା ମହିଳା ଜଣକ ଉଲ୍ଲେଖ କରିଥିଲେ।

Comments are closed.