ସିନା ଜୀବିତ ପ୍ରସଙ୍ଗ : ଅଦାଲତ ଯିବେ ଇନ୍ଦ୍ରାଣୀ

ନୂଆଦିଲ୍ଲୀ : ମୃତ ଝିଅ ସିନା ବୋରା ବଞ୍ଚିଛି ଓ କାଶ୍ମୀରରେ ଅଛି ବୋଲି ଦାବି କରି ସିବିଆଇ ମୁଖ୍ୟଙ୍କୁ ଚିଠି ଲେଖିବା ସତ୍ତ୍ବେ ଏ କ୍ଷେତ୍ରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଇନ୍ଦ୍ରାଣୀ ମୁଖାର୍ଜୀ ଅଦାଲତର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ସିନା ହତ୍ୟାକାଣ୍ଡରେ ୨୦୧୫ରୁ ମୁମ୍ବଇର ବାଇକୁଲା କାରାଗାରରେ ଅଛନ୍ତି। ସେ ଝିଅକୁ ଖୋଜିବା ପ୍ରସଙ୍ଗରେ ପ୍ରଥମେ ମୁମ୍ବଇସ୍ଥିତ ସ୍ବତନ୍ତ୍ର ସିବିଆଇ ଅଦାଲତର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ନଭେମ୍ବର ୨୫ରେ କାରାଗାର ପରିସରରେ ଜଣେ ମହିଳା କଏଦୀଙ୍କ ସହ କଥା ହେଲାବେଳେ ଝିଅ ବଞ୍ଚିଥିବା ଓ କାଶ୍ମୀରରେ ଥିବା ତାଙ୍କଠାରୁ ସୂଚନା ପାଇଥିଲେ। ସମ୍ପୃକ୍ତ କଏଦୀ ହେଉଛନ୍ତି ଜଣେ ସରକାରୀ ଅଧିକାରୀ ଏବଂ ନିକଟରେ ସେ କାରାଗାରକୁ ଯାଇଛନ୍ତି। ବାଇକୁଲାର କାନ୍ଥ କଡ଼ରେ ଛିଡ଼ାହୋଇ ଉଭୟ ଦୁଃଖସୁଖ ହେଉଥିବାବେଳେ ସେ ଇନ୍ଦ୍ରାଣୀଙ୍କୁ କହିଥିଲେ ଯେ ଗତ ଜୁଲାଇରେ ଛୁଟି କଟାଇବାକୁ କାଶ୍ମୀର ଯାଇଥିବାବେଳେ ସେଠାରେ ସିନାଙ୍କୁ ଭେଟିଥିଲେ। ତାଙ୍କଠାରୁ ଏହା ଶୁଣିବା ପରେ ନଭେମ୍ବର ୨୭ରେ ଇନ୍ଦ୍ରାଣୀ ସିବିଆଇ ମୁଖ୍ୟଙ୍କୁ ଚିଠି ଲେଖି ଏ ବିଷୟରେ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରିଥିଲେ। ଇତିମଧ୍ୟରେ ପ୍ରାୟ ତିନି ସପ୍ତାହ ବିତିଥିଲେ ମଧ୍ୟ ସିବିଆଇ କୌଣସି ପଦକ୍ଷେପ ନେଇ ନ ଥିବା ଇନ୍ଦ୍ରାଣୀ ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ସ୍ବତନ୍ତ୍ର ସିବିଆଇ ଅଦାଲତରେ ଆବେଦନ କରିବେ ଏବଂ ସିନା ସମ୍ପର୍କରେ ସୂଚନା ଦେଇଥିବା କଏଦୀଙ୍କ ବୟାନ ରେକର୍ଡ କରିବାକୁ ଦାବି କରିବେ ବୋଲି ଇନ୍ଦ୍ରାଣୀ କହିଛନ୍ତି। ସିନା ବଞ୍ଚିଥିବା ଖବର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହା ସତ୍ୟ ହୋଇଥିଲେ ଗତ ୭ବର୍ଷର ସମଗ୍ର କାହାଣୀ ଓଲଟପାଲଟ ହୋଇଯିବ ବୋଲି ସେ କହିଛନ୍ତି।

Comments are closed.