ବୃହତ ଇନ୍ଦ୍ରାବତୀ ଥାଇ ମିଳୁନି ଟୋପାଏ ପାଣି

କେବେ ହେବ ନବରଙ୍ଗପୁର ଜିଲାରେ ଜଳସେଚନ ବ୍ୟବସ୍ଥା ?

ନବରଙ୍ଗପୁର: ନବରଙ୍ଗପୁର ଭଳି କୃଷିପ୍ରଧାନ ଜିଲାରେ ବୃହତ୍ତ ଇନ୍ଦ୍ରାବତୀ ନଦୀବନ୍ଧ ଥାଇ ଚାଷୀ ଜଳସେଚନ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଜିଲାର ପ୍ରାୟ ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି। ଜିଲାରେ ଧାନଚାଷ ମୁଖ୍ୟ ଫସଲ। ମକା ଓ ଆଖୁ ଅନ୍ୟତମ ପ୍ରମୁଖ ଫସଲ ହୋଇଥିବା ବେଳେ ଜିଲାରେ ଗୋଟିଏ ମଧ୍ୟ କୃଷିଭିତ୍ତିକ ଶିଳ୍ପ ନାହିଁ। ଜିଲାରେ ବହୁନଦୀ ପ୍ରଭାହିତ ହେଉଛି। ସେଥିମଧ୍ୟରୁ ଇନ୍ଦ୍ରାବତୀ, ଭାସ୍କେଲ, ତେଲ, ଅଙ୍ଗୀ, ଟୁରୀ ଓ ଗୁଣଥାଟ ନଦୀ ଅନ୍ୟତମ। ଏହି ନଦୀରେ କେବଳ ବର୍ଷା ଋତୁ ୪ ମାସ ବନ୍ୟାଜଳ ସହ ପାଣି ରହୁଛି। ଅନ୍ୟ ୮ ମାସ ପ୍ରାୟ ଶୁଖିଲା ପଡୁଛି। ଫସଲ ପାଇଁ ଆବଶ୍ୟକ ଜଳସେଚନର ସୁବିଧା ନ ଥିବାରୁ ଜିଲାର ଚାଷୀ କେବଳ ବର୍ଷା ଜଳ ଉପରେ ନିର୍ଭର କରୁଛନ୍ତି। ଯେଉଁ ବର୍ଷ ଭଲ ବର୍ଷା ହେଲା, ସେହିବର୍ଷ ଭଲ ଚାଷ ହେଉଛି। କେବଳ ଇନ୍ଦ୍ରଦେବଙ୍କ କୃପା ଉପରେ ଜିଲାର ଚାଷୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛି। ଜିଲାରେ ସର୍ବବୃହତ୍ତ ଇନ୍ଦ୍ରାବତୀ ଜଳପ୍ରକଳ୍ପ ନିର୍ମାଣ କରାଯାଇଛି। ଏହା ନବରଙ୍ଗପୁର ଓ କଳାହାଣ୍ଡି ସୀମାନ୍ତ ଅଞ୍ଚଳରେ ରହିଛି। ଜିଲାର ଖାତିଗୁଡାରେ ଏହାର ୧୧୦ ବର୍ଗ କିଲୋମିଟର ବୃହତ୍ତ ଜଳଭଣ୍ଡାରରେ ପାଣି ରହୁଛି। ଏହି ସମସ୍ତ ପାଣିରୁ ଟୋପାଏ ମଧ୍ୟ ନବରଙ୍ଗପୁର ଜିଲାର ଚାଷୀ ପାଇ ପାରୁନାହାନ୍ତି।

 

ସମସ୍ତ ପାଣିକୁ ଟନେଲ ମାଧ୍ୟମରେ କଳାହାଣ୍ଡି ଜିଲାର ମୁଖୀଗୁଡା ଜଳବିଦ୍ୟୁତ ପ୍ରକଳ୍ପକୁ ଛଡା ଯାଇ ବିଦ୍ୟୁତ ଉତ୍ପାଦନ କରାଯାଉଛି। ଏହି ପାଣିକୁ କେନାଲ ମାଧ୍ୟମରେ ସମଗ୍ର କଳାହାଣ୍ଡି ଜିଲାକୁ ଛଡା ଯାଉଛି। ସେଠାରେ ବର୍ଷକୁ ୩ଟି ଫସଲ ସହ ସୁଜଳା ସୁଫଳା କରାଯାଇ ଚାଷୀଙ୍କ ଅର୍ଥନୈତିକ ବିକାଶ ଘଟି ପାରୁଛି। ନବରଙ୍ଗପୁର ଜିଲାବାସୀ ଟୋପାଏ ପାଣି ପାଇପାରୁ ନ ଥିବା ଅଭିଯୋଗ ହେଉଛି। ଇନ୍ଦ୍ରାବତୀ ଡ୍ୟାମ ହେବା ପରେ ତଳ ଅଞ୍ଚଳରେ ରହୁଥିବା ନବରଙ୍ଗପୁର ଜିଲାର ଚାଷୀଙ୍କ ଦୁର୍ଦ୍ଦଶା ଦୁଇଗୁଣିତ ହୋଇଛି। ପୂର୍ବରୁ ଚୀରସ୍ରୋତା ଇନ୍ଦ୍ରାବତୀ ଉପର ଡ୍ୟାମ କରାଯିବା ପରେ ତଳ ଅଞ୍ଚଳକୁ ପାଣି ଆସିବା ବନ୍ଦ ହେବାରୁ ନଦୀ ଶୁଖିଲା ରହୁଛି। ଏହି ନଦୀ ଉପରେ ନିର୍ଭର କରୁଥିବା ଶତାଧିକ ଚାଷୀ ବିଭିନ୍ନ ଚାଷରୁ ବଞ୍ଚିତ ହୋଇଛନ୍ତି। ଜିଲାର ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକ ଅଞ୍ଚଳର ଚାଷୀ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ଯାହାକି ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ୧୦୪ଟି ଗ୍ରାମର ୬୧୩୩ ଟି ପରିବାର ଘର ଦ୍ୱାର ଛାଡି ବିସ୍ଥାପିତ ହୋଇଛନ୍ତି। ଏହି ବୁଡି ଅଞ୍ଚଳର ଗ୍ରାମଗୁଡିକ ଜଳଭଣ୍ଡାରରେ ବିଲୀନ ହୋଇଛି। ଦୀର୍ଘ ୩୦ ବର୍ଷ ହେଲା ବିସ୍ଥାପିତ ପରିବାର ସମସ୍ତ ସରକାରୀ ସୁବିଧା ପାଇ ନ ଥିବାରୁ ସଂଘର୍ଷ ଜାରି ରଖିଛନ୍ତି। ନିକଟରେ ରାଜ୍ୟ ସରକାର କଳାହାଣ୍ଡି ଜିଲାରେ ଜଳସେଚନର ପାଇଁ ଏକାଧିକ ପ୍ରକଳ୍ପ ନିମନ୍ତେ ୨୦୮୫ କୋଟି ଟଙ୍କା ଘୋଷଣା କରିଥିବା ବେଳେ ଡ୍ୟାମ ପାଇଁ କ୍ଷତିଗ୍ରସ୍ତ ନବରଙ୍ଗପୁର ଜିଲା ପାଇଁ କୌଣସି ପ୍ୟାକେଜ ଘୋଷଣା ନ କରିବା ଜିଲାବାସୀଙ୍କୁ ଅଧିକ ମର୍ମାହତ କରିଛି। ଇନ୍ଦ୍ରାବତୀ ପାଣି କେବଳ କଳାହାଣ୍ଡି ଜିଲାକୁ ଯାଉଥିବାରୁ ନବରଙ୍ଗପୁର ଜିଲାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏଠାରେ ତଳ ଅଞ୍ଚଳର ଜଳସେଚନ ପାଇଁ ଏକ କମ୍‍ ଶକ୍ତିସମ୍ପନ୍ନ ବିଦ୍ୟୁତ ଟର୍‍ଭାଇନ୍‍ ସ୍ଥାପନ କରାଗଲେ ବିଦ୍ୟୁତ ଉତ୍ପାଦନ ସହ ସମ୍ପୃକ୍ତ ନିଷ୍କାଷିତ ଜଳକୁ ନବରଙ୍ଗପୁର ଜିଲାରେ ଜଳସେଚନ ପାଇଁ ବ୍ୟବହାର କରି ହୁଅନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ରାଜ୍ୟ ସରକାରଙ୍କ ଦ୍ୱାରା ୩୫ ପ୍ରତିଶତ ଜଳସେଚନ କରାଯିବାର ଦୀର୍ଘ ବର୍ଷ ହେଲା ନିର୍ଦେଶ ରହିଥିଲେ ହେଁ ଜିଲାରେ ମାତ୍ର ୨୨ ପ୍ରତିଶତ ଜଳସେଚନ ସୁବିଧା ରହିଥିବା ଜଣାଯାଇଛି। କୋଷାଗୁମୁଡାରେ ତୁରୀ-ଗଣିଥାଟ ନଦୀ ଜଳ ପ୍ରକଳ୍ପ ଯୋଜନା ରହିଛି। କେନ୍ଦ୍ରୀୟ ଜଳ ଆୟୋଗର ଅନୁମୋଦନ ପରେ ମଧ୍ୟ କାର୍ୟ୍ୟ ଆରମ୍ଭ ହୋଇ ପାରିନି। ଜିଲାରେ ବୃହତ୍ତ, ମଧ୍ୟମ ଓ ଉଠା ଜଳସେଚନ ପ୍ରକଳ୍ପ ରହିଥିଲେ ହେଁ ତାହା ଠିକ କାର୍ୟ୍ୟ ତ୍ୱରାନ୍ୱିତ ହୋଇ ପାରୁନି।

ଅଧିକାଂଶ ପ୍ରକଳ୍ପ ଅଚଳ ହୋଇପଡିଛି। ଜିଲାରେ ଜଳସେଚନ ସୁବିଧା ପାଇଁ ଚନ୍ଦାହାଣ୍ଡିର ତେଲ ନଦୀ ଇଣ୍ଟିଗେଟେଡ ପ୍ରକଳ୍ପ ଅଟକି ରହିଛି। ସେଠାରେ ଡ୍ୟାମ ନିର୍ମାଣ କରାଗଲେ ୧୮ ମେଗାୱାଟର ବିଦ୍ୟୁତ ଉତ୍ପାଦନ ସହ ଜଳସେଚନ ହୋଇପାରନ୍ତା। ଅପରପକ୍ଷରେ ଏହି ନଦୀର ପାଣି ନେଇ ପୋଡଶୀ ଛତିଶଗଡ ରାଜ୍ୟ ବହୁ ଜଳସେଚନ ପ୍ରକଳ୍ପ କରିଥିବା ଅଭିଯୋଗ ହେଉଛି। ଭସ୍କେଲ ନଦୀର କୂଅରେ ଭର୍ତ୍ତି ହୋଇଥିବାରୁ ଜଳସେଚନ ୫୦ ପ୍ରତିଶତ କମିଯାଇଛି। ବାମ ଓ ଦକ୍ଷିଣ କେନାଲ ଏକା ସାଥୀରେ ପାଣି ଆସି ପାରୁନି। ଅଙ୍ଗୀନଦୀରେ ଆଡିବନ୍ଧ ନିର୍ମାଣ କରି ଜଳସେଚନ କରାଗଲେ ଚାଷୀ ଦୁଇଟି ଫସଲର ସୁବିଧା ପାଇପାରିଥାନ୍ତେ। ଜିଲାରେ କାର୍ୟ୍ୟକାରୀ ହେଉଥିବା ୭ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କାର୍ୟ୍ୟ ଆଗେଇ ପାରୁନି। ରାଜ୍ୟ ସରକାର ଜିଲାର କୃଷି ଓ କୃଷକର ବିକାଶ ପାଇଁ ସତନ୍ତ୍ର ପଦକ୍ଷେପ ନେଲେ ଜିଲାର ଅର୍ଥନୈତିକ ବିକାଶ କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ ବୋଲି କୁହାଯାଉଛି।

Comments
Loading...