କରୋନାରେ ଚାଲିଗଲେ ‘ଇନ୍ଦ୍ର’

ଲୁଧିଆନା: ଲୋକପ୍ରିୟ ଟିଭି ଧାରାବାହିକ ବି.ଆର ଚୋପ୍‌ଡ଼ାଙ୍କ ‘ମହାଭାରତ’​ରେ ଇନ୍ଦ୍ର ଭୂମିକାରେ ଅଭିନୟ କରିଥିବା ପ୍ରସିଦ୍ଧ ଅଭିନେତା ସତୀଶ କାଉଲ୍‌ଙ୍କର କରୋନାରେ ମୃତ୍ୟୁ ଘଟିଛି। ତାଙ୍କୁ ୭୪ବର୍ଷ ହୋଇଥିଲା। ‘କର୍ମା’, ‘ପ୍ରେମ୍‌ ପର୍ବତ’, ‘ୱାରାଣ୍ଟ’, ‘ରାମ ଲଖନ’, ‘ପ୍ୟାର ତୋ ହୋନା ହି ଥା’, ‘ଗୁନାହୋ କା ଫୈସଲା’ ଭଳି ୩୦୦ରୁ ଅଧିକ ହିନ୍ଦୀ ଓ ପଞ୍ଜାବୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ସତୀଶ ପଞ୍ଜାବର ଲୁଧିଆନାରେ ବସବାସ କରୁଥିଲେ।

କରୋନା କାରଣରୁ ଆର୍ଥିକ ସଂକଟରେ ଥିବା ସତୀଶ ଗତ ବର୍ଷ ବଲିଉଡ୍‌ ସାଥୀମାନଙ୍କଠାରୁ ସହାୟତା ଲୋଡ଼ିଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ତାଙ୍କର ଚିକିତ୍ସା ପାଇଁ ୫ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଟିଭି ଧାରାବାହିକ ‘ବିକ୍ରମ ଔର ବେତାଳ’ରେ ଅଭିନୟ କରିଥିବା ସତୀଶ ୨୦୧୧ରେ ପଞ୍ଜାବରେ ଏକ ଅଭିନୟ ସ୍କୁଲ ଖୋଲିଥିଲେ; କିନ୍ତୁ ଏଥିଯୋଗୁଁ ସେ ବିପୁଳ କ୍ଷତି ସହିଥିଲେ। କାଶ୍ମୀରରେ ଜନ୍ମିତ ସତୀଶଙ୍କୁ ତାଙ୍କ ପତ୍ନୀ ଛାଡ଼ପତ୍ର ଦେଇ ଏକମାତ୍ର ପୁଅ ସହ ଆମେରିକା ଚାଲିଯାଇଛନ୍ତି।

Comments
Loading...