ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦ : ‘ଇନ୍ଦୋର’ ଦେଶର ସବୁଠୁ ସ୍ୱଚ୍ଛ ସହର

ନୂଆଦିଲ୍ଲୀ :  ମଧ୍ୟପ୍ରଦେଶର ‘ଇନ୍ଦୋର’ ସହର ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦ ପୁରସ୍କାର ହାସଲ କରିଛି। ‘ଇନ୍ଦୋର’ ସହର ଦେଶର ସବୁଠୁ ସ୍ୱଚ୍ଛ ସହର ଭାବେ ମନୋନୀତ ହୋଇଛି। ଇନ୍ଦୋର ସହର କ୍ରମାନ୍ୱୟରେ ଚତୁର୍ଥ ଥର ପାଇଁ ଏହି ପୁରସ୍କାର ଲାଭ କରିଛି। କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ଅନ୍‍ଲାଇନ ମାଧ୍ୟମରେ ଅନୁଷ୍ଠିତ ଏକ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ସେହିପରି ଗଙ୍ଗାନଦୀ କୂଳବର୍ତ୍ତୀ ସହରଗୁଡ଼ିକ ମଧ୍ୟରୁ ବାରଣାସୀ ସବୁଠୁ ସ୍ୱଚ୍ଛ ସହର ଭାବେ ମନୋନୀତ ହୋଇଛି। ଛତିଶଗଡ଼ ୧୦୦ରୁ ଅଧିକ ସହର ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଝାଡ଼ଖଣ୍ଡ ୧୦୦ରୁ କମ୍‍ ସହର ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମସ୍ଥାନ ଅଧିକାର କରିଛି। ଜଳନ୍ଧର କ୍ୟାଣ୍ଟନମେଣ୍ଟ ବୋର୍ଡ ଦେଶର ସବୁଠୁ ସ୍ୱଚ୍ଛ କ୍ୟାଣ୍ଟନମେଣ୍ଟ ବୋର୍ଡ ହେବାର ଗୌରବ ଅର୍ଜନ କରିଛି।

ଗୁଜୁରାଟର ଅହମ୍ମଦାବାଦ ୪୦ଲକ୍ଷରୁ ଊର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକ ମଧ୍ୟରେ ସବୁଠୁ ସ୍ୱଚ୍ଛ ସହର ଭାବେ ପୁରସ୍କୃତ ହୋଇଛି। ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ପୁରୀ କହିଛନ୍ତି, ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦ରେ ସହରଗୁଡ଼ିକ ଦ୍ୱାରା ବହୁ ନୂଆ ନୂଆ କାର୍ଯ୍ୟ ଦେଖିବାକୁ ମିଳିଛି। ସେ କହିଛନ୍ତି ନୂତନ ଚିନ୍ତାଧାରା, ବୈଷୟିକ ଜ୍ଞାନର ବ୍ୟବହାର ଓ ବିଭିନ୍ନ ପକ୍ଷଗୁଡ଼ିକର ଅଂଶଗ୍ରହଣ ମାଧ୍ୟମରେ ସହରଗୁଡ଼ିକରେ ସ୍ୱଚ୍ଛତା ଆଣିବା ଓ ବର୍ଜ୍ୟବସ୍ତୁ ପରିଚାଳନା ଭଳି ସମସ୍ୟା ଗୁଡ଼ିକର ସମାଧାନ କରିପାରିଛନ୍ତି।  ଚଳିତବର୍ଷ  ୪ ହଜାର ୨୪୨ଟି ସହରରୁ ଏହି ସର୍ବେକ୍ଷଣରେ ୧କୋଟି ୮୭ ଲକ୍ଷ ନାଗରିକ ଅଂଶଗ୍ରହଣ କରିଥିଲେ। ଏହାଛଡ଼ା ୬୨ଟି କ୍ୟାଣ୍ଟନମେଣ୍ଟ ବୋର୍ଡ ଓ ଗଙ୍ଗାନଦୀ ତଟବର୍ତ୍ତୀ ୯୨ଟି ସହର ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ସ୍ୱଚ୍ଛ ମହୋତ୍ସବ କାର୍ଯ୍ୟକ୍ରମରେ ସର୍ବମୋଟ୍‍ ୧୨୯ଟି ପୁରସ୍କାର ପ୍ରଦାନ କରାଯାଇଛି।

ସ୍ୱଚ୍ଛ ସର୍ବେକ୍ଷଣ -୨୦୨୦କୁ ୨୮ ଦିନ ଭିତରେ ସଂପୂର୍ଣ୍ଣ କରାଯାଇଥିଲା। ସ୍ୱଚ୍ଛତା ଆପରେ ୧କୋଟି ୭୦ଲକ୍ଷ ନାଗରିକ ପଞ୍ଜିକୃତ ହୋଇଥିଲେ। ସାମାଜିକ ଗଣମାଧ୍ୟମରେ ୧୧ କୋଟିରୁ ଊର୍ଦ୍ଧ୍ବ ମତାମତ ପ୍ରକାଶ ପାଇଥିଲା। ୫ଲକ୍ଷ ୫୦ ହଜାର ସଫେଇ କର୍ମଚାରୀ ଏହି କାର୍ଯ୍ୟକ୍ରମ ସହ ଜଡ଼ିତ ଥିଲେ। ତା’ଛଡ଼ା ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ୮୪ ହଜାର ଲୋକଙ୍କୁ ମୁଖ୍ୟଧାରାକୁ ଅଣାଯାଇଥିଲା। ଅଧିକରୁ ଅଧିକ ସଂଖ୍ୟକ ଲୋକମାନଙ୍କୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହ ସଂପୃକ୍ତ କରାଇବା ଲକ୍ଷ୍ୟରେ ସରକାର ସ୍ୱଚ୍ଛ ସର୍ବେକ୍ଷଣ ମିଶନକୁ ଆରମ୍ଭ କରିଛନ୍ତି।

Comments are closed.