ଇଣ୍ଡୋନେସିଆ : ଭୂକମ୍ପ ଓ ସୁନାମୀ ଜନିତ ମୃତ୍ୟୁ ସଂଖ୍ୟା ୧୪୦୦କୁ ବୃଦ୍ଧି

0

ଜାକର୍ତ୍ତା : ଇଣ୍ଡୋନେସିଆରେ ଭୂମିକମ୍ପ ଓ ସୁନାମୀ ଜନିତ ମୃତ୍ୟୁ ସଂଖ୍ୟା ୧୪୦୦କୁ ବୃଦ୍ଧି ପାଇଛି । ସର୍ବାଧିକ କ୍ଷତିଗ୍ରସ୍ତ ପାଲୁ ସହର ଓ ତାର ଆଖପାଖ ସ୍ଥାନଗୁଡ଼ିକରେ ସରକାରୀ ଉଦ୍ଧାରକାରୀମାନେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଦୁଇ ଲକ୍ଷ ଲୋକଙ୍କ ପାଇଁ ଜରୁରୀ ସହାୟତାର ଆବଶ୍ୟକତା ଥିବାବେଳେ ସେମାନଙ୍କ ମଧ୍ୟରେ ହଜାର ହଜାର ଶିଶୁ ରହିଛନ୍ତି ବୋଲି ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ୭.୫ ତୀବ୍ରତାର ଭୂମିକମ୍ପ ଓ ପରେ ଆସିଥିବା ସୁନାମିରେ ପ୍ରାୟ ୬୬ହଜାର ବାସଗୃହ କ୍ଷତିଗ୍ରସ୍ତ ହୋଇଛି ତଥା ଅନେକ ଘର ଧ୍ୱଂସ ହୋଇ ଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ ଡୋଙ୍ଗୋଲାରେ ତିନିଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ବିପାକରୁ ବର୍ତ୍ତି ଯାଇଥିବା ଲୋକମାନଙ୍କ ପାଖରେ ଖାଦ୍ୟ ଓ ପାଣି ପହଞ୍ଚିପାରୁ ନଥିବାରୁ ସେମାନେ ଦୟନୀୟ ସ୍ଥିତିରେ ଅଛନ୍ତି। ଆହତ ଲୋକମାନଙ୍କୁ ସ୍ଥାନୀୟ ହସ୍ପିଟାଲ୍‍ ଗୁଡ଼ିକରେ ଚିକିତ୍ସା କରାଯାଉଛି । ଡ଼ାକ୍ତରଖାନାର ସମସ୍ତ ଶଯ୍ୟା, ଚଟାଣ ଏବଂ ବାରଣ୍ଡାରେ ରୋଗୀଙ୍କୁ ଡ଼ାକ୍ତରୀ ସେବା ଯୋଗାଇ ଦିଆ ଯାଉଛି।
ଇତିମଧ୍ୟରେ ଭାରତୀୟ ବିମାନବାହିନୀ ଇଣ୍ଡୋନେସିଆର ଭୂମିକମ୍ପ ଓ ସୁନାମୀ କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ଭାରତ ସରକାରଙ୍କ ପକ୍ଷରୁ ପଠାଯାଇଥିବା ସହାୟତା ଧରି ପହଞ୍ଚିଛି । ଜାତୀୟ ବିପର୍ଯ୍ୟୟ ସହାୟତା ବାହିନୀ ଓ ଡାକ୍ତରୀ ଦଳ ତଥା ରିଲିଫ୍‍ ସାମଗ୍ରୀ ସହ ବିମାନ ବାହିନୀ ସେଠାକୁ ଯାଇଛି।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡଙ୍କ ସହ ଟେଲିଫୋନ୍‍ରେ କଥାବାର୍ତ୍ତା କରି ଧନଜୀବନର କ୍ଷୟକ୍ଷତି ପାଇଁ ଶୋକବାର୍ତ୍ତା ପଠାଇଥିଲେ। ଇଣ୍ଡୋନେସିଆକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

Leave A Reply