ଭୂକମ୍ପରେ ୧୦ ଇଞ୍ଚ ଘୁଞ୍ଚିଲା ଦ୍ୱୀପ

0

ନୂଆଦିଲ୍ଲୀ : ବିଧ୍ୱଂସକାରୀ ଭୂକମ୍ପ ଯୋଗୁଁ ଇଣ୍ଡୋନେସିଆର ପର୍ଯ୍ୟଟନ ସ୍ଥଳ ଲୋମ୍ବୋକ୍‍ ଦ୍ୱୀପ ନିଜ ସ୍ଥାନରୁ ୨୫ ସେଣ୍ଟିମିଟର ଘୁଞ୍ଚିଯାଇଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଏବଂ କାଲିଫର୍ଣ୍ଣିଆ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜିର ବୈଜ୍ଞାନିକମାନେ ମିଳିତ ଭାବେ ଦ୍ୱୀପଟିର ଉପଗ୍ରହ ଚିତ୍ରକୁ ସମୀକ୍ଷା କରି ଏହି ସୂଚନା ପ୍ରଦାନ କରିଛନ୍ତି। ଏହି ଦ୍ୱୀପରେ ଜୁଲାଇ ୨୯ ଏବଂ ଅଗଷ୍ଟ ୯ରେ ଭୂକମ୍ପ ଘଟିଥିଲା। ରବିବାର ଭୂକମ୍ପ ଯୋଗୁ ଦ୍ୱୀପଟିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବୈଜ୍ଞାନିକଙ୍କ ସୂଚନା ଅନୁସାରେ ଭୂକମ୍ପର କେନ୍ଦ୍ର ସ୍ଥଳ ନିକଟରେ ଦ୍ୱୀପର ଉତ୍ତର-ପଶ୍ଚିମାଞ୍ଚଳର ଏକ ଫଲ୍ଟଲାଇନ୍‍ରେ ଫାଟ ସୃଷ୍ଟି ହୋଇଛି। ଏହାଦ୍ୱାରା ଭୂପୃଷ୍ଠ ୩ ସେଣ୍ଟିମିଟର ଉପରକୁ ଉଠିଆସିଥିବା ବେଳେ ଅନ୍ୟ ଏକସ୍ଥାନରେ ଏହା ୫-୧୫ ସେଣ୍ଟିମିଟର (୨-୬ଇଞ୍ଚ) ଦବି ଯାଇଛି।  ଏହି ସୂଚନା ବ୍ୟବହାର କରି ଇଣ୍ଡୋନେସିଆର ଅଧିକାରୀମାନେ ଭୂକମ୍ପ ତଥା ଅନ୍ୟାନ୍ୟ ପ୍ରାକୃତିକ ତଥା ମନୁଷ୍ୟକୃତ ବିପର୍ଯ୍ୟୟର ମୁକାବିଲା କରିପାରିବେ ବୋଲି ନାସା ପକ୍ଷରୁ କୁହାଯାଇଛି। ଲୋମ୍ବୋକରେ ଜୁଲାଇ ୨୯ରେ ଶକ୍ତିଶାଳୀ ଭୂକମ୍ପ ଘଟି ୧୬ ଜଣ ଲୋକ ପ୍ରାଣ ହରାଇଥିଲେ। ରିକ୍ଟର ସ୍କେଲ୍‍ରେ ଏହି ଭୂକମ୍ପର ତୀବ୍ରତା ୭ ରେକର୍ଡ କରାଯାଇଥିଲା। ଏଥିରେ ୬୮,୦୦୦ ବାସଗୃହ ଭୁଶୁଡି ପଡିଥିବା ବେଳେ ୨,୭୦,୦୦୦ ଲୋକ ବାସହରା ହୋଇପଡିଥିଲେ। ଭୂକମ୍ପ ପରେ ପରେ ୫୦୦ରୁ ଊର୍ଦ୍ଧ୍ବ ଥର ଭୂକମ୍ପ ପରବର୍ତ୍ତୀ ଝଟ୍‍କା ଅନୁଭୂତ ହୋଇଥିଲା। କିଛି ଦିନ ପରେ ଏଠାରେ ଅଗଷ୍ଟ ୫ରେ ପୁନଃ ୬.୯ ତୀବ୍ରତା ବିଶିଷ୍ଟ ଆଉଏକ ଭୂକମ୍ପ ଘଟିଥିଲା ଯାହାକି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର କରିଥିଲା।

Leave A Reply