ଜୈସ ଯୋଗୁଁ ଭାରତ-ପାକ୍ ୨ଥର ମୁହାଁମୁହିଁ

0

ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଯୋଗୁଁ ବିଗତ ୨୦ବର୍ଷରେ ଭାରତ ଓ ପାକିସ୍ତାନ ମଧ୍ୟରେ ୨ଥର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଭାରତ ବିରୋଧରେ ଧର୍ମ ଯୁଦ୍ଧ ‘ଘାଜୱା-ଇ-ହିନ୍ଦ’ ନାମରେ ଜୈସ ଯେଉଁ ଅଭିଯାନ ଚଳାଇଛି ତାହା ଦୁଇ ଦେଶ ମଧ୍ୟରେ ଯୁଦ୍ଧର ପରିସ୍ଥିତି ସୃଷ୍ଟି କରୁଛି। ଜୈସ-ଇ-ମହମ୍ମଦ ଭାରତ ଉପରେ କରିଥିବା ପ୍ରମୁଖ ଆକ୍ରମଣ ମଧ୍ୟରେ ରହିଛି ୨୦୦୧ ସଂସଦ ଆକ୍ରମଣ, ୨୦୧୯ ଫେବୃଆରୀ ୧୪ ପୁଲୱାମା ଆକ୍ରମଣ, ଉରି ସେନାମୁଖ୍ୟାଳୟ ଆକ୍ରମଣ, ପଠାନକୋର୍ଟ ବାୟୁସେନା ଘାଟି ଆକ୍ରମଣ, ଶ୍ରୀନଗରସ୍ଥିତ ବାଦାମିବାଗ କ୍ୟାଣ୍ଟନମେଣ୍ଟ ଆକ୍ରମଣ ଓ ଜାମ୍ମୁ-କାଶ୍ମୀର ବିଧାନସଭା ଆକ୍ରମଣ। ଏହି ସବୁ ମଧ୍ୟରେ ସଂସଦ ଆକ୍ରମଣ ଓ ପୁଲୱାମା ଆକ୍ରମଣ ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।
ଅଲ-କାଏଦା ଆତଙ୍କବାଦୀ ସଂଗଠନ ସହ ଘନିଷ୍ଠ ସମ୍ପର୍କ ରଖିଥିବା ଜୈସ-ଇ-ମହମ୍ମଦ ୨୦୧୭ ନଭେମ୍ବର ୨୭ରେ ପ୍ରତିଜ୍ଞା କରିଥିଲା ଯେ ଭାରତ-ପାକିସ୍ତାନ ସମ୍ପର୍କକୁ ପଛରେ ପକାଇ ଏହା ଭାରତ ବିରୋଧରେ ଧର୍ମଯୁଦ୍ଧ ଜାରି ରଖିବ। ଅଲ-କାଏଦାର ପୂର୍ବତନ ମୁଖ୍ୟ ଓସାମା ବିନ୍ ଲାଡେନ ସହ ଜୈସର ଘନିଷ୍ଠ ସମ୍ପର୍କ ରହିଥିଲା। ୧୯୯୯ ଡିସେମ୍ବର ୩୧ରେ ମାସୁଦ ଆଝାର ଭାରତ ଜେଲ୍‌ରୁ ମୁକ୍ତ ହେବା ପରେ ଜୈସ ସଂଗଠନ ଗଠନ କରିଥିଲା। ଭାରତୀୟ ଏୟାରଲାଇନ୍ସର ବିମାନ ଆଇସି୮୧୪କୁ ଅପହରଣ ପରେ ଭାରତ ସରକାର ମାସୁଦକୁ ଜେଲ୍‌ରୁ ମୁକ୍ତ କରିଥିଲେ। ଆଝାର ସହିତ ବ୍ରିଟେନ ସିକ୍ରେଟ ସର୍ଭିସ ଏଜେଣ୍ଟ ଓମାର ଶେଖକୁ ମଧ୍ୟ ଜେଲ୍‌ରୁ ମୁକ୍ତ କରାଯାଇଥିଲା। ୱାଲ ଷ୍ଟ୍ରୀଟ୍ ଜର୍ଣ୍ଣାଲର ସାମ୍ବାଦିକ ଡାନିଏଲ ପର୍ଲଙ୍କ ହତ୍ୟା ଓ ୯/୧୧ ଆମେରିକା ଆତଙ୍କବାଦୀ ଆକ୍ରମଣ ପାଇଁ ପାଣ୍ଠି ଯୋଗାଣ କରିବା ପାଇଁ ଓମାରକୁ ଦାୟୀ କରାଯାଇଥିଲା।
ଆଫଗାନିସ୍ତାନର ତୋରା ବୋରାରେ ଓସାମା ବିନ୍ ଲାଡେନକୁ ପାକିସ୍ତାନ ସେନା ଘେରାଉ କରିଥିବାବେଳେ ଜୈସ ତାକୁ ଉଦ୍ଧାର କରିଥିଲା। ପରେ ଲାଡେନ ପାକିସ୍ତାନରେ ସୁରକ୍ଷିତ ଭାବେ ରହିଥିଲା। ଜୈସର କାର୍ଯ୍ୟକଳାପ କେବଳ ଭାରତକୁ କ୍ଷତି ପହଞ୍ଚାଉ ନାହିଁ। ଏହା ବିଶ୍ବର ଶାନ୍ତି ଓ ସୁରକ୍ଷାରେ ବଡ ବିପଦ ଭାବେ ଉଭା ହୋଇଛି। କାରଣ ଜୈସ ପାକିସ୍ତାନର ଅନ୍ୟ ଆତଙ୍କବାଦୀ ସଂଗଠନକୁ ସୁବିଧା ସୁଯୋଗ ଯୋଗାଇ ଦେଉଛି।

Leave A Reply