ଭାରତ-ଚୀନ ଚତୁର୍ଦ୍ଦଶ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ଶେଷ

ଭୁଟାନ ସୀମାନ୍ତରେ ଚୀନର ବେଆଇନ ନିର୍ମାଣ ଜାରି

ନୂଆଦିଲ୍ଲୀ: ସମୀା ବିବାଦର ସମାଧାନ ପାଇଁ ଭାରତ ଓ ଚୀନ ମଧ୍ୟରେ ଆୟୋଜିତ ଚତୁର୍ଦ୍ଦଶ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ଶେଷ ହୋଇଛି । ଚୀନ ପଟେ ଚୁଶୁଲ-ମୋଲଡୋଠାରେ ଏହି ବୈଠକ ବୁଧବାର ଆରମ୍ଭ ହୋଇ ୧୩ ଘଣ୍ଟା ଧରି ଚାଲିଥିଲା । ବୁଧବାର ରାତି ପ୍ରାୟ ୧୦.୩୦ରେ ଶେଷ ହୋଇଥିବା ଏହି ବୈଠକରେ ଭାରତ ପକ୍ଷରୁ ୧୪ କର୍ପସ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଅନିନ୍ଦ୍ୟ ସେନଗୁପ୍ତା ନେତୃତ୍ୱ ନେଇଥିଲେ । ସେହିଭଳି ଚୀନ ପକ୍ଷରୁ ଏହି ଆଲୋଚନାରେ ଦକ୍ଷିଣ ଜିନଜିଆଙ୍ଗ ସାମରିକ ଜିଲା ମୁଖ୍ୟ ମେଜର ଜେନେରାଲ ୟାଙ୍ଗ ଲିନ୍‍ ନେତୃତ୍ୱ ନେଇଥିଲେ । ଆଲୋଚନା କାଳରେ ଭାରତ ପୂର୍ବ ଲଦାଖର ଅବଶିଷ୍ଟ ବିବାଦୀୟ ସ୍ଥାନରୁ ସେନା ଅପସାରଣ କାର୍ଯ୍ୟ ଆରମ୍ଭ କରିବାକୁ ଚାପ ପକାଇଥିଲା । ବିଶେଷକରି ହଟ୍‍ ସ୍ପ୍ରିଂ ଅଞ୍ଚଳରୁ ସେନା ଅପସାରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା । ତାହାସହତ ଡେପସାଙ୍ଗ ବଲଗେ ଏବଂ ଡେମଚୋକ ପ୍ରସଙ୍ଗର ଶୀଘ୍ର ସମାଧାନ ପାଇଁ ଭାରତ ପ୍ରତିପକ୍ଷର ଦୃଷ୍ଟି ଆକର୍ଷଣ କରିଥିଲା । ପୂର୍ବରୁ ଗତବର୍ଷ ଅକ୍ଟୋବର ୧୦ ତାରିଖରେ ଦୁଇପକ୍ଷ ମଧ୍ୟରେ ତ୍ରୟୋଦଶ ପର୍ଯ୍ୟାନ୍ତ ଆଲୋଚନା ଅନୁଷ୍ଠିତ ହୋଇଥିଲେ ମଧ୍ୟ ସେଥିରୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା ।
ଗୋଟିଏ ପଟେ ସୀମା ବିବାଦ ସମାଧାନ ପାଇଁ ଦ୍ୱିପାକ୍ଷିକ ଆଲୋଚନା ଚାଲିଥିବାବେଳେ ଅନ୍ୟ ପଟେ ଚୀନ ଭୁଟାନ ସୀମାନ୍ତକୁ ଲାଗି ତାହାର ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ଜଣାଯାଇଛି । ୨୦୨୦ରୁ ଚୀନ ଉକ୍ତ ବିବାଦୀୟ ସୀମାରେ ନିର୍ମାଣ କରୁଥିବା ଏବଂ ସେଠାରେ ପ୍ରାୟ ୨୦୦ ଢାଞ୍ଚା ନିର୍ମାଣ କରିସାରିଥିବା ଉପଗ୍ରହ ସୂତ୍ରରୁ ପ୍ରାପ୍ତ ଚିତ୍ରରୁ ଜଣାଯାଇଛି । ସେଥିମଧ୍ୟରେ ରହିଛି ଦୁଇ ମହଲା ବିଶିଷ୍ଟ କୋଠାଘର । ଚୀନ ସେଠାରେ ଛଅଟି ସ୍ଥାନରେ ନିର୍ମାଣ କାର୍ଯ୍ୟ ଚଳାଇଥିବା ଏହି ଚିତ୍ରରୁ ଜାଣିବାକୁ ମିଳିଛି । ଆମେରିକାର ତଥ୍ୟ ବିଶ୍ଳେଷଣକାରୀ ସଂସ୍ଥା ହକ୍‍ ଆଇ ୩୬୦ ପକ୍ଷରୁ ଖବର ସରବରାହ ସଂସ୍ଥା ରଏଟର୍ସକୁ ଯୋଗାଇ ଦିଆଯାଇଥିବା ଚିତ୍ର ଓ ବିଶ୍ଳେଷଣରୁ ଜଣାଯାଇଛି ଯେ ଭୁଟାନର ପଶ୍ଚିମ ପାଶ୍ୱର୍ରେ ୨୦୨୦ରୁ ଚୀନ ନିର୍ମାଣ କାର୍ଯ୍ୟ ଚଳାଇଛି । ସେଠାରେ ପ୍ରଥମେ ରାସ୍ତା ନିର୍ମାଣ ସହିତ ଅଞ୍ଚଳକୁ ପରିଷ୍କାର କରାଯାଉଥିଲା । ପରେ ୨୦୨୧ରେ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇ ମୂଳଦୁଆ ନିର୍ମାଣ କରାଗଲା । ପରେ ସେଠାରେ ଅନେକ କୋଠାଘର ନିର୍ମାଣ କରାଯାଇଛି । ତେବେ ଉକ୍ତ ଅଞ୍ଚଳ ଭାରତ ପାଇଁ ମଧ୍ୟ ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବିଚେିତ ହେଉଛି । କିନ୍ତୁ ଚୀନର ଉକ୍ତ ନିର୍ମାଣ ସମ୍ପର୍କରେ ଭାରତ ଏବଂ ଭୁଟାନ ସମ୍ପୂର୍ଣ୍ଣ ନୀରବ ରହିଛନ୍ତି ।

Comments are closed.