MEllora 950×100

ଭାରତ-ଆମେରିକା ସମରାଭ୍ୟାସକୁ ନେଇ ଚୀନର ତୀବ୍ର ପ୍ରତିକ୍ରିୟା

ବେଜିଂ : ଉତ୍ତରାଖଣ୍ଡର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ ଓ ଆମେରିକା ମିଳିତ ସମରାଭ୍ୟାସ ଚାଲିଥିବାବେଳେ ଚୀନ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ‘ଯୁଦ୍ଧ ଅଭ୍ୟାସ ୨୦୨୨’ ନାମରେ ହୋଇଥିବା ଏହି ସମରାଭ୍ୟାସ ନୂଆଦିଲ୍ଲୀ-ବେଜିଂ ମଧ୍ୟରେ ସ୍ବାକ୍ଷର ହୋଇଥିବା ସୀମା ରାଜିନାମାକୁ ଉଲ୍ଲଙ୍ଘନ କରୁଛି ବୋଲି ଚୀନ କହିଛନ୍ତି। ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି ଯେ ଭାରତ-ଆମେରିକାର ସମରାଭ୍ୟାସ ୧୯୯୩ ଓ ୧୯୯୬ରେ ଭାରତ-ଚୀନ ମଧ୍ୟରେ ହୋଇଥିବା ରାଜିନାମାକୁ ଉଲ୍ଲଙ୍ଘନ କରୁଛି। ଏହାଦ୍ବାରା ଦୁଇ ଦେଶ ପରସ୍ପରର ବିଶ୍ବାସଭାଜନ ହୋଇପାରିବେ ନାହିଁ। ଏହା ପୂର୍ବରୁ ଭାରତ କହିଥିଲା, ଚୀନ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଏଲଏସିର ବିବାଦୀୟ ଅଞ୍ଚଳରେ ବିପୁଳ ସୈନ୍ୟ ମୁତୟନ ଯୋଜନା କରୁଛି। ୨୦୨୦ ଜୁନ୍‌ରେ ହୋଇଥିବା ଗଲୱାନ ସଂଘର୍ଷ ପରଠାରୁ ଭାରତ ଓ ଚୀନ ସମ୍ପର୍କରେ ଉତ୍ତେଜନା ଲାଗି ରହିଛି।
ଅନ୍ୟପକ୍ଷରେ ଭାରତ ଓ ଚୀନ ସମ୍ପର୍କରେ କୌଣସି ପ୍ରକାର ହସ୍ତକ୍ଷେପ ନ କରିବା ଲାଗି ବେଜିଂ ଆମେରିକାକୁ ସତର୍କ କରାଇଛି। ଚୀନ କହିଛି ଯେ ଭାରତର ବିଶ୍ବାସଭାଜନ ହୋଇ ବେଜିଂ ସୀମା ବିବାଦର ସମାଧାନ ପାଇଁ ଉଦ୍ୟମ ଚଳାଇଛି। ଏପରିସ୍ଥିତିରେ ଆମେରିକା ହସ୍ତକ୍ଷେପ କରିବା ଠିକ୍ ନୁହେଁ। ପେଣ୍ଟାଗନ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଚୀନର ସତର୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏଲଏସିର କେତେକ ଅଞ୍ଚଳରେ ଚୀନ ସାମରିକ ଭିତ୍ତିଭୂମି ବୃଦ୍ଧି କରିବା ସହିତ ସୈନ୍ୟ ମୁତୟନ ଚଳାଇଥିବା ଆମେରିକା କହିଛି।

Comments are closed.