ଭାରତ-ଆମେରିକା ବୈଠକ ବାତିଲ୍‌ ପଛର କାରଣ ଜଣାପଡ଼ିଲା

0

ନୂଆଦିଲ୍ଲୀ: ଆସନ୍ତା ୬ ତାରିଖରେ ପ୍ରସ୍ତାବିତ ଭାରତ-ଆମେରିକା ଦ୍ୱିପାକ୍ଷିକ ଆଲୋଚନା ବାତିଲ୍‌ ହୋଇଯାଇଛି । ବୈଠକ ଆଲୋଚନା ସ୍ଥଗିତ ସମ୍ପର୍କରେ ଆମେରିକା ପକ୍ଷରୁ ଘୋଷଣା ହେବା ପରେ ତାହାକୁ ନେଇ ଆଲୋଚନା, ପର୍ଯ୍ୟାଲୋଚନା ଓ ତର୍କ, ବତର୍କ ଆରମ୍ଭ ହୋଇଛି । ଆମେରିକା ପକ୍ଷରୁ ଜାରି ହୋଇଥିବା ଭିସା କଟକଣା ବିବାଦ ଯୋଗୁଁ ଆଲୋଚନା ବାତିଲ ହୋଇଛି ବୋଲି କୁହାଯାଉଥିବା ବେଳେ ରୁଷ ସହିତ ଭାରତର ପ୍ରତିରକ୍ଷା ସାମଗ୍ରୀ କ୍ରୟ ଚୁକ୍ତିକୁ ଏଥିପାଇଁ ଦାୟୀ କରାଯାଇଛି ।
ବର୍ତ୍ତମାନ ପରିସ୍ଥିତିରେ ଆଲୋଚନା ସମ୍ଭବ ନୁହେଁ ବୋଲି ଆମେରିକା ପକ୍ଷରୁ ଯୁକ୍ତ ଦର୍ଶାଯାଇଥିଲା । ତେଣୁ ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଯୋଗୁଁ ଆମେରିକା ଆଲୋଚନା ବାତିଲ୍‌ କଲା ବୋଲି କୂଟନୈତିକ ମହଲରେ ଆଲୋଚନା ହେଉଥିଲା । କିନ୍ତୁ ବୈଠକ ବାତିଲ୍‌ ପଛର ପ୍ରକୃତ କାରଣ ଏବେ ପଦାକୁ ଆସିଛି । ଆମେରିକାର ପରରାଷ୍ଟ୍ର ବିଭାଗ ସଚିବ ମାଇକ୍‌ ପମ୍ପେଓଙ୍କ ଉତ୍ତରକୋରିଆ ଗୁପ୍ତ ଗସ୍ତ ଯୋଗୁଁ ଭାରତ ସହିତ ବୈଠକ ବାତିଲ୍‌ କରିବାକୁ ପଡ଼ିଲା ବୋଲି ଜଣାପଡ଼ିଛି ।
ଜୁଲାଇ ୫ ତାରିଖରେ ପମ୍ପେଓଙ୍କ ଉତ୍ତରକୋରିଆ ଗସ୍ତ କାର୍ଯ୍ୟକ୍ରମ ନିର୍ଦ୍ଧାରଣ ହୋଇଛି । ଏହି କାର୍ଯ୍ୟକ୍ରମ ପାଇଁ ଆମେରିକା ପ୍ରଶାସନ ହଠାତ୍‌ ନିଷ୍ପତ୍ତି ନେଇଥିଲା । ସାମ୍ପ୍ରତିକ ସ୍ଥିତିରେ ପମ୍ପେଓଙ୍କ ଗସ୍ତକୁ ଯଥାସମ୍ଭବ ଗୁପ୍ତ ରଖାଯାଇଥିବାରୁ ଦ୍ୱିପାକ୍ଷିକ ବୈଠକ ବାତିଲ୍‌ ପଛରେ ଏହାକୁ ଏକ କାରଣ ରୂପେ ଦର୍ଶାଯାଇନଥିଲା ।

Leave A Reply