ଅନ୍ଧାରକୁ ଡରୁଥିଲେ ଇନ୍ଦିରା
ନିଜ ଦୃଢ ମନୋବଳ, ସାହସ ଓ ନିଷ୍ପତ୍ତି ନେବାର ଅଦ୍ଭୁତ କ୍ଷମତା କାରଣରୁ ଇନ୍ଦିରା ଗାନ୍ଧୀଙ୍କୁ ବିଶ୍ୱ ରାଜନୀତିରେ ଲୌହ ମହିଳା ଭାବେ ଜଣାଯାଏ। ହେଲେ ଖୁବ୍ କମ୍ ଲୋକଙ୍କୁ ଏ ବିଷୟରେ ଜଣାଥିବ ଯେ ପିଲାଦିନେ ସବୁ ପିଲାଙ୍କ ଭଳି ସେ ମଧ୍ୟ ଅନ୍ଧାରକୁ ବହୁତ ଡ଼ରୁଥିଲେ।
ଇନ୍ଦିରା ଗାନ୍ଧୀ ତାଙ୍କ ସ୍ମୃତିକଥା ‘ବଚପନ କେ ଦିନ’ ରେ ଏବିଷୟରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ମୋତେ ଅନ୍ଧାରକୁ ବହୁତ ଡର ଲାଗୁଥିଲା, ଯେମିତି ପ୍ରାୟ ପ୍ରତ୍ୟେକ ପିଲାକୁ ଲାଗେ। ପ୍ରତିଦିନ ସନ୍ଧ୍ୟାରେ ଏକୁଟିଆ ତଳ ମହଲାର ଖାଇବା ଘରଠାରୁ ଉପର ମହଲାର ଶୋଇବା ଘର ପର୍ଯ୍ୟନ୍ତ ଯିବା ମୋତେ ବହୁତ ଭୟଭୀତ କରୁଥିଲା।
ସେ ପୁନର୍ବାର ଲେଖିଛନ୍ତି, ଯଦି ମୁଁ ମୋର ଏହି ଭୟ ବିଷୟରେ କାହାକୁ କହିଥାଆନ୍ତି, ତାହେଲେ କେହି ନା କେହି ନିଶ୍ଚୟ ପ୍ରତିଦିନ ମୋ ସାଥିରେ ଉପରକୁ ଆସିଥାଆନ୍ତେ। ହେଲେ ସେ ବୟସରେ ମଧ୍ୟ ସାହସର ଏପରି ମହତ୍ତ୍ୱ ଥିଲା ଯେ, ମୁଁ ସ୍ଥିର କରିଥିଲି ଏକୁଟିଆପଣର ମୋର ଏହି ଭୟରୁ ମୁଁ ନିଜେ ହିଁ ଦୂର କରିବି।
ପୂର୍ବ ବିଦେଶମନ୍ତ୍ରୀ ତଥା ବରିଷ୍ଠ ନେତା ନଟବର ସିଂହ କୁହନ୍ତି, ମାଆଙ୍କ ଖରାପ ସ୍ୱାସ୍ଥ୍ୟବସ୍ଥା ଓ ପିତାଙ୍କ ବ୍ୟସ୍ତତା କାରଣରୁ ଇନ୍ଦିରାଙ୍କ ପିଲାବେଳ ସାଧାରଣ ପିଲାଙ୍କ ଭଳି ବିତି ନାହିଁ। ହେଲେ ପିତା ଜବାହାରଲାଲ ନେହେରୁଙ୍କ ଦ୍ୱାରା ସେ ଖୁବ୍ ପ୍ରଭାବିତ ଥିଲେ।
ପିଲାଦିନରୁ ହିଁ ଇନ୍ଦିରା ଜାଣିପାରିଥିଲେ ଯେ, ଦାସତ୍ୱ ଭାରତର ଚିନ୍ତନୀୟ ସ୍ଥିତି ଓ ଦେଶ ପାଇଁ ସ୍ୱାଧୀନତାର କେତେ ଆବଶ୍ୟକତା ରହିଛି। ରାଜନୀତିକୁ ବୁଝିବାର କ୍ଷମତା ତାଙ୍କୁ ପୌତ୍ରିକ ଧନ ଭାବେ ମିଳିଥିଲା, ଯେଉଁ କାରଣରୁ ଖୁବଶୀଘ୍ର ରାଜନୀତି କ୍ଷେତ୍ରକୁ ତାଙ୍କର ପ୍ରବେଶ ହୋଇଥିଲା।