ଇଣ୍ଡିଗୋ ବିମାନର ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ : କ୍ବାରେଣ୍ଟାଇନ୍‌ରେ ପାଇଲଟ୍ ଏବଂ କ୍ୟାବିନ୍ କ୍ରୁ ମେମ୍ବର

ନୂଆଦିଲ୍ଲୀ : ଦିର୍ଘ ଦୁଇ ମାସ ଧରି ସାରା ଦେଶରେ ବନ୍ଦ ରହିଥିବା ବିମାନ ସେବା ମେ ୨୫ ତାରିଖରୁ ଆରମ୍ଭ କରାଯାଇଛି । ବିମାନ ଉଡାଣ ଆରମ୍ଭ କରିବା ପରେ ଦେଶର ବିଭିନ୍ନ ଭାଗରେ ଫଶି ରହିଥିବା ବ୍ୟକ୍ତି ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରୁଛନ୍ତି । ଏହାରି ମଧ୍ୟରେ ଘରୋଇ ବିମାନ ଇଣ୍ଡିଗୋରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଇଣ୍ଡିଗୋ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଇଣ୍ଡିଗୋ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ କୋଏମ୍ବାଟୁର ବିମାନବନ୍ଦରର ଡାକ୍ତର ନିଶ୍ଚିତ କରିଛନ୍ତି ଯେ, ମେ’ ୨୫ ସନ୍ଧ୍ୟାରେ ଚେନ୍ନାଇରୁ କୋଏମ୍ବାଟୁର ଅଭିମୁଖେ ଯାତ୍ରା କରୁଥିବା ଜଣେ ଯାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହି ବ୍ୟକ୍ତି ଜଣଙ୍କୁ କୋଏମ୍ବାଟୁରର ଇଏସଆଇ ରାଜ୍ୟ ମେଡିକାଲ ସୁବିଧା କେନ୍ଦ୍ରରେ କ୍ବାରେଣ୍ଟାଇନରେ ରଖାଯାଇଛି । ଯାତ୍ରୀ ଜଣଙ୍କ ଅନ୍ୟ ସମସ୍ତ ଯାତ୍ରୀଙ୍କ ପରି, ମାସ୍କ, ଫେସ୍ ସିଲ୍ଡ ଏବଂ ଗ୍ଲୋଭସ୍ ସହିତ ସମସ୍ତ ସତର୍କତାମୂଳକ ପଦକ୍ଷେପ ସହିତ ବିମାନରେ ବସିଥିଲେ ।

ଏଥିସହ ଇଣ୍ଡିଗୋ କହିଛି ଯେ, ପଜିଟିଭ୍ ଚିହ୍ନଟ ହୋଇଥିବା ଯାତ୍ରୀଙ୍କ ଆଖପାଖରେ କୌଣସି ଯାତ୍ରୀ ବସି ନାହାଁନ୍ତି । ଯେଉଁ କାରଣରୁ ସଂକ୍ରମଣ ହେବାର ସମ୍ଭାବନା ବହୁତ କମ୍ ଅଟେ । ଇଣ୍ଡିଗୋ କହିଛି, ଆମର ସମସ୍ତ ବିମାନକୁ ନିୟମିତ ଭାବେ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସଓପି) ଅଧୀନରେ ସଫା କରାଯାଏ ଏବଂ ପ୍ରୋଟୋକଲ୍ ଅନୁଯାୟୀ ଅନେକ ବିମାନ ମଧ୍ୟ ତୁରନ୍ତ ଡିସଇନଫେକ୍ଟଟେଡ୍ କରାଯାଇଥିଲା ।

ଇଣ୍ଡିଗୋ କହିଛି ଯେ, ବିମାନର ଅପରେଟିଂ କ୍ରୁଙ୍କୁ ୧୪ ଦିନ ଆଇସୋଲେସନ କରାଯାଇଛି । ସେହି ବିମାନରେ ଯାତ୍ରା କରିଥିବା ଅନ୍ୟ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଆମେ ଅନ୍ୟ ଯାତ୍ରୀମାନଙ୍କୁ ଏହା ବିଷୟରେ ସୂଚନା ଦେବା ପ୍ରକ୍ରିୟାରେ ଅଛୁ। ବିମାନର ପାଇଲଟ୍ ଏବଂ କ୍ୟାବିନ୍ କ୍ରୁଙ୍କୁ ମଧ୍ୟ କ୍ବାରେଣ୍ଟାଇନରେ ରଖାଯାଇଛି ।

Comments are closed.