ଆଇଆଇସିଙ୍କ ବଦଳି ଦାବିରେ ସାଙ୍କେରୀରେ ଆଦିବାସୀ ମେଳି

ଗ୍ରାମବାସୀ କୋର୍ଟରେ ଏତଲା ଦେବାକୁ ପ୍ରସ୍ତୁତ

ଗୁଣପୁର : ପୁଟାସିଂ ଥାନା ଅନ୍ତର୍ଗତ ସାଙ୍କେରୀ ଗାଁରେ ଗତ ଗୁରବାର ରାତିରେ ହୋଇଥିବା ଘଟଣା ପରେ ଆଜି ଥାନା ଆଇଆଇସି ପଦ୍ମା ମୁଥୁଙ୍କ ବଦଳି ଦାବିରେ ଗ୍ରାମବାସୀ ମେଳି କରିଛନ୍ତି। ଏହି ମେଳିରେ ପାଖ ପଡୋଷୀ ଗ୍ରାମବାସୀ ମାନେ ମଧ୍ୟ ସାମିଲ ହୋଇଛନ୍ତି। ଆଇଆଇସିଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଗୁରବାର ରାତିରେ ଆଇଆଇସିଙ୍କ ଅନ୍ୟ ଥାନା କର୍ମଚାରୀଙ୍କୁ ଅଟକ ରଖିବା ସହ ତିରସ୍କାର କରିଥିଲେ। ଏହାପରେ ଆଜି ସାଙ୍କରି, ପିଣ୍ଡାଗୁଡା ଗ୍ରାମ ସମେତ ଅନ୍ୟାନ୍ୟ ଆଖପାଖର ଶତାଧିକ ଲୋକେ ସାଙ୍କେରୀରେ ଏକାଠି ହୋଇଥିଲେ। ଭୀମପୁର ସରପଞ୍ଚ ସୁମନ୍ତି ଶବର, ଆଦିବାସୀ ନେତା ଇସମାଇଲ ଶବର ପ୍ରମୁଖ ମଧ୍ୟ ଏହି ସ୍ଥାନରେ ଉପସ୍ଥିତ ରହି ପୁଲିସର କାର୍ଯ୍ୟକଳାପକୁ ନିନ୍ଦା କରିଥିଲେ। ଗତ କିଛିଦିନ ଧରି ପୁଟାସିଂ ଥାନା ଅଞ୍ଚଳର ଅନେକ ଗାଁ ଗହଳିର ଲୋକଙ୍କୁ ଆଇଆଇସି ଅଯଥା ହଇରାଣ କରୁଥିବା ବେଳେ ଛୋଟ ଛୋଟ ଘଟଣାରେ ଟଙ୍କା ଆଦାୟ କରୁଥିବା କଥା ନଜରକୁ ଆଣିଥିଲେ। ଏହାର ପ୍ରତିବାଦ କରି ବଦଳି ଦାବି କରିଥିଲେ। ଏସଂକ୍ରାନ୍ତରେ ଆସନ୍ତା କାଲି ଜିଲାପାଳ ଓ ଏସପିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଉପ ଜିଲାପାଳଙ୍କୁ ଦେବାପାଇଁ ଆଜି ନିଷ୍ପତି ହୋଇଛି। ଅପରପକ୍ଷେ ଗୁରବାର ରାତିରେ ଗାଁ ଲୋକଙ୍କ ମାରପିଟ କରିବା ସହ କୃଷୀଜାତ ଦ୍ରବ୍ୟ ଫୋପାଡିବା ଓ ଘର ଭାଙ୍ଗିବା ଘଟଣାରେ ମଧ୍ୟ ସୋମବାର ଗାଁର ମହିଳା ମାନେ ଗୁଣପୁର କୋର୍ଟରେ ଏତଲା ଦେବେ ବୋଲି କହିଛନ୍ତି। ପୁଲିସର କାର୍ଯ୍ୟକଳାପକୁ ନେଇ ଉକ୍ତ ଅଞ୍ଚଳରେ ଅସନ୍ତୋଷ ବଢିବା ସାଙ୍ଗକୁ ପ୍ରତିବାଦର ସ୍ୱର ଦାନା ବାନ୍ଧୁଥିବା ବେଳେ ଏପଟେ ପୁଲିସ ମଧ୍ୟ ଗାଁ ଲୋକଙ୍କ ନାରେ ଏକ ମକଦ୍ଦମା ରୁଜୁ କରିଛି। ତେବେ ଏହି ସମ୍ପର୍କରେ ଅଧିକ ତଦନ୍ତ ଚାଲୁ ରହିଛି। ଏସପିଙ୍କ ସହିତ ଆଲୋଚନା ପରେ ୧୧ ତାରିଖ ଦିନ ଗାଁ ଲୋକଙ୍କ ସହ ଆଲୋଚନା କରିବାର ଯୋଜନା ରହିଥିବା କଥା ଏସଡିପିଓ ରାଜ କିଶୋର ଦାସ କହିଛନ୍ତି।

Comments are closed.