ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି୨୦ ମୁକାବିଲା ଆଜି

ଅକ୍‌ଲାଣ୍ଡ : ଘରୋଇ ମାଟିରେ ୩ଟି ଦଳଙ୍କ ବିପକ୍ଷରେ ସହଜ ବିଜୟ ହାସଲ କରିବା ପରେ ବିଦେଶ ଗସ୍ତରେ ଯାଇଛି ଭାରତୀୟ କ୍ରିକେଟ ଦଳ। ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍, ୩ ମ୍ୟାଚ୍‌ର ଦିନିକିଆ ସିରିଜ୍ ଓ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବା ପାଇଁ ଭାରତୀୟ ଦଳ ନ୍ୟୁଜିଲାଣ୍ଡରେ ପହଞ୍ଚିଛି। ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍‌ର ପ୍ରଥମ ମାଚ୍‌ ଶୁକ୍ରବାର ଏଠାରେ ଖେଳାଯିବ। ଗତଥର ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଆସିିଥିବା ବେଳେ ୫ ମ୍ୟାଚ୍‌ର ଦିନିକିଆ ସିରିଜ୍‌କୁ ୪-୧ରେ ଜିତିଥିଲା; ତେବେ ଟ୍ବେଣ୍ଟି୨୦ ସିରିଜ୍‌ରେ ୧-୨ରେ ପରାସ୍ତ ହୋଇଥିଲା। ଉକ୍ତ ସିରିଜ୍‌ ପରାଜୟର ପ୍ରତିଶୋଧ ନେବା ପାଇଁ ଭାରତ ଏଠାରେ ପହଞ୍ଚିଛି। ପୁଣି ଗତ ଜୁଲାଇରେ ଇଂଲଣ୍ଡରେ ଖେଳା ଯାଇଥିବା ବିଶ୍ବକପ୍‌ର ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାଜୟ କଥା ଭାରତ ମନରୁ ଆଦୌ ଲିଭିନଥିଲା। ଏହାର ପ୍ରତିଶୋଧ କଥା ମଧ୍ୟ ବିରାଟ ବାହିନୀ ଭୁଲିନଥିବ। ତେଣୁ ଉଭୟ ସୀମିତ ଓଭର ସିରିଜ୍ ଜିତି ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତୀୟ ଦଳ ରହିଛି।

ଉଭୟ ଦଳ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍‌ ଖେଳିବାର ଫାଇଦା ଏଇଆ ଯେ ଗୋଟିଏ/ଦୁଇଟି ମ୍ୟାଚ୍‌ରେ ହାରିଲେ ମଧ୍ୟ ସେମାନେ ପ୍ରତ୍ୟାବର୍ତ୍ତନ କରିପାରିବେ। ପୁଣି ନ୍ୟୁଜିଲାଣ୍ଡର ପିଚ୍ ଓ ବାତାବରଣ ସହ ଖାପ୍ ଖୁଆଇବା ପାଇଁ ଭାରତୀୟ ଖେଳାଳିଙ୍କୁ ମଧ୍ୟ ସମୟ ମିଳିବ। ତେବେ ଏହା ସତ ଯେ ଚଳିତବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ବକପ୍ ଲାଗି ପ୍ରସ୍ତୁତି ଭାରତୀୟ ଦଳର ମୁଖ୍ୟ ଲକ୍ଷ୍ୟ। ତେଣୁ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍‌ର ଯୋଜନା କରାଯାଇଛି। ପୁଣି ଭାରତ ପାଇଁ ଏହା ଏକ ଶୁଭସୂଚନା ଯେ ନ୍ୟୁଜିଲାଣ୍ଡ ଟ୍ବେଣ୍ଟି୨୦ରେ ଏକ ଶକ୍ତିଶାଳୀ ଦଳ ହେଲେ ସୁଦ୍ଧା ଏହା ପୂର୍ଣ୍ଣ ଶକ୍ତିରେ ନାହିଁ। ଅର୍ଥାତ୍; ବୋଲିଂ ବିଭାଗରେ ଏହା ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡ଼ିଛି। ଅନ୍ୟପକ୍ଷରେ ଭାରତ ପୂରା ଶକ୍ତି ସହ ନ୍ୟୁଜିଲାଣ୍ଡ ଆସିଛି। ନ୍ୟୁଜିଲାଣ୍ଡର ୩ ପ୍ରମୁଖ ପେସ୍ ବୋଲର ମ୍ୟାଟ୍‌ ହେନ୍‌ରି, ଟ୍ରେଣ୍ଟ ବୋଲ୍‌ଟ ଓ ଲୋକି ଫର୍ଗୁସନ ଆହତ ହୋଇ ଟ୍ବେଣ୍ଟି୨୦ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି। ଏକମାତ୍ର ଅଭିଜ୍ଞ ପେସ୍ ବୋଲର ଭାବେ ରହିଛନ୍ତି ଟିମ୍ ସାଉଦି। ଏବେ ଦେଖିବାକୁ ବାକିରହିଲା ଯେ ଇଡେନ୍ ପାର୍କ ​ଷ୍ଟାଡିୟମ୍‌ର ଛୋଟ ବାଉଣ୍ଡରୀ ସତ୍ତ୍ବେ ଘରୋଇ ନ୍ୟୁଜିଲାଣ୍ଡ ୨ ସ୍ପିନର ମିଚେଲ ସାଣ୍ଟନର ଓ ଇସ୍ ସୋଢ଼ିଙ୍କୁ ଖେଳାଉଛି ନା ୪ ଜଣ ପେସ୍ ବୋଲରଙ୍କୁ ଖେଳାଉଛି।

ମ୍ୟାଚ୍ ଜିତିବା ପାଇଁ ନ୍ୟୁଜିଲାଣ୍ଡ ତା’ର ବ୍ୟାଟ୍‌ସମ୍ୟାନ୍‌ଙ୍କ ଉପରେ ନିର୍ଭର କରିବ। ବିଶେଷକରି ଓପ୍‌ନର ଭାବେ ଦୁଇ ଅଭିଜ୍ଞ କଲିନ୍ ମନ୍‌ରୋ ଓ ମାର୍ଟିନ୍ ଗପ୍‌ଟିଲଙ୍କଠାରୁ ଦଳ ବଡ଼ ସ୍କୋର୍‌ର ଆଶାରଖିବ। ପୁଣି ଗତ ଗସ୍ତରେ ୱିକେଟ ରକ୍ଷକ ଟିମ୍ ସୈଫର୍ଟ ବଡ଼ ସ୍କୋର୍ କରିଥିଲେ। ଅଧିନାୟକ କେନ୍ ୱିଲିୟମ୍‌ସନ୍ ଓ ଅଭିଜ୍ଞ ରସ୍ ଟେଲର ମଧ୍ୟକ୍ରମ ସମ୍ଭାଳିବେ। ଅଲ୍‌ରାଉଣ୍ଡର କଲିନ୍ ଡି ଗ୍ରାଣ୍ଡହୋମ୍ ଉପଯୋଗୀ ରନ୍‌ ସ୍କୋର୍‌କରିବା ସହ କିଛି ଓଭର ବୋଲିଂ ମଧ୍ୟ କରିବେ। ୩୨ ବର୍ଷ ବୟସ୍କ ଫାଷ୍ଟବୋଲର ହାମିସ୍ ବେନେଟ୍‌ ୨ ବର୍ଷ ପରେ ଦଳକୁ ଫେରିଥିବା ବେଳେ ସେ ନିଶ୍ଚୟ ପ୍ରଭାବଶାଳୀ ବୋଲିଂ କରିବାକୁ ଚାହିଁବେ। ତାଙ୍କ ସହ ସ୍କଟ୍‌ କୁଗ୍‌ଲେଇନ୍ ଓ ଡ୍ୟାରିଲ୍ ମିଚେଲ୍ ଖେଳିବାର ସୁଯୋଗ ପାଇପାରନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି ସୂଚନା ​‌େ​‌ଦଇ ସାରିଲେଣି ଯେ କେ.ଏଲ୍‌. ରାହୁଲ ଟ୍ବେଣ୍ଟି୨୦ରେ ମଧ୍ୟ ୱିକେଟ ରକ୍ଷଣ କରିବେ। ଶିଖର ଧାୱନଙ୍କ ଅନୁପସ୍ଥିତିରେ ରାହୁଲଙ୍କୁ ଇନିଂସ ଓପନ୍ ମଧ୍ୟ କରିବାକୁ ପଡ଼ିବ। ଫଳରେ ଋଷଭ ପନ୍ତ୍‌ଙ୍କୁ ବ୍ୟାଟ୍‌ସମ୍ୟାନ ଭାବେ ଖେଳିବାକୁ ମିଳିପାରେ କିମ୍ବା ବାହାରେ ବସିବାକୁ ପଡ଼ିପାରେ। ମନୀଷ ପାଣ୍ଡେ ୫ମ ବ୍ୟାଟ୍‌ସମ୍ୟାନ୍ ଭାବେ ଖେଳିବା ନିଶ୍ଚିତ। ଦୁଇ ଜଣ ସ୍ପିନର ଭାବେ ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବ ଖେଳିବା ନିଶ୍ଚିତ ହୋଇଥିବା ବେଳେ ୩ୟ ସ୍ପିନର ଭାବେ ୱାଶିଂଟନ ସୁନ୍ଦର ଖେଳିପାରନ୍ତି। ପେସ୍ ବୋଲର ଭାବେ ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମି ଖେଳିବେ। ୩ୟ ପେସ୍ ବୋଲର ସ୍ଥାନ ପାଇଁ ନବଦୀପ ସୈନି ଓ ସାର୍ଦ୍ଦୁଳ ଠାକୁରଙ୍କ ମଧ୍ୟରେ ମୁକାବିଲା ହେବ। ଟସ୍ ଜିଣି ଉଭୟ ଦଳ ରନ୍‌ର ପିଛା କରିବାକୁ ଚାହିଁବେ।

ଆଜି (ଶୁକ୍ରବାର)ର ମ୍ୟାଚ୍
ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି୨୦
ଭାରତୀୟ ସମୟ ଅପରାହ୍‌ଣ ୧୨.୨୦ରୁ; ଚ୍ୟାନେଲ- ଷ୍ଟାର୍ ସ୍ପୋର୍ଟସ ୧ ଓ ୩

Comments are closed.