ଚମକିଲେ କୁସ୍ତି ଯୋଦ୍ଧା : ବଜରଙ୍ଗ, ସାକ୍ଷୀ ଓ ଦୀପକଙ୍କୁ ସ୍ବର୍ଣ୍ଣ

ବର୍ମିଂହାମ୍‌ : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମକିଛନ୍ତି ଭାରତୀୟ ମଲ୍ଲଯୋଦ୍ଧା। ଶୁକ୍ରବାର ମଲ୍ଲଯୁଦ୍ଧରେ ଭାରତୀୟ ପ୍ରତିଯୋଗୀମାନେ ୩ଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ସହ ୬ଟି ପଦକ ଜିତିଛନ୍ତି। ପୁରୁଷ ମଲ୍ଲଯୋଦ୍ଧା ଅଲିମ୍ପିକ୍‌ସ ପଦକ ବିଜେତା ବଜରଙ୍ଗ ପୁନିଆ, ଦୀପକ ପୁନିଆ ଓ ମହିଳା ମଲ୍ଲଯୋଦ୍ଧା ସାକ୍ଷୀ ମଲିକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥିସହିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୯ରେ ପହଞ୍ଚିଛି। ପୁରୁଷ ଫ୍ରି ଷ୍ଟାଇଲ ୬୫ କିଗ୍ରା ବର୍ଗରେ ବଜରଙ୍ଗ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବଜରଙ୍ଗ କ୍ରମାଗତ ଦ୍ବିତୀୟ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ବଜରଙ୍ଗ ଫାଇନାଲରେ କାନାଡାର ଲାଚଲାନ ମ୍ୟାକଲିନ୍‌ଙ୍କୁ ୯-୨ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ବଜରଙ୍ଗ ପ୍ରାରମ୍ଭରୁ ଚମତ୍କାର ଫାଇଟ୍‌ କରି ୪ ପଏଣ୍ଟ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ମ୍ୟାକଲିନ୍‌ ପ୍ରତ୍ୟାବର୍ତ୍ତନ କରିବା ସହିତ ୨ ପଏଣ୍ଟ ହାସଲ କରି ମ୍ୟାଚକୁ ୪-୨ସ୍ତରକୁ ଆଣିଥିଲେ। ଶେଷ ଦୁଇ ମିନିଟ୍‌ରେ ବଜରଙ୍ଗ ୫ ପଏଣ୍ଟ ପାଇ ମ୍ୟାଚକୁ ଜିତିବାରେ ସଫଳ ହୋଇଥିଲେ। ବଜରଙ୍ଗ ସେମିଫାଇନାଲରେ ଇଂଲଣ୍ଡର ଜର୍ଜ ରାମ୍‌ଙ୍କୁ ୧୦-୦ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ। ଟୋକିଓ ଅଲିମ୍ପିକ୍‌ସ କାଂସ୍ୟ ପଦକ ବିଜେତା ହରିୟାଣାର ବଜରଙ୍ଗ ୨୦୧୪ ଗ୍ଲାସ​‌େ​‌ଗାରେ ରୌପ୍ୟ ଓ ୨୦୧୮ ଗୋଲଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ରିଓ ଅଲିମ୍ପିକ୍‌ସ କାଂସ୍ୟ ପଦକ ବିଜୟିନୀ ସାକ୍ଷୀ ମଲିକ ୬୨ କିଗ୍ରା ଫ୍ରିଷ୍ଟାଇଲ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଫାଇନାଲରେ ସାକ୍ଷୀ କାନାଡାର ଆନା ଗୋଡ୍ଡିନେଜଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାକ୍ଷୀଙ୍କ ଏହା ପ୍ରଥମ ସ୍ବର୍ଣ୍ଣ ପଦକ। ଆନା ପ୍ରଥମ ୩ ମିନିଟ୍‌ରୁ ୪ ପଏଣ୍ଟ ପାଇ ଆଗରେ ରହିଥିଲେ। ୪ର୍ଥ ମିନିଟ୍‌ରେ ସାକ୍ଷୀ ଚମତ୍କାର କୁସ୍ତି କରି ଆନାଙ୍କୁ ସମ୍ପୂର୍ଣ୍ଣ ଭାବେ ପ୍ରତିହତ କରି ପୂର୍ଣ୍ଣ ପଏଣ୍ଟ ସହ ବିଜେତା ହୋଇଥିଲେ। ପୂର୍ବରୁ କ୍ବାର୍ଟର ଫାଇନାଲରେ ସାକ୍ଷୀ ମଲିକ ଇଂଲଣ୍ଡର କାଲସେ ବାର୍ନିସଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ସେମିଫାଇନାଲରେ ସାକ୍ଷୀ କାମେରୁନର ଇଷ୍ଟାନ ନୋଗେଲିଙ୍କୁ ୧୦-୦ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ।ହରିୟାଣାର ରୋହତକରେ ଜନ୍ମିତ ସାକ୍ଷୀ ୨୦୧୬ ରିଓ ଅଲିମ୍ପିକ୍‌ସରେ ୫୮ କିଗ୍ରା ବର୍ଗରେ କାଂସ୍ୟ ପଦକ ହାସଲ କରିଥିଲେ। ଏହାଛଡ଼ା ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଟ କ୍ରୀଡ଼ାରେ ରୌପ୍ୟ ଓ ୨୦୧୮ ଗୋଲଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ ବିଜୟୀ ହୋଇଥିଲେ। ସାକ୍ଷୀ ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପୁରୁଷ ୮୬ କିଗ୍ରା ଫ୍ରି ଷ୍ଟାଇଲ ବର୍ଗରେ ଦୀପକ ପୁନିଆ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଦୀପକ ଫାଇନାଲରେ ପାକିସ୍ତାନର ମହମ୍ମଦ ଇମାନଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କ୍ବାର୍ଟର ଫାଇନାଲରେ ଦୀପକ ସିରିରାଲିନୋର ସେକୁଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଥିଲେ। ସେମିଫାଇନାଲରେ କାନାଡାର ଆଲେକଜାଣ୍ଡାର ମୋରେଙ୍କୁ ୩-୧ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ। ହରିୟାଣାର ଦୀପକ ୨୦୧୯ ବିଶ୍ବ କୁସ୍ତି ଚମ୍ପିଆନସିପ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ।

Comments are closed.