ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ରୁ ଧାୱନ୍; ଟେଷ୍ଟ ସିରିଜ୍‌ରୁ ଈଶାନ୍ତ ବାଦ୍‌

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛି। ଭ୍ରମଣକାରୀ ଭାରତ ଓ ଘରୋଇ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦, ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବ। ତେବେ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍‌ ନିମନ୍ତେ ଭାରତୀୟ ଦଳରୁ ବାଦ୍ ପଡ଼ିଛନ୍ତି ଓପନର୍ ଶିଖର ଧାୱନ୍‌। ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଫିଲଡିଂ କରୁଥିବା ବେଳେ ଧାୱନ୍‌ଙ୍କ କାନ୍ଧରେ ଆଘାତ ଲାଗିଥିଲା। ତେଣୁ ତାଙ୍କୁ ଟ୍ବେଣ୍ଟି୨୦ ସିରିଜ୍‌ ନିମନ୍ତେ ଭାରତୀୟ ଦଳରୁ ବାଦ୍‌ ଦିଆଯାଇଥିବା ବିସିସିଆଇର ଜନୈକ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଧାୱନ୍‌ଙ୍କ ବଦଳ ଖେଳାଳିଙ୍କ ନାମ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ସେ କହିଛନ୍ତି। ସୂଚନାଥାଉକି ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ଫିଲଡିଂ କରୁଥିବା ବେଳେ ଧାୱନ୍‌ଙ୍କ କାନ୍ଧରେ ଆଘାତ ଲାଗିଥିଲା। ଫଳରେ ସେ ଦଳ ତରଫରୁ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇନଥିଲେ। ଡାକ୍ତରୀ ପରୀକ୍ଷା ପରେ ତାଙ୍କ କାନ୍ଧରେ ଲାଗିଥିବା ଆଘାତ ଗୁରୁତର ହୋଇଥିବାରୁ ଡାକ୍ତର ବିଶ୍ରାମ ପାଇଁ ପରାମର୍ଶ ଦେଇଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରୁ ଧାୱନ୍‌ ବାଦ୍‌ ପଡ଼ିଥିବାରୁ ରୋହିତଙ୍କ ସହ କେଏଲ୍‌ ରାହୁଲ ଭାରତୀୟ ଦଳ ତରଫରୁ ବ୍ୟାଟିଂ ଓପନ୍‌ କରିବେ।

ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରୁ ପ୍ରମୁଖ ଦ୍ରୁତ ବୋଲର ଈଶାନ୍ତ ଶର୍ମା ବାଦ୍‌ ପଡ଼ିଥିବା ଦିଲ୍ଲୀ କ୍ରିକେଟ୍‌ ଆସୋସିଏସନ୍‌ର ଜନୈୖକ ଅଧିକାରୀ ଗଣମାଧ୍ୟମକୁ ଜଣାଇଛନ୍ତି। ବିଦର୍ଭ ବିପକ୍ଷରେ ଘରୋଇ ରଣଜୀ ଟ୍ରଫି କ୍ରିକେଟ୍‌ର ଏକ ମ୍ୟାଚ୍‌ରେ ଦିଲ୍ଲୀ ତରଫରୁ ଖେଳୁଥିବା ବେଳେ ସୋମବାର ଈଶାନ୍ତ ଆଘାତପ୍ରାପ୍ତ ହୋଇଥିଲେ। ବୋଲିଂ କରୁଥିବା ବେଳେ ତାଙ୍କ ଗୋଇଠିରେ ଆଘାତ ଲାଗିଥିଲା। ତାଙ୍କ ଗୋଇଠିର ଡାକ୍ତରୀ ପରୀକ୍ଷା ପରେ ଆଘାତ ଗୁରୁତର ଥିବା ଜଣାପଡ଼ିଥିଲା। ଫଳରେ ସେ ଅତିକମ୍‌ରେ ୬ ସପ୍ତାହ ପାଇଁ କ୍ରିକେଟ୍‌ ଖେଳିପାରିବେ ନାହିଁ। ଆସନ୍ତା ମାସ ୨୧ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେ​‌ଷ୍ଟ ମ୍ୟାଚ୍ ଖେଳାଯିବାକୁ ଥିବାରୁ ସେତେବେଳକୁ ଈଶାନ୍ତ ସଂପୂର୍ଣ୍ଣ ଫିଟ୍‌ ହେବା ଆଶା ନାହିଁ। ତେଣୁ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ନିମନ୍ତେ ଭାରତୀୟ ଦଳରୁ ବାଦ୍ ପଡ଼ିବା ନିଶ୍ଚିତ ବୋଲି ଦିଲ୍ଲୀ କ୍ରିକେଟ୍‌ ଆସୋସିଏସନ୍‌ର ଅଧିକାରୀ କହିଛନ୍ତି। ଈଶାନ୍ତଙ୍କ ସ୍ଥାନରେ ଦ୍ରୁତ ବୋଲର ନବଦୀପ ସୈନିଙ୍କୁ ଭାରତୀୟ ଟେଷ୍ଟ ଦଳରେ ସୁଯୋଗ ମିଳିପାରେ ବୋଲି ଆଲୋଚନା ହେଉଛି। ଭାରତୀୟ ଟେଷ୍ଟ ଦଳରେ ଅନ୍ୟତମ ଦ୍ରୁତ ବୋଲର ଭାବେ ଯଶପ୍ରୀତ୍‌ ବୁମରା, ମହମ୍ମଦ ସାମି ଓ ଉମେଶ ଯାଦବ ପ୍ରମୁଖ ରହିଛନ୍ତି।

Comments are closed.