ଓଡିଶାରେ ଖୋଲିବ ଦେଶର ପ୍ରଥମ ଚେସ ଏକାଡେମୀ

ସର୍ବଭାରତୀୟ ଚେସ ମହାସଂଘର ନବନିର୍ବାଚିତ ଅଧ୍ୟକ୍ଷ ଡଃ ସଞ୍ଜୟ କାପୁର କହିଛନ୍ତି, ଓଡ଼ିଶାରେ ଦେଶର ପ୍ରଥମ ଚେସ ଏକାଡେମୀ ଖୋଲିବା ଯୋଜନା ଉପରେ ନିଷ୍ପତ୍ତି ନିଆଯାଇଛି। ଏହା ରାଜଧାନୀ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ। ଏ ନେଇ ସହଯୋଗ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା ହେବ ବୋଲି ସେ କହିଛନ୍ତି। ଚେସ ଏକାଡେମୀ ପ୍ରତିଷ୍ଠା ସମ୍ପର୍କିତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ ଆରମ୍ଭ ହୋଇଛି। ଡକ୍ଟର କାପୁର କହିଛନ୍ତି ଯେ କିଟ ଏବଂ କିସ ଶିକ୍ଷାନୁଷ୍ଠାନ ଦେଶର ପ୍ରଥମ ଅନୁଷ୍ଠାନ ଭାବେ ଚଳିତ ଶିକ୍ଷାବର୍ଷରୁ ପାଠ୍ୟକ୍ରମରେ ଚେସକୁ ଅନ୍ତର୍ଭୁକ୍ତ କରିବ।

ଡକ୍ଟର କାପୁର ଲୋକସଭା ସଦସ୍ୟ ତଥା କିଟ୍ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହ ଭୁବନେଶ୍ୱରର ସାଣ୍ଡି ଟାୱାରରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ମହାସଙ୍ଘର ଅନ୍ୟ ଅଧିକାରୀମାନେ ମଧ୍ୟ ତାଙ୍କ ସହିତ ଥିଲେ। ସୂଚନାଯୋଗ୍ୟ ଯେ ଚେସ୍’ର ବିକାଶ ପାଇଁ ଡକ୍ଟର ସାମନ୍ତଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ତାଙ୍କ ବିଶ୍ୱବିଦ୍ୟାଳୟରୁ ଜଣେ ଗ୍ରାଣ୍ଡ ମାଷ୍ଟର ଅଛନ୍ତି ଓ ସେ ଆନ୍ତର୍ଜାତୀୟ ଟାଇଟଲ୍ ହାସଲ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଡକ୍ଟର କାପୁର କହିଛନ୍ତି ଯେ କିଟ୍ସ ଏବଂ କିସ୍ ଶିକ୍ଷାନୁଷ୍ଠାନରେ ପାଞ୍ଚରୁ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ହଜାର ହଜାର ଛାତ୍ର ଅଧ୍ୟୟନ କରନ୍ତି। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ପ୍ରାୟ ୧୬ ଶହ ଚେସ ଖେଳାଳି ରାଜ୍ୟ, ଦେଶ ତଥା ବିଶ୍ୱରେ ସଫଳତା ଅର୍ଜନ କରିଛନ୍ତି। କେବଳ ଏତିକି ନୁହେଁ, ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଡକ୍ଟର ଅଚ୍ୟୁତ ସାମନ୍ତ ତାଙ୍କୁ କହିଛନ୍ତି ଯେ ଏହି ଶିକ୍ଷାନୁଷ୍ଠାନ ଚଳିତ ଶିକ୍ଷାବର୍ଷରୁ ଚେସକୁ ପାଠ୍ୟକ୍ରମରେ ସାମିଲ କରିବ।

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଭାରତ ସରକାର ନୂତନ ଶିକ୍ଷା ନୀତିରେ ସ୍କୁଲରେ ଚେସ ଅନ୍ତର୍ଭୁକ୍ତ କରିଥିବାରୁ ସେ ଧନ୍ୟବାଦ ଦେଉଛନ୍ତି। ଏଥିପାଇଁ ଚେସ ମହାସଂଘ ତାଲିମ, ଶିକ୍ଷାଦାନ ଏବଂ ଶିକ୍ଷଣ କର୍ମଶାଳାକୁ ଉତ୍ସାହିତ କରିବ ଏବଂ ପ୍ରଶିକ୍ଷକ କିମ୍ବା ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ ସହାୟତା ଚାହୁଁଥିଲେ ମହାସଂଘ ଶିକ୍ଷାନୁଷ୍ଠାନଗୁଡ଼ିକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବ। ବୌଦ୍ଧିକ ବିକାଶ ସମ୍ପନ୍ନ ଏହି ଖେଳର ଫଳାଫଳ ସେତେବେଳେ ଜଣାପଡିବା ଯେତେବେଳେ ଛାତ୍ରଛାତ୍ରୀମାନେ ବିଶ୍ୱରେ ଭାରତର ପ୍ରତିନିଧିତ୍ବ କରିବେ।

ସାମ୍ବାଦିକ ସମ୍ମିଳନୀରେ ସାଂସଦ ତଥା କିଟ ଏବଂ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଚେସ ମହାସଂଘ ସଚିବ ଭାରତ ସିଂ ଚୌହାନ, ଉପାଧ୍ୟକ୍ଷ ଭାବେଶ ପଟେଲ, କୋଷାଧ୍ୟକ୍ଷ ନରେଶ ଶର୍ମା, ଓଡ଼ିଶା ଚେସ ଆସୋସିଏସନ ସଭାପତି ରଂଜନ ମହାନ୍ତି ଓ ସଚିବ ଦେବବ୍ରତ ଭଟ୍ଟ ମଧ୍ୟ ଉପସ୍ଥିତ ଥିଲେ। ଏହାପୂର୍ବରୁ ବିମାନବନ୍ଦରରେ ଡକ୍ଟର ସଞ୍ଜୟ କାପୁର ଏବଂ ମହାସଂଘ କର୍ମକର୍ତ୍ତାମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

Comments are closed.