ଓଡ଼ିଶାର ସ୍ଥାପନ ହେବ ଦେଶର ସର୍ବବୃହତ ଇଞ୍ଜିନିୟରିଂ କ୍ଲଷ୍ଟର

କଟକ: କଟକ ଜିଲା ଚୌଦ୍ୱାର ନିକଟ ଇନ୍ଦ୍ରାଣିପାଟଣା ଶିଳ୍ପାଞ୍ଚଳରେ ଖୁବଶୀଘ୍ର ଭାରତର ସର୍ବବୃହତ ଇଞ୍ଜିନିୟରିଂ କ୍ଲଷ୍ଟର ସ୍ଥାପନ କରାଯିବ । ଭାରତ ସରକାରଙ୍କ ଏମଏସଏମଇ ବିଭାଗର ଏମଏସଇ-ସିଡିପି ଯୋଜନାରେ ଏହି କ୍ଲଷ୍ଟର ସ୍ଥାପିତ ହେବ । ଏଥିପାଇଁ ପ୍ରସ୍ତୁତ ଡିପିଆରକୁ ରାଜ୍ୟ ଓ କେନ୍ଦ୍ର ସରକାର ଅନୁମୋଦନ କରିସାରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ମଙ୍ଗଳବାର ଦିନ ଭୁବନେଶ୍ୱରସ୍ଥିତ ରପ୍ତାନି ଭବନଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉକ୍ତ କ୍ଲଷ୍ଟରର ସାମ୍ପ୍ରତିକ ସ୍ଥିତି ଏବଂ ସୁରୁଖୁରୁରେ କାର୍ଯ୍ୟକାରିତା ନିମନ୍ତେ ଭବିଷ୍ୟତ କୌଶଳ ଚୂଡାନ୍ତ କରିବା ସମ୍ପର୍କରେ ଏଥିରେ ଆଲୋଚନା କରାଯାଇଥିଲା । ବୈଠକ ପରେ ଶ୍ରୀ ସାହୁ ସୂଚନା ଦେଇ କହିଥିଲେ ଯେ ଇଡକୋ ଇତିମଧ୍ୟରେ ଏହି କ୍ଲଷ୍ଟରର କମନ ଫାସିଲିଟି ସେଣ୍ଟର ପାଇଁ ୬ ଏକର ଜମି ଯୋଗାଇ ଦେଇଛି । ପ୍ରସ୍ତାବିତ କ୍ଲଷ୍ଟର ନିମନ୍ତେ ୩୧.୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସେଥିମଧ୍ୟରୁ କେନ୍ଦ୍ର୍‍ ସରକାର ୧୮ କୋଟି ଟଙ୍କା ଏବଂ ରାଜ୍ୟ ସରକାର ୭.୧୮ କୋଟି ଟଙ୍କା ଏମଏସଇ-ସିଡିପି ଯୋଜନା ଅଧୀନରେ ଅନୁଦାନମୂଳକ ସହାୟତା ଆକାରରେ ଯୋଗାଇଦେବେ । ଏଥିପାଇଁ ଏସପିଭି ସଦସ୍ୟମାନେ ୫.୩୧ କୋଟି ଟଙ୍କା ଯୋଗାଇବେ ।
ଶ୍ରୀ ସାହୁ କହିଥିଲେ ଯେ ଓଡ଼ିଶା ଅସେମ୍ବ୍ଲି ଅଫ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ (ଓସମେ) ଏହି କ୍ଲଷ୍ଟରକୁ ସମର୍ଥନ ଯୋଗାଇ ଦେଉଛି । ଏଥିରେ ୮୮ଟି ସଦସ୍ୟ ୟୁନିଟ ରହିଛି, ଯେଉଁଥିରୁ ୧୭ଟି ମହିଳା ଉଦ୍ୟୋଗୀ, ୧୨ଟି ଅନୁସୂଚିତ ଜାତି / ଜନଜାତି ଉଦ୍ୟୋଗୀଙ୍କ ପାଇଁ ରଖାଯାଇଛି । ଏହି ଏସପିଭିରେ ରାୟଗଡା ଓ ଗଜପତି ଭଳି ଶିଳ୍ପ କ୍ଷେତ୍ରରେ ପଛୁଆ ଜିଲା ସମେତ ୮ଟି ଜିଲାରୁ ୬୧ ସଦସ୍ୟ ୟୁନିଟକୁ ସ୍ଥାନ ଦିଆଯାଇଛି । ଇଞ୍ଜିନିୟରିଂ କ୍ଲଷ୍ଟରର କମନ ଫାସିଲିଟି ସେଣ୍ଟରରେ ସର୍ବାଧୁନିକ ଯନ୍ତ୍ରପାତି ଏବଂ ଉପକରଣ ରହିବ ଏବଂ ସେଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରା ଯିବ । ଏହା ଉଦ୍ୟୋଗୀ ଓ ଷ୍ଟାର୍ଟଅପଗୁଡିକୁ ପ୍ରତିରକ୍ଷା, ଏରୋସ୍ପେଶ, ତୈଳ ଓ ପ୍ରାକୃତିକ ଗ୍ୟାସ ଆଦି କ୍ଷେତ୍ରରେ ସମର୍ଥନ ଯୋଗାଇଦେବ । ତାହାସହିତ ଏହା ରାଜ୍ୟର ଏମଏସଏମଇଗୁଡିକର ଆବଶ୍ୟକତା ପୂରଣ କରିବ । ରାଜ୍ୟ ସରକାର ଉଦ୍ୟୋଗୀ ଓ ଏମଏସଏମଇଗୁଡିକୁ ପ୍ରୋତ୍ସାହିତ କରିବାକୁ ବିବିଧ ପଦକ୍ଷେପ ଗ୍ରହଣ କରୁଥିବା ସେ ସୂଚନା ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଏମଏସଏମଇ-ଡିଆଇର ଯୁଗ୍ମ ନିର୍ଦ୍ଦେଶକ ଏବଂ ଏଚଓଓ ପି କେ ଗୁପ୍‍ତା, ଭାରତ ସରକାରଙ୍କ ଏମଏସଏମଇ-ଡିଆଇର ଦାମୋଦର ବେହେରା, ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗର ଅତିରିକ୍ତ ସଚିବ ୟୁ ଏନ ଦାସ, ଓଡ଼ିଶାର ଶିଳ୍ପ ନିର୍ଦ୍ଦେଶକ ଏସ ଆଲାମ, ରପ୍ତାନି ପ୍ରୋତ୍ସାହନ ଓ ବିପଣନ ପରିଷଦର ଏସ କେ ଜେନା, ସିଟିଟିସି ଭୁବନେଶ୍ୱରର ବିଭାଗୀୟ ମୁଖ୍ୟ ଡଃ.ଏସ କେ କର ପ୍ରମୁଖ ଉପସ୍ଥିତ ରହି ସେମାନଙ୍କର ମୂଲ୍ୟବାନ ମତାମତ ଦେଇଥିଲେ । ଏସପିଭି ସଦସ୍ୟମାନଙ୍କ ପକ୍ଷରୁ ଅଧ୍ୟକ୍ଷ ଜୟପ୍ରକାଶ ବିଶ୍ୱାଳ, ପରିଚାଳନା ନିର୍ଦ୍ଦେଶକ ସାତ୍ୱିକ ସ୍ୱାଇଁ, ନିର୍ଦ୍ଦେଶକ ସୁରେନ୍ଦ୍ର ମହାପାତ୍ର, ଉପେନ କୁମାର ପଟେଲ, କେ ନାରିନ କୁମାନ୍ଦନ, କୃଷ୍ଣଚନ୍ଦ୍ର ସାସମଲଙ୍କ ସହିତ ଅନ୍ୟ ୪୦ ଜଣ ସଦସ୍ୟ ଉପସ୍ଥିତ ଥିଲେ । ଶ୍ରୀ ବିଶ୍ୱାଳ ଓ ଶ୍ରୀ ସ୍ୱାଇଁ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ଉପସ୍ଥିତି ସମସ୍ତଙ୍କୁ ଅବଗତ କରାଇଥିଲେ ।

Comments are closed.