କୋଭିଡ଼-୧୯ ଦ୍ୱାରା ପୁନଃ ସଂକ୍ରମିତ ହେଲେ ଦେଶର ପ୍ରଥମ କରୋନା ରୋଗୀ

ତ୍ରିଶୁର: ଦେଶର ପ୍ରଥମ କରୋନା ରୋଗୀ ଭାବେ ଚିହ୍ନଟ ହୋଇଥିବା ମହିଳା ପୁନର୍ବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେରଳର ତ୍ରିଶୁର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି।

ସେ କୋଭିଡ଼-୧୯ ଦ୍ୱାରା ପୁନଃ ସଂକ୍ରମିତ। ତାଙ୍କର ଆରଟି-ପିସିଆର ରିପୋର୍ଟ ପଜିଟିଭ ଆସିଛି, କିନ୍ତୁ ଆଣ୍ଟିଜେନ ରିପୋର୍ଟ ନେଗେଟିଭ ଆସିଥିଲା। ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ। ତ୍ରିଶୁର ଜିଲା ଚିକିତ୍ସା ଅଧିକାରୀ ଡା. କେଜେ ରୀନା ଗଣମାଧ୍ୟମକୁ ଏ ସମ୍ପର୍କିତ ସୂଚନା ପ୍ରଦାନ କରିଛନ୍ତି। ଅଧ୍ୟୟନ ପାଇଁ ସେ ନୂଆଦିଲ୍ଲୀ ଯିବାକୁ ପ୍ରସ୍ତୁତ ଥିବାରୁ ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା। ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା ବୋଲି ସେ କହିଛନ୍ତି। ମହିଳା ଜଣକ ବର୍ତ୍ତମାନ ଘରେ ଅଛନ୍ତି ଏବଂ ସୁସ୍ଥ ଅଛନ୍ତି ବୋଲି ଡାକ୍ତର କହିଛନ୍ତି।

ସୂଚନାଯୋଗ୍ୟ, ଜାନୁୟାରୀ ୩୦, ୨୦୨୦ରେ ଉହାନ ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ଥିବା ଏହି ମହିଳା ଦେଶରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମିଷ୍ଟାର ଛୁଟି ପରେ ସେ ଘରକୁ ଫେରିବାର କିଛି ଦିନ ପରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

 

Comments are closed.