୩ ଜାହାଜରେ ଉପସାଗରୀୟ ଅଞ୍ଚଳରୁ ଫେରିବେ ଭାରତୀୟ

ଉପସାଗରୀୟ ଦେଶରେ ରହୁଛନ୍ତି ୮୦ ଲକ୍ଷରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ  : ଉପସାଗରୀୟ ଅଞ୍ଚଳରେ ଥିବା ଭାରତୀୟ ମାନଙ୍କୁ ଫେରାଇ ଆଣିବାକୁ ଭାରତ ସରକାର ୩ଟି ଜାହାଜ ପଠାଇବାକୁ ବିଚାର କରୁଛନ୍ତି । ଭାରତୀୟ ନୌସେନାର ଏହି ୩ଟି ଜାହାଜ ମଧ୍ୟରେ ରହିଛି ଆଇଏନଏସ ଜଳାଶ୍ୱ ଓ ଅନ୍ୟ ୨ଟି ଛୋଟ ଜାହାଜ। ଆଇଏନଏସ ଜଳାଶ୍ୱ ଏକ ବୃହତ ଏଲପିଡି ବା ଲାଣ୍ଡିଂ ପ୍ଲାଟଫର୍ମ ଡକ ଜାହାଜ ଓ ଏଥିରେ ୧ ହଜାରରୁ ଅଧିକ ଲୋକଙ୍କୁ ଅଣାଯାଇପାରିବ। ତେବେ ସୋସିଆଲ ଡିଷ୍ଟାନ୍ସିଂ ବଜାୟ ରଖି ଏଥିରେ ପ୍ରାୟ୮୫୦ ଲୋକଙ୍କୁ ଅଣାଯାଇପାରିବ। ଅନ୍ୟଦୁଇଟି ଜାହାଜରେ କିଛି ଶହ ଲୋକଙ୍କୁ ଅଣାଯାଇପାରିବ। ଏହାଛଡ଼ା ଲୋକମାନଙ୍କୁ ଆଣିବାକୁ ବିମାନ ପଠାଇବାକୁ ମଧ୍ୟ ସରକାର ବିଚାର କରୁଛନ୍ତି। ଏସବୁ ଜାହାଜ ଖୁବଶୀଘ୍ର ଉପସାଗରୀୟ ଦେଶମାନଙ୍କୁ ଯାଇ ସେଠାରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବ । ଉପସାଗରୀୟ ଦେଶରେ ପ୍ରାୟ ୮୦ ଲକ୍ଷରୁ ଅଧିକ ଭାରତୀୟ ରହୁଛନ୍ତି ଓ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ଅଛନ୍ତି । ତେବେ ଇରାନ,ସାଉଦିଆରବ ପ୍ରଭୃତି ଉପସାଗରୀୟ ଦେଶରେ କରୋନା ମହାମାରୀ ବ୍ୟାପିଥିବାରୁ ସେଠାରେ ଥିବା ଭାରତୀୟମାନେ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ତେବେ ସରକାରୀ ଯୋଜନା ଅନୁସାରେ ଯେଉଁମାନେ ଆସିବାକୁ ଚାହିଁବେ କେବଳ ସେମାନଙ୍କୁ ହିଁ ଅଣାଯିବ ।

Comments are closed.