ନ୍ୟୁଜିଲାଣ୍ଡ ଗସ୍ତ ଲାଗି ଭାରତୀୟ ମହିଳା ଦଳ : ଓଡ଼ିଶାରୁ ଲିଲିମା, ଦୀପ୍‌ ଗ୍ରେସ୍‌ ଓ ନମିତା

ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍‌ସ ପୂର୍ବରୁ ଭାରତୀୟ ମହିଳା ହକି ଦଳ ପ୍ରସ୍ତୁତି ନେଇ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ଚଳିତ ଜାନୁଆରୀ ୨୫ରୁ ଫେବୃଆରୀ ୫ ମଧ୍ୟରେ ୫ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡରେ ଖେଳିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ୨୦ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଅଭିଜ୍ଞ ଫରୱାର୍ଡ ରାଣୀ ରାମପାଲ ଅଧିନାୟିକା ଓ ଗୋଲ୍‌ରକ୍ଷକ ସବିତା ଉପଅଧିନାୟିକା ଦାୟିତ୍ବ ତୁଲାଇବେ। ଦଳରେ ଓଡ଼ିଶାର ୩ ମହିଳା ଖେଳାଳି ଅଭିଜ୍ଞ ଡିଫେଣ୍ଡର ଦୀପ୍‌ ଗ୍ରେସ୍‌ ଏକ୍କା, ଲିଲିମା ମିଞ୍ଜ ଓ ମିଡ୍‌ଫିଲଡର ନମିତା ଟପ୍ପୋ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ଭାରତୀୟ ଦଳ ୨୫ରେ ନ୍ୟୁଜିଲାଣ୍ଡ ଡେଭଲପମେଣ୍ଟ ଏକାଦଶ ସହିତ ପ୍ରଥମ ମ୍ୟାଚ ଖେଳିବା ପରେ ୨୭ ଓ ୨୯ରେ ନ୍ୟୁଜିଲାଣ୍ଡ ମହିଳା ଦଳ ସହିତ ମ୍ୟାଚ ଖେଳିବ। ସେହିପରି ଫେବୃଆରୀ ୪ରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଖେଳିବା ପରେ ୫ରେ ଅନ୍ତିମ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ମୁଖ୍ୟ ପ୍ରଶିକ୍ଷକ ସୋଏର୍ଡ ମାରିଏନେ କୁହନ୍ତି, ଏହି ଗସ୍ତ ଆମ ପାଇଁ ​ ବେଶ୍‌ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଏହା ପ୍ରତିଦ୍ବନ୍ଦ୍ବିତାମୂଳକ ​‌ ହେବ। ଆମେ ଏଫ୍‌ଆଇଏଚ୍‌ ମାନ୍ୟତାର ୫ ନମ୍ବର ଦଳ ନ୍ୟୁଜିଲାଣ୍ଡ ଓ ୪ ନମ୍ବର ଦଳ ଇଂଲଣ୍ଡ ସହିତ ଖେଳିବୁ। ଏଥିପାଇଁ ୨୦ଜଣିଆ ଦଳ ମନୋନୟନ କରାଯାଇଛି। ପ୍ରତିଯୋଗିତାରେ ଖେଳାଳିଙ୍କ ଉପରେ ଆମର ସ୍ବତନ୍ତ୍ର ନଜର ରହିବ। ଅଲିମ୍ପିକ୍‌ସ ଲାଗି ୧୮ଜଣିଆ ଦଳ ମନୋନୟନ ପୂର୍ବରୁ ଉକ୍ତ ପ୍ରତିଯୋଗିତାରୁ ଖେଳାଳିମାନଙ୍କ ପ୍ରଦର୍ଶନକୁ ନିରିକ୍ଷଣ କରିବାର ଉପଯୁକ୍ତ ସମୟ ବୋଲି ମାରିଏନେ କହିଛନ୍ତି।
ଭାରତୀୟ ଦଳ: ରାଣୀ ରାମପାଲ (ଅଧିନାୟିକା), ସବିତା (ଉପ ଅଧିନାୟିକା), ରଜନୀ ଏଟିମାପ୍ରୁ, ଦୀପ୍‌ ଗ୍ରେସ୍‌ ଏକ୍କା, ଗୁରଜିତ କୌର, ରିନା ଖୋଖର, ସଲିମା ଟେଟେ, ସୁଶୀଳା ଚାନୁ, ନିଶା, ନମିତା ଟପ୍ପୋ, ଉଦିତା, ମୋନିକା, ଲିଲିମା ମିଞ୍ଜ୍‌, ନେହା, ସୋନିକା, ଶର୍ମିଳା ଦେବୀ, ନବନୀତ୍‌ କୌର, ଲାଲରେମ୍‌ସିଆମି, ବନ୍ଦନା କାଟାରିଆ, ନବ୍‌ଜ୍ୟୋତ କୌର, ମୁଖ୍ୟ ପ୍ରଶିକ୍ଷକ: ସୋଏର୍ଡ ମାରିଏନେ।

 

Comments are closed.